ଫ୍ରାନ୍ସ ଗଣମାଧ୍ୟମର ଦାବି, ରାଫେଲ ଡିଲ୍‌ରେ ହୋଇଛି ଲାଞ୍ଚ କାରବାର; ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଜବାବ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ – ପୁଣି ଉଠିଛି ରାଫେଲ ପ୍ରସଙ୍ଗ । ରାଫେଲ କିଣାରେ ଲାଞ୍ଚକାରବାର ହୋଇଥିବା ନେଇ ଫ୍ରାନ୍ସର ଏକ ୱେବସାଇଟ ଦାବି କରିଛି । ରାଫେଲର ନିର୍ମାତା ‘ଡାସଲ୍ଟ’ ତରଫରୁ ଜଣେ ମଧ୍ୟସ୍ଥିକୁ ୧.୧ ନିୟୁତ ୟୁରୋ ଲାଞ୍ଚ ଦିଆଯାଇଥିଲା ବୋଲି ଉକ୍ତ ୱେବସାଇଟ୍ କହିଛି । ଏହି ଖୁଲାସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ଫ୍ରାନ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ମୋଦି ଜବାବ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସ କହିଛି ଯେ, ଶେଷରେ ରାଫେଲ ଡିଲର ସତ୍ୟତା ସାମ୍ନାକୁ ଆସିଯାଇଛି ।

ମୋଦି ସରକାର ଉପରେ ଆକ୍ରମଣକୁ ଜୋରଦାର କରି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା କହିଛନ୍ତି ଯେ ରାଫେଲ୍ ଡିଲରେ ଦଳୀୟ ନେତା ରାହୁଲ ଗାନ୍ଧି ଆଗରୁ ଯେଉଁ ଦୁର୍ନୀତି ଅଭିଯୋଗ କରୁଥିଲେ, ତାହା ଆଜି ପ୍ରମାଣିତ ହୋଇଛି । ରାଫେଲ ଡିଲ୍ ଦୁଇ ସରକାର ମଧ୍ୟରେ ବୋଲି ପ୍ରଧାନମନ୍ତ୍ରୀ କହୁଥିବା ବେଳେ ଏଥିରେ ମଧ୍ୟସ୍ଥି କୁଆଡେ ଆସିଲା ବୋଲି ସୁର୍ଜେୱାଲା ପ୍ରଶ୍ନ କରିଛନ୍ତି ।

ଫ୍ରାନ୍ସ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଫେଲ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏଥିରେ ମଧ୍ୟସ୍ଥି ଭୂମିକା ତୁଲାଇଥିବା ଏକ ଭାରତୀୟ କମ୍ପାନୀ ‘ଡେପସିସ୍ ସଲ୍ୟୁସନ୍ସ’କୁ ରାଫେଲ ନିର୍ମାତା ‘ଡସଲ୍ଟ’ ତରଫରୁ ୧.୧ ନିୟୁତ ୟୁରୋ ଲାଞ୍ଚ ଦେଇଥିଲା । ଫ୍ରାନ୍ସର ଦୁର୍ନୀତି ନିବାରଣ ସଂସ୍ଥା (ଏଏଫ୍‌ଏ)ର ତଦନ୍ତରେ ମଧ୍ୟ ଏହି ଡିଲ୍‌ରେ ଲାଞ୍ଚ କାରବାର ହୋଇଥିବା ସ୍ପଷ୍ଟ ହୋଇଛି ।

ଫ୍ରାନ୍ସ ୱେବସାଇଟର ଖୁଲାସା ପରେ ରାଫେଲ ଡିଲ୍‌ରେ ହୋଇଥିବା ଦୁର୍ନୀତିର ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ ବୋଲି କଂଗ୍ରେସ କହିଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଜବାବ ଦେବା ଉଚିତ ବୋଲି ସୁର୍ଜେୱାଲା କହିଛନ୍ତି ।

Comments are closed.