ମିଶନ୍ ଶକ୍ତି – ମହିଳାମାନଙ୍କୁ ଦେଇଛି ନୂତନ ପରିଚୟ

ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସେମାନଙ୍କ ସଶକ୍ତୀକରଣ ନିମନ୍ତେ ଓଡ଼ିଶାରେ ୮ ମାର୍ଚ୍ଚ ୨୦୦୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ମିଶନ୍ ଶକ୍ତି ମହିଳାମାନଙ୍କର ନିଜର ପରିବାର ଏବଂ ସମାଜରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ଏବେ ଏକ ନୀରବ ବିପ୍ଲବର ରୂପ ନେଇଛି । ମିଶନ୍ ଶକ୍ତିର ସମସ୍ତ କାର୍ଯ୍ୟକ୍ରମକୁ ଅଧିକ ତ୍ଵରାନ୍ଵିତ କରିବା ନିମନ୍ତେ ୨୦୧୭ରେ ମିଶନ୍ ଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଅଛି। ୨୦୦୧ରେ ଆରମ୍ଭ ହୋଇଥିବା ମିଶନ୍ ଶକ୍ତି ଏବେ ୬ ଲକ୍ଷ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ମହିଳାଙ୍କ ସମଷ୍ଟିରେ ଏକ ମହାଦ୍ରୁମରେ ପରିଣତ ହୋଇଛି।

ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀ ସଶକ୍ତୀକରଣକୁ ସର୍ବଦା ଗୁରୁତ୍ଵ ଦେଇ ଆସୁଥିବା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଥମ କରି ମିଶନ୍ ଶକ୍ତିକୁ ସ୍ଵତନ୍ତ୍ର ବିଭାଗର ମାନ୍ୟତା ଦେବା ସହ ଜଣେ ମନ୍ତ୍ରୀ ଓ ସଚିବଙ୍କୁ ନିଯୁକ୍ତି ଦେଇଛନ୍ତି। ନାରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସମସ୍ତ କ୍ଷେତ୍ରରେ ଅଗ୍ରଣୀ କରିବାରେ ସଦା ତତ୍ପର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଅଭିଯାନର ପୁରୋଧା ସାଜିଛନ୍ତି । ଭିଡିଓ କନ୍‌ଫରେନ୍ସିଂରେ ଉଦ୍‌ବୋଧନ ବେଳେ ସେ ରାଜ୍ୟର ନାରୀ ଶକ୍ତି କିଭଳି ସଙ୍ଗଠିତ ହୋଇ ଉଦାହରଣ ସୃଷ୍ଟି କରୁଛନ୍ତି ତାହା ସ୍ୱଳ୍ପରେ ପରିପ୍ରକାଶ କରିଥିଲେ । ବହୁ ଶୀଘ୍ର ଏହି ଆନ୍ଦୋଳନରେ ଏକ କୋଟି ମହିଳାମାନଙ୍କୁ ସାମିଲ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଅଛି। ଏହି ଗୋଷ୍ଠୀ ରୂପକ ବୃକ୍ଷର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ ବୋଲି ତାଙ୍କର ମନ୍ତବ୍ୟରେ ପରିପ୍ରକାଶ କରିଥିଲେ ସେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ କାର୍ଯ୍ୟରତ ସମସ୍ତ ସଂସ୍ଥାକୁ ଏକତ୍ରିତ କରି ଗୋଟିଏ ଛାତ ତଳେ ବିଭିନ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ମିଶନ୍ ଶକ୍ତି ଏବେ ଏକ ସ୍ଵତନ୍ତ୍ର ବିଭାଗର ରୂପ ନେଇଛି । ନବଗଠିତ ଏହି ବିଭାଗ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସୁପରିଚାଳନା ସହିତ କାର୍ଯ୍ୟକ୍ରମଗୁଡିକୁ ଦୀର୍ଘସ୍ଥାୟୀ କରିବା ନିମନ୍ତେ ଏକକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ମିଶନ୍ ଶକ୍ତି ବିଭାଗ ଏସ୍ଏଚଜି ଓ ବ୍ୟାଙ୍କ୍ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା ସହିତ ଅଧିକ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ସହାୟକ ହେବ । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ସ୍ଵତନ୍ତ୍ର ବିଭାଗ ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀ ଅଭିଯାନରେ ମାନବ ସମ୍ବଳର ସର୍ବୋତ୍କୃଷ୍ଟ ବ୍ୟବହାର ସମ୍ଭବପର ହୋଇପାରିବ ବୋଲି ମତ ଦିଅନ୍ତି ବହୁ ବିଶେଷଜ୍ଞ। ନାରୀମାନେ ନିଜ ଅଧିକାର ଓ ସମାଜରେ ନିଜ ଭୂମିକା ନେଇ ଅଧିକ ସଚେତନ ହୋଇପାରିବେ। ମୁଖ୍ୟମନ୍ତ୍ରୀଙ୍କ କହିବା ପ୍ରକାରେ – ମିଶନ୍ ଶକ୍ତିର ପରିବର୍ତ୍ତନଶୀଳ ଯାତ୍ରାକୁ ସର୍ବାଧିକ ଫୋକସ୍ ସହ ଏକ ଆନ୍ଦୋଳନ ରୂପେ ଆଗେଇ ନେବ ମିଶନ୍ ଶକ୍ତି ବିଭାଗ ।

