ପିପିଲି ଲଢେଇ : ତିନି ଦଳର ପ୍ରସ୍ତୁତି ଜୋରଦାର, ବିଜେଡିର ପଲ୍ଲା ଭାରି

ପିପିଲିରେ ଚାଲିଛି ଏବେ ନିର୍ବାଚନୀ ଘମାଘୋଟ। ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିଥିବା ଏହି ବିଧାନସଭା ଆସନରେ ଏବେ ଭୋଟ ଯୁଦ୍ଧ ଆଗେଇ ଚାଲିଛି । ରଣାଙ୍ଗନରେ ଯଦିଓ ଅନେକ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି, ତେବେ ରାଜ୍ୟର ଶାସକ ଦଳ ବିଜେଡିର ପ୍ରାର୍ଥୀ ସାଜିଛନ୍ତି ସ୍ବର୍ଗତ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ବିଜେପି ଓ କଂଗ୍ରେସ ନିଜ ନିଜର ଗତଥରର ପରାଜିତ ପ୍ରାର୍ଥୀ ଦ୍ବୟ ଯଥା ଆଶ୍ରିତ ପଟ୍ଟନାୟକ ଆଉ ଅଜିତ ମଙ୍ଗରାଜଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟର ପ୍ରମୁଖ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀର ଏକ ବିଧାନସଭା କ୍ଷେତ୍ର ଯାହା ଗତ ଦୁଇ ଦଶନ୍ଧି ଧରି ଅବିଚ୍ଛିନ୍ନ ଭାବେ ବିଜେଡି ହାତରେ ରହି ଆସିଛି ଏଥର ବି ସେହି ଧାରାକୁ ବଜାୟ ରଖିବ ତାହା ପୂର୍ବାନୁମାନ କରାଯାଉଛି । ବିପକ୍ଷ ପ୍ରାର୍ଥୀଙ୍କ ଦଳଗତ ବିଶ୍ବସନୀୟତା, ବାପାଙ୍କ ଲିଗାସୀକୁ ଆଗେଇ ନେବାକୁ ଉଦ୍ୟତ ପୁତ୍ର ରୁଦ୍ର ମହାରଥୀଙ୍କ ପ୍ରତି ଅନୁକମ୍ପା ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ନିଜକୁ ଯୋଡ଼ି କରି ରଖିବା ପାଇଁ ପିପିଲିବାସୀ ଯେ ପୁଣି ଶଙ୍ଖନାଦ କରିବେ ବୋଲି ଆକଳନ କରାଯାଉଛି । ପୂର୍ବଥରର ପରାଜିତ ପ୍ରାର୍ଥୀ ପୁଣି ମତଦାତାଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବେ ବୋଲି ମତ ଦେଉଛନ୍ତି ରାଜନୈତିକ ବିଶ୍ଲେଷକ ।

