ସାତଭାୟାରୁ ଓସ୍କାର … ସମୟ ଢେଉରେ ‘କାଲିର ଅତୀତ’

ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେ କୃତି ‘କାଲିର ଅତୀତ’ ସୃଷ୍ଟି କରିଛି ଇତିହାସ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାରୁ ଆରମ୍ଭ ହୋଇଥିବା ଏହି ଲହରୀ ଏବେ ବିଶ୍ବପ୍ରସିଦ୍ଧ ଓସ୍କାର ପୁରସ୍କାର କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପ୍ରସାରିତ ହେଲାଣି । କେବଳ ଓଡ଼ିଶା ନୁହେଁ, ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍ ହୋଇ ବଲିଉଡ୍‌ ସମେତ ହଲିଉଡ୍‌ରେ ଚର୍ଚ୍ଚିତ ହେଲାଣି ଏହି ଫିଲ୍ମ ।

ଜଳବାୟୁ ପରିବର୍ତ୍ତନ କିଭଳି ମାନବ ସମାଜ, ଜୀବଜଗତ ତଥା ପୃଥିବୀ ପାଇଁ ଭୟଙ୍କର ବିପଦ ଡାକିଆଣେ, ତାହାକୁ ନିଖୁଣ ଭାବେ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ସମୁଦ୍ରରେ ବୁଡ଼ି ରହିଥିବା ପ୍ରଭୁ ଶ୍ରୀକୃଷ୍ଣଙ୍କ ନଗରୀ ଦ୍ଵାରିକା ଭଳି ବଙ୍ଗୋପସାଗରର ଆଁରେ କିଭଳି ସାତଭାୟା ଧିରେ ଧିରେ ଲୀନ ହେବାକୁ ବସିଛି ତାହାକୁ ଜୀବନ୍ତ ଭାବେ ବର୍ଣ୍ଣନା କରିଛନ୍ତି ନିର୍ଦ୍ଦେଶକ ପଣ୍ଡା । କରୋନା ମହାମାରୀରୁ ଧିରେ ଧିରେ ବିଶ୍ୱ ମୁକୁଳି ଆସୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ କିଭଳି ମନୁଷ୍ୟ ପାଇଁ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ ତାହା ଚେତାଇ ଦେଉଛି ଏହି ମୁଭି।

ନୀଳମାଧବଙ୍କ ଅନେକ ସିନେମା ଆଗରୁ ମଧ୍ୟ ଚର୍ଚ୍ଚିତ ତଥା ପ୍ରଶଂସିତ ହୋଇଛି । ତଥାପି ‘କାଲିର ଅତୀତ’ ଓସ୍କାର ସାଧାରଣ ବର୍ଗର ସିନେମା ଭାବେ ଚୟନ ହେବା ତାଙ୍କର ଦକ୍ଷତା ତଥା ପ୍ରତିଭାକୁ ଆଉ ଏକ ଅନନ୍ୟ ସ୍ବୀକୃତି ବୋଲି କୁହାଯାଇ ପାରେ। ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସମେତ ଆଉ କେତେକ ପୁରସ୍କାର ଦୌଡ଼ରେ ଏହା ସାମିଲ୍ ହୋଇଛି। ଏଥିପାଇଁ ନୀଳମାଧବଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନୀଳମାଧବଙ୍କ ଚଳଚ୍ଚିତ୍ରକୁ ଉଚ୍ଚପ୍ରଶଂସା କରିବା ସହ ତାହାକୁ ନିଜ ବାଲୁକା କଳାରେ ପ୍ରଦର୍ଶିତ ମଧ୍ୟ କରିଛନ୍ତି। ଏକ ଟ୍ବିଟ୍ ବାର୍ତ୍ତାରେ ସେ ଲେଖିଛନ୍ତି “ଗୁଡ୍ ଲକ୍ ଆଟ୍ ନୀଳମାଧବ ପଣ୍ଡାଜୀ ଓ କାଲିର ଅତୀତର ପୁରା ଟିମ୍‌କୁ ଅନେକ ଶୁଭେଚ୍ଛା। ଆଶା କରୁଛି ଏହି ଫିଲ୍ମ ଓସ୍କାର ୨୦୨୧ ଜିତିବ। ଏଥିପାଇଁ ଓଡ଼ିଶାର ପୁରୀ ବେଳାଭୂମିରେ ମୋ ବାଲୁକା କଳା”।

ଓସ୍କାର ପୁରସ୍କାର ପାଇଁ ମନୋନୀତ ହେବା ପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ସତେଯେମିତି ଜୁଆର ମାଡ଼ିଯାଇଛି। ହ୍ୟାସ୍‌ଟାଗ୍ ‘ଓଡ଼ିଆ ଫିଲ୍ମ ଫର ଓସ୍କାର’ ଏବଂ ‘କାଲିର ଅତୀତ ଫର୍ ଓସ୍କାର’ ଏବେ ସୋସିଆଲ୍ ମିଡିଆରେ ପୁରା ଛାଇଯାଇଛି । ବିଶ୍ୱର ସବୁଠୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏହି ଓଡ଼ିଆ ସିନେମା ବାଜିମାତ୍ କରୁ ବୋଲି ସମସ୍ତେ ଆଶା ଓ କାମନା କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ- ଓଡ଼ିଆ ସିନେମାର ଏହାକୁ ନବଜାଗରଣ ବୋଲି ମଧ୍ୟ ଅନେକ ମତବ୍ୟକ୍ତ କରୁଛନ୍ତି। ପୂର୍ବରୁ ଦେଶ ବିଦେଶରେ ଅନେକ ଓଡ଼ିଆ ଭାଷାରେ ତଥା ଓଡ଼ିଶା ମାଟିକୁ ଆଧାର କରି ନିର୍ମିତ ହୋଇଥିବା ଚଳଚ୍ଚିତ୍ର ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲେ ହେଁ ‘କାଲିର ଅତୀତ’ ଆଗାମୀ ଦିନ ପାଇଁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଏକ ପଥପ୍ରଦର୍ଶକ ହେବ ବୋଲି ମତବ୍ୟକ୍ତ କରୁଛନ୍ତି ଅନେକ ସମୀକ୍ଷକ ।

Comments are closed.