ନାରୀ ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ମତରେ ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି। ସେ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯେକି ପଞ୍ଚାୟତ ପ୍ରତିଷ୍ଠାନରେ ମହିଳାଙ୍କ ସଂରକ୍ଷଣକୁ ୫୦ ପ୍ରତିଶତ କରିବା ସହ ବିଧାନସଭା ଓ ସଂସଦରେ ୩୩% କୋଟା ନିମନ୍ତେ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଆଉ ଏହାର ଉଦାହରଣ ହେଉଛି ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ଏକ ତୃତୀୟାଂଶ ଅର୍ଥାତ ୭ ଟିରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

ଲକ୍ଷ ଲକ୍ଷ ମହିଳା ମିଶନ୍ ଶକ୍ତି ଅଧୀନରେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ପାରିଛନ୍ତି ।

ସ୍ଵୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକୁ ମଜବୁତ କରିବା ସହିତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ଵରାନ୍ଵିତ କରିବା ନିମନ୍ତେ ନୂତନ ଭାବରେ ଗଠନ କରାଯାଇଥିବା ବିଭାଗ ନିମନ୍ତେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ବଜେଟ ବ୍ୟବସ୍ଥା ଓଡିଶାରେ ମହିଳା ସଶକ୍ତୀକରଣ ଧାରାକୁ ଆହୁରି ତ୍ୱରାନ୍ୱିତ ଓ ଦୃଢୀଭୂତ କରିବ । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସର୍ବଦା ସହଯୋଗ କରିବା ନିମନ୍ତେ ପ୍ରତିଟି ବ୍ଲକରେ ଖୋଲିବାକୁ ଯାଉଛି ବ୍ଲକସ୍ତରୀୟ ମହାସଂଘ କାର୍ଯ୍ୟାଳୟ।