୧୯୫୧ରେ ପିପିଲି ବିଧାନସଭା କ୍ଷେତ୍ରର ସୃଷ୍ଟି। ପିପିଲି ଓ ଡେଲାଙ୍ଗ ଦୁଇଟି ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନୀ କ୍ଷେତ୍ରର ମତଦାତା ସଂଖ୍ୟା ୧ ଲକ୍ଷ ୭ ହଜାର ୧୬୨ । ଏଯାବତ୍ ୧୬ ଥର ଏଠି ବିଧାନସଭା ନିର୍ବାଚନ ହୋଇସାରିଲାଣି । ଏବେ ସପ୍ତଦଶ ଥର ସକାଶେ ପିପିଲିବାସୀ ନିର୍ବାଚନୀ ଘମାଘୋଟର ସମ୍ମୁଖୀନ ହେଉଛନ୍ତି । ଯଦି ଇତିହାସ ଉପରେ ନଜର ପକାଯାଏ ତେବେ ଏଯାବତ କଂଗ୍ରେସ ଓ ଅଣକଂଗ୍ରେସ ଦଳ ମଧ୍ୟରେ ସମାନ ଥର ବଣ୍ଟା ହୋଇଛି ଏହି ବିଧାନସଭା କ୍ଷେତ୍ର। ଆରମ୍ଭରୁ ୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସ ଏଠି ପରାଜୟ ସହ ବିଜୟର ସ୍ବାଦ ପାଇଥିଲା । ୧୯୫୧, ୧୯୫୭, ୧୯୬୧, ୧୯୬୭ (ଜନ କଂଗ୍ରେସ), ୧୯୭୧, ୧୯୭୪, ୧୯୮୦ (କଂଗ୍ରେସ- ଆଇ) ଓ ଶେଷ ଥର ପାଇଁ ୧୯୯୫ରେ ଜିତିଥିଲା ହାତ ଚିହ୍ନ। ତେବେ ଜନତା ପାର୍ଟି ୧୯୭୭ ଓ ୧୯୮୫, ଜନତା ଦଳ ୧୯୯୦ରେ ବିଜୟ ଲାଭ କରିଥିଲା। କିନ୍ତୁ ୨୦୦୦ ମସିହା ପର ଠାରୁ ଏହି ଆସନରେ ବିଜେଡିର ବିଜୟ ପତାକା ଉଡ଼ି ଆସୁଛି।

୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ମଧ୍ୟ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ମହାରଥୀଙ୍କୁ ହିଁ ନିଜ ଜନପ୍ରତିନିଧି ଭାବେ ବାଛି ଆସିଛନ୍ତି ପିପିଲିବାସୀ। ଲଗାତର ୫ ଥର ପ୍ରଦୀପ ହିଁ ହୋଇଥିଲେ ପିପିଲିର ବିଧାୟକ। କେବଳ ଏତିକି ନୁହେଁ ଏହା ପୂର୍ବରୁ ୧୯୮୫ ଓ ୧୯୯୦ରେ ମଧ୍ୟ ପିପିଲିର ମତଦାତା ମହାରଥୀଙ୍କ ପଛରେ ମଜବୁତ ଭାବେ ଠିଆ ହୋଇ ରହିଥିଲେ। ୧୯୯୫ରେ ସ୍ବଳ୍ପ ବ୍ୟବଧାନ ହେତୁ ଦ୍ବିତୀୟ ସ୍ଥାନରେ ରହି ଯାଇଥିଲେ ସ୍ବର୍ଗତ ମହାରଥୀ। ତେବେ ରାଜନୈତିକ ପଣ୍ଡିତଙ୍କ ଆକଳନ କହେ ଯେ- ଏଥର ବି ପିପିଲିର ଭୋଟର ଜୁନିଅର ମହାରଥୀ (ପ୍ରଦୀପଙ୍କ ପୁତ୍ର ରୁଦ୍ର)ଙ୍କୁ ହିଁ ନିଜର ବିଧାୟକ ବାଛିବାକୁ ଅଧିକ ପସନ୍ଦ କରିପାରନ୍ତି। ପ୍ରଥମତଃ ସ୍ୱର୍ଗତ ମହାରଥୀଙ୍କ ବିୟୋଗରେ ତାଙ୍କ ପୁଅଙ୍କୁ ବିଧାୟକ ଭାବେ ଜିତାଇ ନିଜ ଅନୁକମ୍ପାମୂଳକ ସମର୍ଥନ ଜ୍ଞାପନ କରିପାରନ୍ତି ପିପିଲି ଓ ଡେଲାଙ୍ଗ ଅଞ୍ଚଳର ବାସିନ୍ଦା । ଦ୍ବିତୀୟତଃ ପୂର୍ବରୁ ରହି ଆସିଥିବା ଲଗାତାର ବିଜେଡିର ବିଜୟ ଧାରାକୁ ଏଥର ବି ଏହି ବିଧାନସଭା କ୍ଷେତ୍ରରେ ଭୋଟର ଅକ୍ଷୁର୍ଣ୍ଣ ରଖିବା ଆଶା କରାଯାଉଛି। ଏଣୁ କୁହାଯାଇପାରେ ଯେ ଏଥରର ବିଜୟ ସହ ପିପିଲି ବିଧାନସଭା ଆସନରେ ଅଣକଂଗ୍ରେସ ଦଳର ବିଜୟ ହାର ଉପରମୁହାଁ ହୋଇପାରେ। ଲଗାତର ଷଷ୍ଠ ଥର ପାଇଁ ବିଜେଡିକୁ ହିଁ ଏଠିକାର ମତଦାତା ବିଜୟର ମୁକୁଟ ପିନ୍ଧାଇବା ଆକଳନ କରାଯାଉଛି।

