ଭକ୍ତଙ୍କ ପାଇଁ ବାପ ଘରେ ବିରାଜିବେ ମା ’ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁର: ଭକ୍ତଙ୍କ ପାଇଁ ବାପ ଘର ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିରେ ବିରାଜିବେ ମା ’ ବୁଢ଼ୀ ଠାକୁରାଣୀ । ଆସନ୍ତା ମାସ ୯ ତାରିଖ ମଧ୍ୟରାତ୍ରରେ ଶାଶୂ ଘର ( ସ୍ଥାୟୀ ମନ୍ଦିର ) ଛାଡ଼ି ବାପ ଘରକୁ ଆସିବେ ଦେବୀ । ଅସ୍ଥାୟୀ ପୀଠରେ ଶ୍ରଦ୍ଧାଳୁଙ୍କୁ ଜାତି , ବର୍ଣ୍ଣ , ସମ୍ପ୍ରଦାୟ ନିର୍ବିଶେଷରେ ଦର୍ଶନ ଦେବେ । ବ୍ରହ୍ମପୁରର ପ୍ରସିଦ୍ଧ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ପାଇଁ ଏହି ଶୁଭ ତିଥି ନିର୍ଦ୍ଧାରିତ କରିଛନ୍ତି ସିଦ୍ଧାନ୍ତୀ । ଆଉ ସୋମବାର ମଧ୍ୟରାତ୍ରରେ ଏ ନେଇ ଶୁଭଖୁଣ୍ଟି ବିଧିବଦ୍ଧ ଭାବେ ସ୍ଥାପିତ ହୋଇଛି ।

ଚଳିତ ଥର କୋଭିଡ୍ ସଂକ୍ରମଣ ଆଶଙ୍କାରୁ ଯାତ୍ରା ଆୟୋଜନ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଥିଲା । ଏପରିକି ଗତ ୧୯ ତାରିଖରେ ପ୍ରଥମ ଥର ଶୁଭଖୁଣ୍ଟି ସ୍ଥାପନ ପାଇଁ ଧେଣ୍ଡୁରା ପିଟାଯାଇଥିବା ସତ୍ତ୍ବେ ଶେଷ ମୁହୂର୍ତ୍ତରେ ବିଧିକୁ ଘୁଞ୍ଚାଇ ଦିଆଯାଇ ଥିଲା । ତେବେ ସମସ୍ୟାର ସମାଧାନ ପରେ ସୋମବାର ରାତିରେ ରୀତିକାନ୍ତି ମୁତାବକ ବୈଠକ ବସିଥିଲା । ସିଦ୍ଧାନ୍ତୀ ଦେବୀଙ୍କ ବାପଘର ଆଗମନ ନେଇ ଶୁଭତିଥି ଆୟୋଜକ ଦେଶୀବେହେରା ପି.ଦୁର୍ଗାପ୍ରସାଦଙ୍କୁ ଦେଇଥିଲେ । ଏହା ପରେ ପରମ୍ପରା ମୁତାବକ ନୀଳମଣି ପୃଷ୍ଟିଙ୍କ ଘରୁ ଶୁଭଖୁଣ୍ଟି ଅଣାଯାଇ ଦେଶୀବେହେରା ସାହି ରେ ସ୍ଥାପିତ ହୋଇଥିଲା । ଏଥିସହ ଯାତ୍ରା ଆୟୋଜନ ନେଇ ସମସ୍ତ ଆଶଙ୍କା ଦୂରୀଭୂତ ହୋଇଛି । ତେବେ କୋଭିଡ କଟକଣାକୁ ମାନି ଆୟୋଜକ , ଭକ୍ତ , ପୂଜକ ସମସ୍ତେ ବ୍ରହ୍ମପୁରର ଆରାଧ୍ୟ ଦେବୀଙ୍କ ଯାତ୍ରାରେ ହର୍ଷୋଲ୍ଲାସର ସହ ସାମିଲ ହେବେ ।

ଏପ୍ରିଲ ୯ ତାରିଖ ( ଶୁକ୍ରବାର ) ରାତି ୯ଟାରେ ବାପା ( ଦେଶୀବେହେରା ) ଙ୍କ ଘରୁ ମା’ଙ୍କ ଶାଶୁ ଘର ( ମୂଳ ମନ୍ଦିର ) ରେ ନିମନ୍ତ୍ରଣ ପହଞ୍ଚିବ । ଠାକୁରାଣୀଙ୍କ ଆଜ୍ଞା ମାଳ ମିଳିବା ପରେ ସେଠୁ ଦେବୀଙ୍କ ପଟୁଆର ବାହାରି ଭୋର୍ ୪ଟା ସୁଦ୍ଧା ଦେଶୀବେହେରା ସାହିରେ ପହଞ୍ଚିବ ବୋଲି ଧାର୍ଯ୍ୟ କରିଛନ୍ତି କୁଳସିଦ୍ଧାନ୍ତୀ ବି . ବାସୁଦେବ ଶାସ୍ତ୍ରୀ ।

Comments are closed.