୨୦୦୧ରୁ ଶୁଭାରମ୍ଭ ହୋଇଥିବା ଏହି ମହା ଆନ୍ଦୋଳନରେ ମହିଳାମାନଙ୍କର ଅନେକ ଅନେକ ସଫଳ କାହାଣୀ ଯୋଡି ହୋଇଅଛି । ସେଥିମଧ୍ୟରୁ ବ୍ରହ୍ମପୁରର ଅନିତା ମହାନ୍ତିଙ୍କ ସଫଳ କାହାଣୀ ପ୍ରେରଣାଦାୟୀ । ୨୦୦୨ରେ ବ୍ରହ୍ମପୁରର ଅନିତା ମହାନ୍ତିଙ୍କ ବିବାହ ହୋଇଥିଲା । ୨୦୧୬ ପର୍ଯ୍ୟନ୍ତ ସେ କେବଳ ଜଣେ ଗୃହିଣୀ ଭାବେ ଘର ପରିବାରର ଯାବତୀୟ ଦାୟିତ୍ଵ ତୁଲାଇ ଆସୁଥିଲେ । ହେଲେ ଗତ ୫ ବର୍ଷ ମଧ୍ୟରେ ସେ ନିଜକୁ କେବଳ ରୋଜଗାରକ୍ଷମ କରାଇନାହାନ୍ତି, ବରଂ ଜଣେ ସଙ୍ଗଠକ ଭାବେ ରାଜ୍ୟରେ ପ୍ରଥମ କରି ଗୋଟିଏ କାର୍ଯ୍ୟ କରି ଦେଖାଇଛନ୍ତି । ନିଜର ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିବା ପରେ ପ୍ରଥମେ ଛୋଟ ସଂଘ ଓ ପରେ ମହାନଗରସ୍ତରୀୟ ମହାସଂଘର ସମ୍ପାଦିକା ହୋଇପାରିଛନ୍ତି ଅନିତା। ରାଜ୍ୟରେ ପ୍ରଥମ କରି ମହିଳାମାନେ ସ୍ଵେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା କରୁଛନ୍ତି ଓ ଏଥିପାଇଁ ନୂଆଦିଲ୍ଲୀରେ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି ଶ୍ରୀମତି ମହାନ୍ତି । ୬ଶହରୁ ଅଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ୭ ହଜାରରୁ ଉର୍ଦ୍ଧ୍ଵ ସଦସ୍ୟା ଥିବା ବ୍ରହ୍ମପୁର ମହାନଗରସ୍ତରୀୟ ଏହି ମହାସଂଘ ଏବେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ଵ ମଧ୍ୟ ହାତକୁ ନେଇଛନ୍ତି । ଅନିତାଙ୍କ ଜୀବନରେ ଏବେ ଆସିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ। ଘରର ଚାରିକାନ୍ଥରେ ଥିବା ଏହି ନାରୀ ଏବେ ଜଣେ ଦକ୍ଷ ସଙ୍ଗଠକ, ପରିଚାଳକ ତଥା ସଫଳ ନେତୃତ୍ଵର ଉଦାହରଣ ପାଲଟିଛନ୍ତି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ନମଜିନୀ ମଲ୍ଲିକ। ରାଜ୍ୟରେ ନାରୀ ସଶକ୍ତୀକରଣର ଆଉ ଏକ ଉଦାହରଣ । ଗତ ଅଢ଼େଇ ଦଶନ୍ଧି ଧରି ମଦ ବିରୋଧୀ ଆନ୍ଦୋଳନରୁ ଆରମ୍ଭ କରି ବାଲ୍ୟବିବାହ, ନାରୀ ନିର୍ଯାତନା, ଜଙ୍ଗଲ ଅଧିକାର ଆଇନ ପରି ମହିଳାକୈନ୍ଦ୍ରିକ କ୍ଷେତ୍ରରେ କାର୍ଯ୍ୟରତ ସେ । ତାଙ୍କ ନେତୃତ୍ଵରେ ପରିଚାଳିତ ଦାରିଙ୍ଗବାଡ଼ି ନାରୀ ସହାସଂଘର ସଦସ୍ୟା ସଂଖ୍ୟା ଏବେ ୫୪୦୦ ପାର କରିଲାଣି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଆଦିବାସୀବହୁଳ ଜଙ୍ଗଲ ପାହାଡ଼ଘେରା ଶଣ୍ଢାବାଲି ଗ୍ରାମରେ ଆଦିବାସୀ ମହିଳାଙ୍କ ଏସ୍ଏଚଜିଙ୍କ ଆତ୍ମନିର୍ଭରଶୀଳତା ପ୍ରଶଂସନୀୟ । କେବେ ମଧ୍ୟ ସ୍କୁଲ ପିଣ୍ଡା ମାଡ଼ିନଥିବା ଏଇ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିଛନ୍ତି । ସରକାରୀ ସହାୟତାରେ ଛତୁ ଚାଷ, ଗେଣ୍ଡୁ ଫୁଲ ଚାଷ କରିବା ସାଙ୍ଗକୁ ମୋ ବଗିଚା ମାଧମରେ ଗାଜର, ମୂଳା, କଲରା, ବୋଇତାଳୁ, ଶାଗ ଚାଷ କରି ଲାଭବାନ ହୋଇଛନ୍ତି । ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।