ଏବେ ଟିକେ ନଜର ପକାଇବା ବିପକ୍ଷ ପ୍ରାର୍ଥୀଙ୍କ ଉପରେ । ବିଜେପିରୁ ଲଢୁଥିବା ଆଶ୍ରିତ ପଟ୍ଟନାୟକ ୨୦୧୯ରେ ପଦ୍ମ ଚିହ୍ନରୁ ଲଢୁଥିଲେ ତ ୨୦୧୪ରେ ଥିଲେ ସ୍ୱାଧୀନ ପ୍ରାର୍ଥୀ । ବିଜେପି ୨୦୧୪ରେ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ପ୍ରାର୍ଥୀ କରିଥିଲା ଯେକି ଚତୁର୍ଥ ସ୍ଥାନରେ ରହିଥିଲେ । ୨୦୦୯ରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ଅଜିତ ମଙ୍ଗରାଜ ଯେକି ମାତ୍ର ୭.୩୯ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଆଉ ଅଜିତ ଦଳବଦଳ କରି ୨୦୧୯ ଓ ବର୍ତ୍ତମାନ ମଧ୍ୟ କଂଗ୍ରେସ ଦଳର ପ୍ରାର୍ଥୀ ସାଜିଛନ୍ତି । ବିପକ୍ଷ ପ୍ରାର୍ଥୀଙ୍କ ଦଳଗତ ବିଶ୍ୱସନୀୟତା ସେମାନଙ୍କ ବିରୋଧରେ ଆହ୍ବାନ ହେବ। ୨୦୦୯ କୁହନ୍ତୁ ଅବା ୨୦୧୯, ଅଜିତ ମଙ୍ଗରାଜ ପିପିଲିର ଭୋଟଦାତାଙ୍କ ବିଶ୍ୱାସଭାଜନ ହେବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି । ଅପରପକ୍ଷରେ ଆଶ୍ରିତ ପଟ୍ଟନାୟକଙ୍କ ଭୋଟ ବୃଦ୍ଧି ପାଇଛି, ତେବେ ଏହା ତାଙ୍କର ନୁହେଁ, ତାଙ୍କ ଦଳର ବୋଲି କୁହାଯାଉଛି । କିନ୍ତୁ ଅତୀତର ଫଳାଫଳରୁ ବିଜେପି ଯେ ପିପିଲି ମାଟିରେ ବିଜୟର ମୁକୁଟ ପିନ୍ଧିବ, ସେ ସନ୍ଦେହ ରହିଛି। ଉଭୟ ପୁରୀ ଲୋକସଭା କୁହନ୍ତୁ ବା ପିପିଲି ବିଧାନସଭା ଆସନ, ଗତ ଦୁଇ ଦଶନ୍ଧିରୁ ଅଧିକ କାଳ ବିଜେଡିକୁ ହିଁ ନିଜ ସମର୍ଥନ ଜ୍ଞାପନ କରି ଆସିଛନ୍ତି ମତଦାତା। ଏହି ଲୋକସଭା ଅନ୍ତର୍ଗତ ୭ରୁ ୫ଟି ବିଧାନସଭା କ୍ଷେତ୍ରରେ ଗତ ନିର୍ବାଚନରେ ବିଜେଡିର ବିଜୟ ଶଙ୍ଖନାଦ ଶୁଣିବାକୁ ମିଳିଛି। ଆଉ ଏଥିର ବି ପିପିଲିରେ ସେହି ବିଜୟନାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି କରିବ ସେହି ଆଶା କରାଯାଇପାରେ।

