କଟକରେ ମୁଖ୍ୟମନ୍ତ୍ରୀ: ଗାନ୍ଧି ଓ ଗୋପବନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି ଓ ଗାନ୍ଧିଜୀଙ୍କ ମ୍ୟୁରାଲ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ କଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କ୍ୟାଂଟନମେଂଟ୍ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ମାନବିକତାର ଏହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ ମାନବତାର କଥା ଆସିଲେ ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ । ଗୋପବନ୍ଧୁ ମାନବତାର ମହାନ ଉଦଗାତା ଥିଲେ । ସେ ଯୁଗ ଯୁଗ ଧରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ଶତବାର୍ଷିକୀର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ କାଠେଯାଡିରେ ବେଲେଭ୍ୟୁ ଛକରେ ନିର୍ମିତ ଗାନ୍ଧି ସ୍ଥାପତ୍ୟ କଳାର ଲୋକାର୍ପଣ କରିଛନ୍ତି । ଏଥିରେ ଗାନ୍ଧିଜୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବେ ପ୍ରସ୍ଫୁଟିତ ହୋଇଛି ।
ଗାନ୍ଧିଜୀ ୧୯୨୧ରୁ ୧୯୪୬ ମଧ୍ୟରେ ମୋଟ ୮ ଥର ଓଡିଶା ଆସିଥିଲେ । ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ । ଅହିଂସାର ପୂଜାରୀ ଭାବେ ମହାତ୍ମା ଗାନ୍ଧି ସାରାବିଶ୍ୱକୁ ନୂଆ ଦିଗଦର୍ଶନ ଦେଇଯାଇଛନ୍ତି । ଆଜିର ଦୁନିଆରେ ଏହାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାବ୍ଦୀର ଦୁଇ ମହାପୁରୁଷ ଗାନ୍ଧି ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , କଟକ ସାଂସଦ ଭତ୍ତ୍‌ୃହରି ମହତାବ, ସାଂସଦ ସୁବାସ ସିଂହଙ୍କ ସମେତ କଟକ ଜିଲ୍ଲାର ସବୁ ବିଧାୟକ ଓ ଗଣ ସମାଜ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Comments are closed.