୯୩ତମ ଓସ୍କାର ପୁରସ୍କାର: ‘ନୋମାଡଲ୍ୟାଣ୍ଡ୍‌’ ଶ୍ରେଷ୍ଠ ଫିଲ୍ମ, ଆନ୍ଥୋନି ହପକିନ୍ସ ଶ୍ରେଷ୍ଠ ଅଭିନେତା, କ୍ଲୋ ଝାଓ ଶ୍ରେଷ୍ଠ ନିର୍ଦ୍ଦେଶକ

ଲସ ଆଞ୍ଜେଲସ: ଚଳିତ ବର୍ଷର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି । କରୋନା ମହାମାରୀ ଯୋଗୁଁ ଦୁଇମାସ ବିଳମ୍ବରେ ଅନୁଷ୍ଠିତ ୯୩ତମ ଓସ୍କାର ପୁରସ୍କାର ଉତ୍ସବରେ ‘ନୋମାଡଲ୍ୟାଣ୍ଡ୍‌’ ତିିନୋଟି ପ୍ରମୁଖ ବର୍ଗରେ ବାଜି ମାରିଛି । ‘ନୋମାଡଲ୍ୟାଣ୍ଡ୍‌’ ଶ୍ରେଷ୍ଠ ଫିଲ୍ମ ସହ ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ଓସ୍କାର ପୁରସ୍କାର ଜିତିଛି ।

‘ନୋମାଡଲ୍ୟାଣ୍ଡ୍‌’ ପାଇଁ କ୍ଲୋ ଝାଓଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ପୁରସ୍କାର ମିଳିଛି । ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିବା ସହ ଝାଓ ଇତିହାସ ରଚିଛନ୍ତି । ସେ ଏସୀୟ ମୂଳର ପ୍ରଥମ ମହିଳା ନିର୍ଦ୍ଦେଶକ ଭାବେ ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି । ଓସ୍କାର ପୁରସ୍କାର ଜିତିବାରେ ଝାଓ ହେଉଛନ୍ତି କେବଳ ଦ୍ୱିତୀୟ ମହିଳା ନିର୍ଦ୍ଦେଶକ । ସେହିପରି ‘ନୋମାଡଲ୍ୟାଣ୍ଡ୍‌’ ପାଇଁ ଫ୍ରାନ୍ସିସ୍ ମ୍ୟାକଡର୍ମାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ମିଳିଛି ।

ଆନ୍ଥୋନି ହପକିନ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି । ‘ଦି ଫାଦର’ ଫିଲ୍ମ ପାଇଁ ହପ୍‌କିନ୍ସଙ୍କୁ ଏହି ସମ୍ମାନ ମିଳିଛି । ଶ୍ରେଷ୍ଠ ଅଭିନେତା ପୁରସ୍କାର ଦୌଡ଼ରେ ହପ୍‌କିନ୍ସଙ୍କ ସହ ‘ମା ରୈନିସ୍ ବ୍ଲାକ୍ ବଟମ୍‌’ ପାଇଁ ଦିବଂଗତ ଅଭିନେତା ଚାଡ୍‌ୱିକ୍ ବୋସମ୍ୟାନ୍ ମଧ୍ୟ ଫେଭରିଟ୍ ଥିଲେ । ତେବେ ହପ୍‌କିନ୍ସଙ୍କୁ ଏହି ପୁରସ୍କାର ମିଳିଛି । ଏହି ବର୍ଗରେ ଓସ୍କାର ଜିତିବାରେ ୮୩ ବର୍ଷୀୟ ହପକିନ୍ସ ହେଉଛନ୍ତି ସବୁଠୁ ବୟୋଜ୍ୟେଷ୍ଠ ଅଭିନେତା ।

ୟୁ ଜଙ୍ଗ୍‌ଙ୍କୁ ‘ମିନାରି’ ପାଇଁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ମିଳିଥିବା ବେଳେ ‘ଜୁଡାସ୍ ଆଣ୍ଡ ଦି ବ୍ଲାକ୍ ମସିଆ’ ପାଇଁ ଡାନିଏଲ କାଲୁୟା ଶ୍ରେଷ୍ଠ ସହଅଭିନେତା ବିବେଚିତ ହୋଇଛନ୍ତି । ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ଡେନମାର୍କର ‘ଆନଦର ରାଉଣ୍ଡ’କୁ ଓସ୍କାର ପୁରସ୍କାର ମିଳିଛି ।

୨୦୦୧ରୁ ଓସ୍କାର ପୁରସ୍କାର ଡଲ୍‌ବି ଥିଏଟରରେ ଅନୁଷ୍ଠିତ ହୋଇଆସୁଛି । ତେବେ ଏଥର କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷ ତ୍ତ୍ୱଓସ୍କାର ପୁରସ୍କାରର ଆୟୋଜନ ଆମେରିକାର ଲସ୍ ଆଞ୍ଜେଲସ୍ ସହରର ଦୁଇଟି ସ୍ଥାନରେ ଏକକାଳୀନ ହୋଇଥିଲା । ଡଲ୍‌ବି ଥିଏଟର ସହ ୟୁନିୟସ ଷ୍ଟେସନରେ ୯୩ତମ ଓସ୍କାର ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେହିପରି ବ୍ରିଟେନର କଳାକାରଙ୍କ ପାଇଁ ଲଣ୍ଡନରେ ଏକ ସ୍ଥାନ ନିରୂପଣ କରାଯାଇଥିବା ବେଳେ ପ୍ୟାରିସ୍‌ରେ ମଧ୍ୟ ଆଉ ଏକ ଭେନ୍ୟୁ ତିଆରି କରାଯାଇଥିଲା ।

Comments are closed.