ଜଉଗଡ ବିକାଶରେ ଯୋଡ଼ି ହେବ ପ୍ରାଚୀନ ଗୁମ୍ଫା

ବ୍ରହ୍ମପୁର: ରାଜ୍ୟ ସରକାର ଐତିହ୍ୟସମ୍ପନ୍ନ ପର୍ବତ ପର୍ଯ୍ୟଟନ କ୍ଷେତ୍ର ଜଉଗଡ଼ର ବିକାଶ ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟରେ ଐତିହାସିକ ପର୍ଯ୍ୟଟନର ବିକାଶ ସାଙ୍ଗକୁ ଐତିହ୍ୟ ସଂରକ୍ଷଣ ପ୍ରତି ଗୁରୁତ୍ଵ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏଥିପାଇଁ ଯୋଜନା କାର୍ଯ୍ୟକାରୀ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କ ଗସ୍ତ ପରେ ଜଉଗଡ଼ ବିକାଶ ଯୋଜନାକୁ ତ୍ବରାନ୍ବିତ କରାଯାଉଛି ।

ଦୀର୍ଘ ଦିନ ହେବ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା ( ଏଏସ୍‌ଆଇ ) ତତ୍ତ୍ଵାବଧାନରେ ଥିଲେ ମଧ୍ୟ ଏହି ସ୍ଥାନର ବିକାଶ ପ୍ରାୟତଃ ଶୂନ ଥିଲା । ଏବେ କିନ୍ତୁ ଏଠାକୁ ପର୍ଯ୍ୟଟକ , ଗବେଷକଙ୍କୁ ଟାଣି ଆଣିବାକୁ ପ୍ରସ୍ତୁତ ହେଉଛି ବିକାଶର ଡିପିଆର୍ ( ବିସ୍ତୃତ ପ୍ରକଳ୍ପ ରିପୋର୍ଟ ) । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମିଳିବ ଯାବତୀୟ ସୁବିଧା ସୁଯୋଗ ।

ଏଭଳି ସ୍ଥଳେ ଜଉଗଡ଼ ନିକଟରେ ଏକ ପ୍ରାଚୀନ ସମପା ସଭ୍ୟତା ବେଳର ଗୁମ୍ଫା ଠାବ ହେବା ଖୁସିର ଖବର । ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପୂର୍ବରୁ ଋଷିକୂଲ୍ୟା ନଦୀ ତଟରେ ଏହି ପ୍ରାଚୀନ ଅଧିବାସୀଙ୍କ ସଭ୍ୟତା ଗଢ଼ି ଉଠିଥିବା ଜଣାଯାଏ । ଏପରିକି ସେମାନେ ବସତି ଗଢି ଚାଷବାସ କରୁଥିଲେ । ସମ୍ରାଟ ଅଶୋକଙ୍କ ଶିଳାଲେଖ ନିମନ୍ତେ ପ୍ରସିଦ୍ଧ ଜଉଗଡ଼ ପର୍ବତ । ତା ନିକଟରେ ରହିଛି ଗୁପ୍ତେଶ୍ୱର ପୀଠ । ତା ପାଖରେ ଏହି ଗୁମ୍ଫାକୁ ଠାବ କରାଯାଇଛି ଯାହା ଏକକାଳୀନ ଶତାଧିକ ଲୋକଙ୍କୁ ଆଶ୍ରୟ ଦେଇପାରୁଥିଲା । ଗୁଗୁଡ଼ିକ କେମିତି ତିଆରି ହୋଇଥିଲା , କେଉଁମାନେ ଏଥିରେ ରହୁଥିଲେ ସେ ନେଇ ଅଧିକ ଗବେଷଣା ଆବଶ୍ୟକ ବୋଲି କହିଛନ୍ତି ପ୍ରତ୍ନତତ୍ତ୍ୱବିତ୍ ଡ . ସୁନୀଲ କୁମାର ପଟ୍ଟନାୟକ ।

Comments are closed.