ଗଞ୍ଜାମ ସ୍କୁଲମାନଙ୍କରେ ଏକ ସଫଳ ପ୍ରୟୋଗ: କିଚେନ୍ ଗାର୍ଡେନ

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ବିଦ୍ୟାଳୟ ହତା ଏବେ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି।ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଦ୍ୟାଳୟ ହତାକୁ ନୂଆ ରୂପ ଦେବାର ପ୍ରୟାସ କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଗୁଡ଼ିକରେ ଏବେ ସବୁଜିମା ଭରା ଉଦ୍ୟାନ ସୃଷ୍ଟି ପାଇଁ ବିଭାଗ ତରଫରୁ ପ୍ରତ୍ୟେକ ସ୍କୁଲକୁ ୫ ହଜାର ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । କେବଳ ସେତିକି ନୁହେଁ , ବିଦ୍ୟାଳୟରେ ଶିକ୍ଷଣୀୟ ପରିବେଶକୁ ଅଧିକ ବ୍ୟାପକ କରିବା ପାଇଁ ମଧ୍ୟ ସ୍କୁଲ ପାଚେରୀରେ ରଙ୍ଗୀନ, ଆକର୍ଷଣୀୟ ଓ ଶିକ୍ଷଣୀୟ ଚିତ୍ରମାନଙ୍କ ଅଙ୍କାଯିବାକୁ ପ୍ରୋତ୍ସାହନ ଦିଆଯାଉଛି । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳ ବିଦ୍ୟାଳୟରେ ମଧ୍ୟ ଏବେ କିଚେନ୍‌ ଗାର୍ଡେନ୍ ସୃଷ୍ଟି କରାଗଲାଣି । ସାଧାରଣତଃ ସହରର ବିଦ୍ୟାଳୟମାନଙ୍କରେ ଫାଙ୍କା ସ୍ଥାନ ଅଭାବ ସାଙ୍ଗକୁ ପ୍ରଦୂଷିତ ପରିବେଶ, ବ୍ୟସ୍ତବହୁଳ ଛାତ୍ରଛାତ୍ରୀଙ୍କ ଦ୍ବାରା ବଗିଚାର ଯତ୍ନ ନେବା ସମ୍ଭବପର ହେଉ ନଥିବାରୁ ସବୁଜିମାରେ ଭରା ଉଦ୍ୟାନଟିଏ ଦେଖିବା କାଠିକର । ମାତ୍ର ଏହାର ବ୍ୟତିକ୍ରମ ପାଲଟିଛି ବ୍ରହ୍ମପୁର ଗୋସାଇଁନୂଆଗାଁସ୍ଥିତ କେ.ସି.ବାଳିକା ଉଚ୍ଚବିଦ୍ୟାଳୟ, ବିଦ୍ୟୁତପୁରୀ କଲୋନୀ ପ୍ରାଥମିକ ବିଦ୍ୟାଳୟ, ଆସିକା ରୋଡ୍ ନୋଡାଲ ୟୁ.ପି.ସ୍କୁଲର ଛୋଟ ବଡ ପନିପରିବା ବଗିଚା ।