ଅପରପକ୍ଷରେ ବିଜେଡି ଲଗାତାର ଭାବେ ମହାରଥୀ ପରିବାରକୁ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ଯାହାକୁ ଶ୍ରଦ୍ଧାରେ ମଧ୍ୟ ଗ୍ରହଣ କରିଛନ୍ତି ସ୍ଥାନୀୟ ମତଦାତା। ଏକଥା ଖୋଦ୍ ନିର୍ବାଚନୀ ରେକର୍ଡ ଦର୍ଶାଉଛି। ୨୦୦୦ ମସିହାରେ ପ୍ରଦାପ ମହାରଥୀ ୬୧୪୪୭, ୨୦୦୪ରେ ୬୫୦୩୯, ୨୦୦୯ରେ ୭୪୧୧୨, ୨୦୧୪ରେ ୮୨୫୫୦ ଓ ଗତ ଥର ବିଧାନସଭା ନିର୍ବାଚନରେ ୮୮୫୧୮ ଭୋଟ ପାଇଛନ୍ତି । ଅର୍ଥାତ୍‌ ପ୍ରତିଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦର ବିଜେଡି ପ୍ରାର୍ଥୀଙ୍କ ପ୍ରତି ନିଜ ଆସ୍ଥା, ସମର୍ଥନ ଅଧିକ ଢାଳିଛନ୍ତି ପିପିଲି ବାସିନ୍ଦା।

ଯୁବ ପ୍ରାର୍ଥୀ ଭାବେ ନୂଆ ଚେହେରା ହେଲେ ହେଁ ରୁଦ୍ର ପିପିଲି ଅଞ୍ଚଳବାସୀଙ୍କ ପାଇଁ ଅପରିଚିତ ନୁହଁନ୍ତି। ତଥାପି ନିର୍ବାଚନ ମଇଦାନରେ ରୁଦ୍ରଙ୍କ ବିଜୟ ରଥର ସାରଥୀ ସାଜିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପେକ୍ଷାକୃତ ନବାଗତ ବିଜେଡିର ଏହି ଆଶାୟୀଙ୍କ ପାଇଁ ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ନିବେଦନ କରିବେ ସେ । ପିପିଲିବାସୀଙ୍କୁ ପୁଣି ଆଶ୍ୱସ୍ତ କରିବେ ଯେ ବିଜେଡି ପ୍ରତି ସେମାନଙ୍କ ପ୍ରତିଟି ଭୋଟ ଅଞ୍ଚଳର ବିକାଶରେ ଗୋଟିଏ ଗୋଟିଏ ମୂଲ୍ୟବାନ ଯୋଗଦାନ ହେବ । ନିକଟରେ ରାଜ୍ୟରେ ବିକାଶର ଧାରାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିଥିବା ନବୀନ ପଟ୍ଟନାୟକ ଯେ ପିପିଲିରେ ମଧ୍ୟ ପ୍ରଗତିର ମହୋଦଧିକୁ ସ୍ପର୍ଶ କରାଇବେ ତାହା ନିଶ୍ଚିତ କରିବାକୁ ପିପିଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେବେ।ଏଣୁ ସାମନାରେ ଯିଏ ଥାଉ ପଛେ କାହିଁକି ପିପିଲି ମହାଭାରତରେ ଯେ ବିଜେଡିର ବିଜୟ ଧ୍ବଜା ଉଡିବ ତାହା ଅନୁମାନ କରିବା କଷ୍ଟକର ନୁହେଁ ।

Comments are closed.