ସୁନ୍ଦରଗଡ ଜିଲ୍ଲାରେ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଉରକେଲାକୁ କହିଲେ ‘ଆଶାର ସହର’

ରାଉରକେଲା- ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀପଂଚମୀର ପବିତ୍ର ତିଥିରେ ୨୦୨୩ ପୁରୁଷ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ଏଥିସହ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ରାଉରକେଲାରେ ୨୦୨୩ ପୁରୁଷ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ମାନର ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ନୂଆ ଷ୍ଟାଡିୟମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ୱପ୍ନ ଦେଖିବା ଓ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ।

ରାଉରକେଲା ସହିତ ବିଜୁବାବୁଙ୍କର ସଂପର୍କ ବିଷୟ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯ, ରାଉରକେଲାର ଷ୍ଟିଲ ପ୍ଲାଂଟଠାରୁ ଆରମ୍ଭ କରି ଏନଆଇଟି ଯାଏଁ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର- ସିଟି ଅଫ୍ ହୋପ୍ସ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସନ୍ତି ।

ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମାଆମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଙ୍କରାର ଜୟନ୍ତୀ ଏକ୍କା କିପରି ଭୁବନେଶ୍ୱରର ମେକ-୍‌ଇନ-ଓଡିଶା କନକ୍ଲେଭରେ ତାଙ୍କର ଉଦଯୋଗ ପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ , ଜୟନ୍ତୀଙ୍କ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ ।

୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ୍ ମାତ୍ର ୨୮୦୦ କୋଟି ଥିବାବେଳେ , ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବେ ବର୍ଣ୍ଣନା କରିବା ସହ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Comments are closed.