ଗୋସାଇଁନୂଆଗାଁ ସ୍କୁଲରେ ଥିବା ସବୁଜ ସତେଜ ଫୁଲ କୋବି, ଫଳ କୋବି, ମୁଳା, ଲଙ୍କା, ବିଂଶ, ବୋଇତାଳୁ, ଭେଣ୍ଡି, ଛୁଇଁ (ମୁନିକା), ଶାଗ, ଧନିଆପତ୍ର ଏବଂ ପିଆଜ, ଟମାଟ, ବାଇଗଣ, ଅମୃତଭଣ୍ଡା, କଞ୍ଚାକଦଳୀ ଫସଲ ବା ଗଛ ଦେଖିଲେ ଯେକେହି ପ୍ରଶଂସା କରିବ।ଏହାଦ୍ବାରା ସ୍କୁଲ ପରିସରରେ ଥିବା ଅନୁସୂଚିତ ଜାତି ଜନଜାତି ଛାତ୍ରୀନିବାସର ଅନ୍ତେବାସିନୀମାନେ ପାଉଛନ୍ତି ତାଜା ଓ ପୁଷ୍ଟିକର ପନିପରିବା। ଏଥିପାଇଁ ସେମାନେ କୌଣସି ସରକାରୀ ଅନୁଦାନ ପାଇଁ ମଧ୍ୟ ଚେଷ୍ଟା କରିନାହାନ୍ତି। କୌଣସି କୀଟନାଶକ, ରାସାୟନିକ ସାର ବ୍ୟବହାର ବିନା ନିଜ ପରିଶ୍ରମରେ ହଷ୍ଟେଲ ୱାର୍ଡନ୍, ରୋଷେଇ ସହାୟିକା ଓ ଛାତ୍ରୀମାନେ ସୃଷ୍ଟି କରିଛନ୍ତି ଏହି ସୁନ୍ଦର ଓ ବଡ ନ୍ୟୁଟ୍ରିସନ୍ ଗାର୍ଡେନ୍। ଏହି କାରଣରୁ ବିଦ୍ୟାଳୟର ପରିବେଶ ଗତ କିଛି ବର୍ଷରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସ୍କୁଲରୁ ଫେରିବା ପରେ ହଷ୍ଟେଲ ଛାତ୍ରୀମାନେ ମ୍ୟାଟ୍ରିନ୍ ଓ କେୟାରଟେକରଙ୍କ ସହ ମିଶି ଗଛରେ ପାଣି ଦେବା, ବଗିଚାରୁ ଆବର୍ଜନା ସଫା କରିବା, ଅନାବନା ଓ ଝଡା ପତ୍ର, ଡାଳ ଆଣି ଖତ ପ୍ରସ୍ତୁତ କରିବା କାମ କରନ୍ତି। ଫଳରେ ସୃଷ୍ଟି ହୋଇଛି ଏକ ସ୍ଵାସ୍ଥ୍ୟକର, ଆନନ୍ଦଦାୟକ ପରିବେଶ ଯେଉଁଠି ଛାତ୍ରୀମାନେ ଶାରୀରିକ ପରିଶ୍ରମ ପ୍ରତିବଦଳରେ ନିଜ ପାଇଁ ସବୁଜ ପରିବା ଫସଲ ଅମଳ କରିପାରୁଛନ୍ତି।
ଏହାକୁ ଦେଖି ସେମାନେ ସନ୍ତୁଷ୍ଟ ବି ହେଉଛନ୍ତି ଯେ- ସେମାନଙ୍କ ପରିଶ୍ରମ ବଳରେ କିଛି ନିଆରା ଓ ଉପଯୋଗୀ ସୃଷ୍ଟି ହୋଇପାରିଛି। ଜିଲ୍ଲାର ଅନ୍ୟ ସ୍କୁଲମାନଙ୍କ ପାଇଁ ଏହି ବାଳିକା ଉଚ୍ଚ ବିଦ୍ୟାଳୟ ତଥା ଏସସି-ଏସଟି ହଷ୍ଟେଲ ଏକ ଉଦାହରଣ ପାଲଟିଥିବା ମତ ଦିଅନ୍ତି ରଙ୍ଗେଇଲୁଣ୍ଡା ବିଇଓ ଡ. ପ୍ରଭାତୀ ମହାପାତ୍ର।