ଜଣେ ଭିନ୍ନକ୍ଷମ, ହେଲେ ମଧ୍ୟ ଶାରୀରିକ ଅକ୍ଷମତା ତାଙ୍କ ମନୋବଳକୁ ଦୁର୍ବଳ କରିପାରିନି । ସେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ଶିଖାଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ର ପି . ଚନ୍ଦ୍ରମା ରେଡ୍ଡୀ। ୨୦୦୩ ମସିହାରେ ପ୍ରଥମ ଏସ୍ଏଚଜି ଗଢ଼ିବା ପରେ କ୍ରମାଗତ ୧୨ଟି ମହିଳା ଗୋଷ୍ଠୀ ଗଠନ କଲେଣି । ଚନ୍ଦ୍ରମାଙ୍କ କାର୍ଯ୍ୟକଳାପ ଜାଣି ଓଡିଶା ଜୀବିକା ମିଶନୄ ପ୍ରତିନିଧି ଦଳ ଆସି ଆଲୋଚନା କରିଛନ୍ତି । ବର୍ତ୍ତମାନ ଚନ୍ଦ୍ରମା ତାଙ୍କର କାର୍ଯ୍ୟକୁଶଳତା ଲାଗି ଓଡିଶା ଜୀବିକା ମିଶନ ଜରିଆରେ ବ୍ଲକରେ ସିଆରପି ଭାବେ ନିଯୁକ୍ତି ପାଇଛନ୍ତି । ଅନିତା ମହାନ୍ତିଙ୍କ କହିବା ମୁତାବକ ମହିଳାମାନେ ସବୁ କାମ କରିପାରିବେ । କିନ୍ତୁ ଏଥିପାଇଁ ଲକ୍ଷ୍ୟ, ଇଛାଶକ୍ତି ଓ ପ୍ରୋତ୍ସାହନ ଆବଶ୍ୟକ । ନମଜିନୀ କୁହନ୍ତି ସରକାର ସହଯୋଗ କଲେ ନାରୀ ସଶକ୍ତୀକରଣକୁ ବଳ ମିଳିବ । ଆଉ ଚନ୍ଦ୍ରମା ତ ସରକାରୀ ପ୍ରୋତ୍ସାହନରେ କିଭଳି ନାରୀ ଅକ୍ଷମତାକୁ ପଛରେ ପକାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ ତାହାର ଜ୍ଵଳନ୍ତ ଉଦାହରଣ ପାଲଟିଛନ୍ତି।

ଏଭଳି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ମିଶନ୍ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ ୩ଟି ମହିଳା ଏସ୍ଏଚଜି ସହାୟତାରେ ପାରମ୍ପରିକ ତାଳଗୁଡ଼କୁ ପୁଣି ଲୋକପ୍ରିୟ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଆସିକାରେ ଏହାର ସଫଳତା ଦେଖିବାକୁ ମିଳିଛି। ଇଲେକଟ୍ରୋନିକ୍ ମଇଳା ବୁହା ଗାଡ଼ି ଚଳାଚଳ ପାଇଁ ତାଲିମ ନେଉଛନ୍ତି ଗଞ୍ଜାମର ସ୍ଵୟଂ ସହାୟକ ସଦସ୍ୟା। ନାରୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟର ସମସ୍ତ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରୀଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦିଆଯାଉଛି । ଫଳସ୍ଵରୂପ ଗତ ଦଶନ୍ଧିରେ କେବଳ ଯେ ସରକାରୀ ଆଇଟିଆଇମାନଙ୍କରେ ଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ତା ନୁହେଁ, ରାଜ୍ୟରେ ଓ ରାଜ୍ୟ ବାହାରେ ସେମାନଙ୍କ ନିଯୁକ୍ତି ମଧ୍ୟ ବଢ଼ିଛି । ଏଭଳି ପ୍ରୟାସର ଫଳ ଏୟା ଯେ- କୋଭିଡ୍ ପରିଚାଳନା ପାଇଁ ମଧ୍ୟ ଗଞ୍ଜାମ ସ୍କଚ୍ ଅର୍ଡର ଅଫ ମେରିଟ୍ ହାସଲ କରିଛି ଯାହା ଆଶା- ଅଙ୍ଗନବାଡ଼ି- ଏଏନ୍ଏମ୍ କର୍ମୀଙ୍କ ବିଶାଳ ନେଟ୍‌ୱର୍କ ଓ ନିଷ୍ଠାପର ପରିଶ୍ରମକୁ ସାକାର କରିଛି ।

