କରୋନା ପ୍ରକୋପ: ୨୪ ଘଣ୍ଟାରେ ଆଉ ୫୯ ହଜାର ମାମଲା, ଅକ୍ଟୋବର ପରେ ସର୍ବାଧିକ, ସକ୍ରିୟ ମାମଲା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପ୍ରତିଦିନ ସଂକ୍ରମଣ ନୂଆ ସ୍ତରକୁ ଛୁଇଁବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ଦୈନିକ ମାମଲାରେ ୧୦% ବୃଦ୍ଧି ଘଟିଛି । ଦେଶରେ ଆଉ ୫୯,୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା କି ଅକ୍ଟୋବର ୧୮ ପରେ ସର୍ବାଧିକ । ନୂଆ ସଂକ୍ରମିତଙ୍କ ସଂଖ୍ୟା ସହ ଭାରତରେ ମୋଟ ମାମଲା ୧,୧୮,୪୬,୬୫୨କୁ ବୃଦ୍ଧି ପାଇଛି । ଭାରତରେ ଶେଷଥର ଅକ୍ଟୋବର ୧୮ରେ ୬୧,୮୭୧ ମାମଲା ଆସିଥିଲା ।

ଦିନକରେ ଦେଶରେ ଏହି ମହାମାରୀ ଯୋଗୁଁ ଆଉ ୨୫୭ ଜଣ ଲୋକଙ୍କକ ମୃତ୍ୟୁ ହୋଇଛି । ଏଥିସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ୧ ଲକ୍ଷ ୬୦ ହଜାର ୯୪୯ରେ ପହଞ୍ଚିଛି । କରୋନାରୁ ଏଯାବତ୍ ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଭାରତରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ଦେଶରେ ୪ ଲକ୍ଷ ୨୧ ହଜାର ୬୬ ସକ୍ରିୟ କରୋନା ରୋଗୀ ଅଛନ୍ତି ।

ମହାରାଷ୍ଟ୍ରରେ ସ୍ଥିତି ଚିନ୍ତାଜନକ ହୋଇଛି । ଦେଶର ଦୈନିକ ମାମଲାର ୬୦% ରୋଗୀ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩୫,୯୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ପଞ୍ଜାବ, ଗୁଜରାଟ, କର୍ଣ୍ଣାଟକ, ଛତିଶଗଡ଼, କେରଳ ଭଳି ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢ଼ୁଛି ।

Comments are closed.