ଉଲ୍ଲେଖଯୋଗ୍ୟ ଯେ- ଜିଲ୍ଲାର ବ୍ରହ୍ମପୁର ମହାନଗର, ରଙ୍ଗେଇଲୁଣ୍ଡା ଓ ହିଞ୍ଜିଳିକାଟୁ ବ୍ଲକ୍ (ଯେଉଁଠି ସ୍କୁଲମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ହୁଏ) ବ୍ୟତୀତ ଅନ୍ୟ ବ୍ଲକ୍‌ର ପ୍ରତି ସ୍କୁଲକୁ ଏଭଳି ଉଦ୍ୟାନ ସୃଷ୍ଟି ପାଇଁ ଚଳିତ ବର୍ଷରୁ ଶିକ୍ଷା ବିଭାଗ ତରଫରୁ ୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ। ଏପରିକି ଅଙ୍ଗନବାଡ଼ି କେନ୍ଦ୍ରରେ ବି ଏଭଳି କିଚେନ୍ ଗାର୍ଡେନ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭରୁ କିଚେନ୍ ଗାର୍ଡେନ ତଥା ମୋ ବଗିଚାକୁ ଫୋକସରେ ରଖି ଆସିଛି।

ସ୍କୁଲ ପରିସରରେ କେବଳ ସବୁଜ ଉଦ୍ୟାନ ନୁହେଁ, ଶିକ୍ଷଣୀୟ ରଙ୍ଗୀନ ଚିତ୍ର ଆଙ୍କି ବିଦ୍ୟାଳୟ ହତାକୁ ଆକର୍ଷଣୀୟ କରାଯିବାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ପୁରୁଣା ବ୍ରହ୍ମପୁର ସରକାରୀ ଉଚ୍ଚବିଦ୍ୟାଳୟ ଏହାର ଏକ ନଜୀର ମାତ୍ର। ପୂର୍ବରୁ ଘରୋଇ ବିଦ୍ୟାଳୟମାନଙ୍କରେ ଏଭଳି କରାଯାଉଥିବା ବେଳେ ଗତ କିଛି ବର୍ଷ ହେଲାଣି ସରକାରୀ ସ୍କୁଲମାନଙ୍କରେ ଏହା ବ୍ୟାପକ ଭାବେ ପରିଲକ୍ଷିତ ହେଉଛି। ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ସକାଶେ ଅଧିକ ଆକର୍ଷଣୀୟ କରିବାକୁ ମହାପୁରୁଷଙ୍କ ଚିତ୍ର, ଆନନ୍ଦପ୍ରଦାୟକ ଚିତ୍ର, ନୀତିଶିକ୍ଷା ଦେଉଥିବା ଛବି ଅଙ୍କାଯାଉଛି। ନୀତି ବାକ୍ୟ କାନ୍ଥରେ ଲେଖା ରହୁଛି। ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଖେଳ ସାମଗ୍ରୀ ବ୍ୟବସ୍ଥା ପୂର୍ବକ ଅଧିକ ସଂଖ୍ୟାରେ ପିଲାଏ ଯେପରି ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ରାଜ୍ୟ ସରକାର ଯୋଜନାମାନ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ସମସ୍ତ ହାଇସ୍କୁଲରେ ସ୍ମାର୍ଟ ଡିଜିଟାଲ କ୍ଲାସ ଆରମ୍ଭ କରିବାକୁ ଯାଉଛନ୍ତି। ବୈଷୟିକ କୌଶଳ ପ୍ରୟୋଗରେ ଯୁଗପଯୋଗୀ ଶିକ୍ଷା ଗ୍ରହଣ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

ଉଲ୍ଲେଖଯୋଗ୍ୟ ଯେ- ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ବିଦ୍ୟାଳୟରେ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଘୋଷଣା କରିଛନ୍ତି ଯାହା ସାରା ଦେଶରେ ପ୍ରଥମ ଅଟେ । ମୋଟାମୋଟି ଭାବେ ବିଦ୍ୟାଳୟ ଶିକ୍ଷାକୁ ବ୍ୟବସ୍ଥିତ, ଉନ୍ନତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ନିଶ୍ଚିତ ସ୍ବାଗତଯୋଗ୍ୟ ।

Comments are closed.