କୋଭିଡ୍‌-୧୯ ଭ୍ୟାକ୍ସିନ ଉପରେ ଉଠିଲା ପ୍ରଶ୍ନ, ଡବଲ ଡୋଜ୍ ନେବା ସତ୍ତ୍ୱେ ୪୦ ଡାକ୍ତର ପଜିଟିଭ୍

ଲକ୍ଷ୍ନୌ – ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଗତିରେ ମାଡ଼ି ଚାଲିଛି । ଟିକାକରଣ ଚାଲିଥିଲେ ବି ନୂଆ ମାମଲା କ୍ରମାଗତ ଭାବେ ବଢ଼ୁଛି । ଫଳରେ କରୋନା ଭାଇରସ ଉପରେ ଟିକାର ପ୍ରଭାବ ନେଇ ପ୍ରଶ୍ନ ଉଠିଛି । ଲକ୍ଷ୍ନୌର ପ୍ରସିଦ୍ଧ କିଙ୍ଗ ଜର୍ଜସ୍ ମେଡିକାଲ ୟୁନିଭର୍ସିଟି (କେଜିଏମ୍‌ୟୁ)ର ୪୦ ଡାକ୍ତର ଟିକା ନେବା ସତ୍ତ୍ୱେ କରୋନା ପଜିଟିଭ୍ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କେଜିଏମ୍‌ୟୁର କୁଳପତି ଓ ଅଧୀକ୍ଷକ ବି ଅଛନ୍ତି ।

ସଂକ୍ରମିତ ହୋଇଥିବା ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ କୋଭିଡ୍‌-୧୯ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ । ତଥାପି ସେମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି କେଜିଏମ୍‌ୟୁର ଡାକ୍ତର ସନ୍ଦୀପ ତିୱାରୀ କହିଛନ୍ତି ।

ସର୍ଜରୀ ବିଭାଗର ୨୦, ୟୁରୋଲୋଜିର ୯ ଏବଂ ମେଡିସିନ ବିଭାଗର ୩ ଜଣ ଡାକ୍ତରଙ୍କ କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଥିବା କେଜିଏମ୍‌ୟୁ ପକ୍ଷରୁ ସୂଚନା ଦିଆଯାଇଛି । ଏତେ ସଂଖ୍ୟକ ଡାକ୍ତର କରୋନା ସଂକ୍ରମିତ ହେବା ପରେ କେଜିଏମ୍‌ୟୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି । କାରଣ ସଂକ୍ରମିତ ଡାକ୍ତର ମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସଂସ୍ପର୍ଶରେ ଆସିଥିଲେ । ସମ୍ପୃକ୍ତ ବିଭାଗରେ ଚିକିତ୍ସିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.