୨ ରେ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ଶିଳାନ୍ୟାସ

ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁରରେ ପ୍ରତିଷ୍ଠା ସମଗ୍ର ରାଜ୍ୟର ଉଚ୍ଚଶିକ୍ଷାର ମାନକୁ ଅଧିକ ଉଜ୍ଜଳ କରିଛି । ଆସନ୍ତା ୨ ତାରିଖରେ ଏହାର ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ ପାଇଁ ଶିଳାନ୍ୟାସ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଏଥିରେ ସାମିଲ ହେବେ । ତେବେ , ଏହି ଆନ୍ତର୍ଜାତିକ ଅନୁଷ୍ଠାନ ସ୍ଥାପନ ଦିଗରେ ନବୀନ ପଟ୍ଟନାୟକ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇପାରିଛନ୍ତି । ମାତ୍ର ଗୋଟିଏ ଦିନରେ ଏହି ଅନୁଷ୍ଠାନ ସ୍ଥାପନ ପାଇଁ ଶହେ ଏକର ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ କରି ରାଜ୍ୟ ସରକାର ତାଙ୍କ ପ୍ରଶାସନିକ ଦକ୍ଷତାର ପ୍ରମାଣ ଦେଖାଇଥିଲେ । ଆଉ ଏହାର ପାଚେରୀ ନିର୍ମାଣ ପାଇଁ ତୁରନ୍ତ ୫ କୋଟି ଟଙ୍କା ମଞ୍ଜୁର କରିବା ସହିତ ସମଗ୍ର ଅଞ୍ଚଳର ପାଚେରୀ ନିର୍ମାଣ ସାରି ଆଇଆଇଏମ୍ କୁ ଜାଗା ହସ୍ତାନ୍ତର କରି ଆଉ ଥରେ ନବୀନ ତାଙ୍କ ଆନ୍ତରିକତାର ପ୍ରମାଣ ଦେଖାଇଛନ୍ତି ।

ସ୍ଥାନ ଚିହ୍ନଟକୁ ନେଇ ଆଇଆଇଏମ୍ ସ୍ଥାପନ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିଲା । ତେବେ , ସମ୍ବଲପୁରରେ ଏହି ଅନୁଷ୍ଠାନ ହେବା ନେଇ ଘୋଷଣା ହେବା ପଛରେ ତତ୍କାଳୀନ ଜିଲ୍ଲାପାଳ ବଳନ୍ତ ସିଂହଙ୍କ ମଧ୍ୟ ବଳିଷ୍ଠ ଭୂମିକା ରହିଥିଲା । କାରଣ , ତାଙ୍କ ନେତୃତ୍ବରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ସରକାରଙ୍କ ଘୋଷଣା ପୂର୍ବରୁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଆଉ ସମ୍ବଲପୁରରେ ହେବ ବୋଲି ଘୋଷଣା ହେବା ମାତ୍ରେ ସରକାର ସବୁ ପ୍ରକାର ସହଯୋଗର ହାତ ବଢ଼ାଇଥିଲେ ।

ଏପରିକି ଗତ ୨୦୧୫ ଜୁଲାଇ ମାସରେ ରେଙ୍ଗାଲି ନିକଟସ୍ଥ ସିଲିକନ୍ ଇନଷ୍ଟିଚ୍ୟୁଟ୍ରେ ଅସ୍ଥାୟୀ ଭାବେ ଏହାର ଶୁଭାରମ୍ଭ ହେବା ଦିନ ହିଁ ଗୋଶାଳା ନିକଟରେ ଏହାର ସ୍ଥାୟୀ କ୍ୟାମ୍ପସ୍ ପାଇଁ ଜମି ହସ୍ତାନ୍ତର କରାଯାଇଥିଲା । ତେବେ , ଜଳସଂପଦ ବିଭାଗ ଅଧୀନରେ ଥିବା ଏହି ଜମିକୁ ମାତ୍ର ଗୋଟିଏ ଦିନରେ ରାଜସ୍ବ ବିଭାଗକୁ ଅଣାଯାଇ ଆଇଆଇଏମ୍ ନାମରେ ପଞ୍ଜିକୃତ ହୋଇଥିଲା । ଆଉ ଏହି ତ୍ବରିତ ହସ୍ତାନ୍ତର ପ୍ରକ୍ରିୟା ସେହି ସମୟରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଦକ୍ଷତାର ବଳିଷ୍ଠ ପ୍ରମାଣ ଦେଇଥିଲା । ସେହିପରି ଏହା ରାଜ୍ୟ ପ୍ରଶାସନରେ ମଧ୍ୟ ଅନ୍ୟତମ ରେକର୍ଡ ହୋଇଥିବା ବେଳେ ଏହାଦ୍ବାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ପ୍ରତି ତାଙ୍କ ଆନ୍ତରିକତାର ପ୍ରମାଣ ବି ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା ।

ସେହିପରି ଜ୍ୟୋତିବିହାରକୁ ଏହାର କ୍ୟାମ୍ପସ୍ ସ୍ଥାନାନ୍ତର ପରେ ସେଠାରେ ଆବଶ୍ୟକ ଭିତ୍ତିଭୂମିକୁ ଅତି ସ୍ୱଳ୍ପ ଦିନରେ ଛିଡା କରିବାରେ ବି ରାଜ୍ୟ ସରକାରଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ ରହି ଆସିଛି । ଆଉ ସ୍ଥାୟୀ କ୍ୟାମ୍ପସ୍ ପାଇଁ ଉଦ୍ଧିଷ୍ଟ ଜମିରେ ପାଚେରୀ ନିର୍ମାଣ ପାଇଁ ତୁରନ୍ତ ୫ କୋଟି ମଞ୍ଜୁର କରି ରେକର୍ଡ ସମୟ ମଧ୍ୟରେ ପାଚେରୀ ନିର୍ମାଣ କରିବା ସହିତ ଆଇଆଇଏମ୍ କୁ ଜାଗା ହସ୍ତାନ୍ତର କରାଯାଇପାରିଛି । ଏହାର ପୂର୍ଣ୍ଣାଙ୍ଗ ଭିତ୍ତଭୂମି ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ୪୦୧.୯୪ କୋଟି ଟଙ୍କା ମଞ୍ଜୁର କରିଛି । ଆସନ୍ତା ୨ ତାରିଖରେ ଏହାର ସ୍ଥାୟୀ କ୍ୟାମ୍ପସ୍ ପାଇଁ ଶିଳାନ୍ୟାସ ହେବାକୁ ଯାଉଥିବା ବେଳେ ସମଗ୍ର ପଶ୍ଚିମ ଓଡିଶାବାସୀ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରୁଛନ୍ତି ।

Comments are closed.