ବିନା ଟିକାରେ ଟିକା ଉତ୍ସବ କେମିତି ହେବ ?

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ରୂପ ଧାରଣ କରି ମାଡି ଚାଲିଛି । ଏହାର ମୁକାବିଲା ପାଇଁ ଟିକାକରଣକୁ ବ୍ୟାପକ କରିବାକୁ ଗତକାଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି  ହେଲେ ଟିକା ଅଭାବରୁ ଓଡିଶା ସମେତ ଦେଶବ୍ୟାପି ବହୁ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି । ଏଭଳି ସ୍ଥିତିରେ ଟିକା ଉତ୍ସବ କେମିତି ହେବ ବୋଲି ଏବେ ସବୁ ମହଲରେ ପ୍ରଶ୍ନ ଉଠିଛି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଦେଶରେ ଟିକାର ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ହେବା ପୂର୍ବରୁ କେନ୍ଦ୍ର ସରକାର ଅନ୍ୟ ଦେଶକୁ ଟିକା ଯୋଗାଇ ସଂକଟକୁ ବଢାଇ ଦେଇଛନ୍ତି ।

ପଡୋଶୀ ଛତିଶଗଡ ପାଇଁ ଓଡିଶାରେ ବର୍ତମାନ ସଂକ୍ରମଣ ପୁଣି ଆକାଶଛୁଆଁ ହେଲାଣି । ଏଭଳି ସ୍ଥିତିରେ ଟିକାକରଣକୁ ବ୍ୟାପକ କରିବା ଜରୁରୀ ହୋଇପଡିଛି । ହେଲେ ଏଥିରେ ଟିକା ଅଭାବ ସମସ୍ୟା ଭାବେ ଉଭା ହୋଇଛି । ଚଳିତ ଅପ୍ରେଲ ପହିଲାରୁ ଦୈନିକ ୨ ଲକ୍ଷ ଟିକା ଦେବାକୁ ଯୋଜନା କରିଥିଲେ । କିଛିଦିନ ଧରି ପ୍ରତିଦିନ ୨ ଲକ୍ଷ ପର୍ଯ୍ୟନ୍ତ ଟୀକା ଦାନ ଚାଲିଥିଲା । ହେଲେ ମାତ୍ର ସପ୍ତାହେ ବି ଏହି ହାରରେ ଟିକାଦାନ ହୋଇପାରିଲା ନାହିଁ । ବର୍ତମାନ ସବୁଠି ଟିକା ଅଭାବ ଯୋଗୁଁ ରାଜ୍ୟବ୍ୟାପି ଅଧିକାଂଶ କେନ୍ଦ୍ର ବନ୍ଦ ହେଲାଣି ।
ଏପରିକି ଟିକା ଅଭାବରୁ ସୋନପୁର ଏବଂ କୋରାପୁଟରେ ଟିକାକରଣ ଶୁକ୍ରବାର ଠାରୁ ବନ୍ଦ ରହିଛି ।

ଅପ୍ରେଲ ୧ ତାରିଖରେ ରାଜ୍ୟରେ ୩୯୪ ଜଣ ଆକ୍ରାନ୍ତ ଥିବା ବେଳେ ୨ ଲକ୍ଷ ୩ ହଜାର ୧୬୨ ଜଣଙ୍କୁ ଟିକା ଦିଆଯାଇଥିଲା । ସେହିପରି ଅପ୍ରେଲ ୨ ରେ ୨ ଲକ୍ଷ ୫୨ ହଜାର ୦୮୦, ୩ ରେ ୨ ଲକ୍ଷ ୭୧ ହଜାର ୪୮୦ ଜଣଙ୍କୁ ଟିକାଦାନ କରାଯାଇଥିଲା । କିନ୍ତୁ ଟିକା ଅଭାବରୁ ଏହା ଗତକାଲି ସୁଦ୍ଧା ମାତ୍ର ୧ ଲକ୍ଷ ୩୨ ହଜାର ୮୭୨କୁ ଖସି ଆସିଲାଣି । ସ୍ବଳ୍ପ ଯୋଗାଣ ମଧ୍ୟରେ ବି ଓଡିଶାରେ ଗତକାଲି ସୁଦ୍ଧା ୩୯, ୮୪, ୮୭୮ ଜଣଙ୍କୁ ଟିକାଦାନ ସରିଛି ।