ଉଲ୍ଲେଖଯୋଗ୍ୟ ଯେ- ଓଡ଼ିଶା ସରକାରଙ୍କ ନାରୀ ସଶକ୍ତୀକରଣ ମଡେଲକୁ କେନ୍ଦ୍ର ସରକାର ମଧ୍ୟ ଅନୁକରଣ କରିବା ଆରମ୍ଭ କରିଛନ୍ତି।ନାରୀଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରାଗଲେ କିଭଳି ଯେ ରାଜ୍ୟର ସାମାଜିକ ପ୍ରଗତି ହୋଇପାରିବ ତାହାକୁ ବାସ୍ତବ କରି ଦେଖାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆଜି ଦେଶର ଯେକୌଣସି ରାଜ୍ୟ ତୁଳନାରେ ଆମ ରାଜ୍ୟର ନାରୀ ଯେ ଅଧିକ ସଙ୍ଗଠିତ, ସାମୂହିକ ଭାବେ ସ୍ୱାବଲମ୍ବୀ ତାହା ନିଃସନ୍ଦେହ । କେବଳ କଥାରେ ନୁହେଁ, କିମ୍ବା ହାତଗଣତି କ୍ଷେତ୍ରରେ ନୁହଁ, ନାରୀ ସଶକ୍ତୀକରଣକୁ ବାସ୍ତବ ରୂପରେ ସମାଜର ପ୍ରତିଟି କ୍ଷେତ୍ରରେ ସଫଳ ରୂପାୟନ କରିବାକୁ ବିଚାର ରଖିଛନ୍ତି ଦୂରଦୃଷ୍ଟି ସମ୍ପନ୍ନ ନବୀନ ପଟ୍ଟନାୟକ । ସେଥିପାଇଁ ତ ଜନପ୍ରତିନିଧିତ୍ଵ କ୍ଷେତ୍ରରେ ତୃଣମୂଳସ୍ତରରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଏହାର ଚିତ୍ର ସୁସ୍ପଷ୍ଟ । କେବଳ ଆର୍ଥିକ ନୁହେଁ, ସେ କ୍ରୀଡ଼ା ହେଉ କି ପରିମଳ– ସ୍ଵଚ୍ଛତା ଅଭିଯାନ ଅଥବା ଆହାର କେନ୍ଦ୍ର ପରିଚାଳନା ହେଉ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରକୁ ସାମଗ୍ରୀ ଯୋଗାଣ, ବିଭିନ୍ନସ୍ତରରେ ମହିଳାଙ୍କୁ ଯାବତୀୟ ସୁବିଧା ସୁଯୋଗ ଦେଇ ସେମାନଙ୍କୁ ଆମ ମୁଖ୍ୟମନ୍ତ୍ରୀ ଆହୁରି ଆଗକୁ ନେଇ ଚାଲିଛନ୍ତି । ମିଶନୄ ଶକ୍ତି ମାଧ୍ୟମରେ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ସହଭାଗୀତାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ପାଞ୍ଚ ହଜାର କୋଟି ଟଙ୍କାର ଦ୍ରବ୍ୟ ଓ ସେବା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଅଛି । ଦୁଇ ବର୍ଷ ମଧ୍ୟରେ ଏ ପର୍ଯ୍ୟନ୍ତ ଦୁଇ ହଜାର ପାଞ୍ଚ ଶହ କୋଟି ଟଙ୍କାର ସରକାରୀ ବ୍ୟବସାୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଯୋଗାଇ ଦିଆଯାଇଛି । ମହିଳାମାନଙ୍କର ଜୀବନ ଜୀବିକା ସୁଦୃଢୀକରଣ ନିମନ୍ତେ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ସାରା ଦେଶରେ ଅନନ୍ୟ । ସେଥିପାଇଁ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନାରୀ ସଶକ୍ତୀକରଣର ଜଣେ ରୋଲ ମଡେଲ ।

Comments are closed.