ଚୀନରେ ବଡ଼ ଧରଣର ଭୂକମ୍ପ, ୧୧୧ ମୃତ

ବେଜିଂ: ଉତ୍ତର-ପଶ୍ଚିମ ଚୀନ୍‌ରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨୦ ଜଣ ଆହତ ହୋଇଛନ୍ତି। ଚୀନ୍‌ର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି।

ଗତକାଲି ମଧ୍ୟରାତ୍ରିରେ ଗାଂସୁ ପ୍ରଦେଶରେ ଏହି ଭୂକମ୍ପ ଆସିଥିଲା । ଭୂକମ୍ପ ଯୋଗୁଁ ଗାଂସୁ ଓ ପଡ଼ୋଶୀ କିଙ୍ଘାଇ ପ୍ରଦେଶରେ ଅନେକ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ୍) ସୂଚନା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ଥିବାବେଳେ ଗଭୀରତା ୧୦ କିଲୋମିଟର ଥିଲା ।

ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ମଙ୍ଗଳବାର ସକାଳୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ଗଣମାଧ୍ୟମ ସଂସ୍ଥା ଜିନହୁଆ ମୁତାବକ, ଗାଂସୁରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୬ ଜଣ ଆହତ ହୋଇଛନ୍ତି । କିଙ୍ଘାଇରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୧୨୪ ଜଣ ଆହତ ହୋଇଛନ୍ତି। ଏହି ଦୁଇ ପ୍ରଦେଶରେ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି।

ଚୀନ୍ ଏକ ଭୂକମ୍ପ ପ୍ରବଣ କ୍ଷେତ୍ରରେ ଅବସ୍ଥିତ ଯେଉଁଠି ଅନେକ ଟେକ୍ଟୋନିକ୍ ପ୍ଲେଟ୍ – ବିଶେଷକରି ୟୁରାସିଆନ୍, ଭାରତୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ପ୍ଲେଟ୍ ମିଶିଥାଏ । ଫଳସ୍ବରୂପ ଏହି ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ସମ୍ଭାବନା ରହିଥାଏ ।

ଗତ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶରେ ମଧ୍ୟ ୬.୬ ତୀବ୍ରତାର ଭୂକମ୍ପ ଯୋଗୁଁ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

Comments are closed.