ଆଉ ଆଜି ସୋନପୁର ଓ କୋରାପୁଟରେ ଟିକାଦାନ ସଂପୂର୍ଣ ବନ୍ଦ ହୋଇଯାଇଛି । ଆଉ ୨ ଦିନରେ ଟିକା ଯୋଗାଣ ନ ହେଲେ ସାରା ରାଜ୍ୟରେ ଟିକାଦାନ ବନ୍ଦ ହେବା ନିଶ୍ଚିତ ବୋଲି ଆଶଙ୍କା ସୄଷ୍ଟି ହୋଇଛି । ଏଭଳି ସ୍ଥିତିରେ ଗତକାଲି ପ୍ରଧାନମନ୍ତ୍ରୀ ଆସନ୍ତା ୧୧ରୁ ୧୪ ତାରିଖ ଯାଏ ଟିକା ଉତ୍ସବ ପାଇଁ ଆହ୍ବାନ ଦେବା ହାସ୍ୟାଷ୍ପଦ ବୋଲି ମତପ୍ରକାଶ ପାଇଛି । ତେବେ ଆସନ୍ତା ୧୦ ଦିନ ପାଇଁ ଟିକା ଥରକରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ  ଦାବି କରିଛନ୍ତି ।

ସେପଟେ, ଟିକା ଯୋଗାଇବାରେ ବିଫଳ କେନ୍ଦ୍ର ଏବେ ଟିକା ଉତ୍ସବ ପାଇଁ ଆହ୍ବାନ ଦେଇ କଟା ଘାରେ ଚୂନ ସଦ୍ରୁଶ ବୋଲି ବିଶିଷ୍ଟ ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ କହିଛନ୍ତି । ଲୋକେ ଟିକା ନ ପାଇ ଟିକାଦାନ କେନ୍ଦ୍ରରୁ ନିରାଶ ହୋଇ ଫେରୁଥିବା ବେଳେ ଉତ୍ସବ କାହା ସ୍ବାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଟିକାର ଅଭାବ ନାହିଁ ବୋଲି ବାରମ୍ବାର କହୁଛନ୍ତି । କିନ୍ତୁ ଓଡିଶା ସରକାର ସପ୍ତାହେ ହେଲା ଏଥିପାଇଁ ପାଇଁ ଚିଠି ଲେଖୁଥିଲେ ବି ଏଯାଏଁ କିଛି ସୁଫଳ ମିଳିନାହିଁ । ଏପଟେ ଟିକା ଉତ୍ସବ ନାଁରେ ମୋଦି ତୁଚ୍ଛା ରାଜନୀତି କରୁଛନ୍ତି ବୋଲି ଶ୍ରୀ ନନ୍ଦ କରିଛନ୍ତି ।

ଏଯାଏଁ ବରିଷ୍ଠ ନାଗରିକ ମାନଙ୍କୁ ଠିକ ଭାବେ ଦ୍ୱିତୀୟ ଡୋଜ ମିଳିନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଆହ୍ବାନ ହାସ୍ୟାସ୍ପଦ ବୋଲି କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଜୟନ୍ତ କୁମାର ମହାପାତ୍ର । ଟିକାକରଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟିକା ଓଡିଶାକୁ ମିଳିବା ଆବଶ୍ୟକ ଏବଂ କେନ୍ଦ୍ର ସରକାର ପ୍ରହସନ ଛାଡି ଟିକା ଯୋଗାଣ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି ।

କୋଭିଡ ମୁକାବିଲାରେ ସଫଳତା ଭଳି ଟିକାକରଣରେ ବି ରାଜ୍ୟ ସରକାର ଅନ୍ୟ ରାଜ୍ୟଠାରୁ ଆଗରେ ରହିବାକୁ ଅଣ୍ଟା ଭିଡିବା ବେଳକୁ ଟିକାର ଅଭାବ ଚିନ୍ତାର କାରଣ ହେଲାଣି ।

Comments are closed.