କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପଶ୍ଚିମ ଓଡିଶା ଗସ୍ତରେ ଯିବେ ସିଏସ ଓ ଏସିଏସ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୧୦ ଦିନିଆ ପୋଲିସ ଅଭିଯାନ ଆରମ୍ଭ ହେବ । ନିୟମ ନ ମାନିଲେ ଅମାନିଆଙ୍କୁ ସାବାଡ୍ କରାଯିବ । କୋଭିଡ ନିୟମ ପାଳନର ତଦାରଖ ପାଇଁ ଅଧିକ ସଂଖ୍ୟାରେ ପୋଲିସ ନିୟୋଜିତ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ସଚେତନତାରେ ପଂଚାୟତ ପ୍ରତିନିଧି ନିୟୋଜିତ ହେବେ । ମିଶନ ଶକ୍ତି ମହିଳାମାନେ ବି କୋଭିଡ ସଚେତନତାରେ ନିୟୋଜିତ ହେବେ । ପଶ୍ଚିମ ଓଡିଶାରେ ଅଧିକ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପଶ୍ଚିମ ଓଡିଶା ଗସ୍ତ କରିବେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ସଚେତନତା କ୍ୟାମ୍ପେନ ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରାଯାଇଥିଲା । ଦ୍ୱିତୀୟ ଲହରର ମୁକାବିଲାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.