ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଉପରେ ଗୁରୁତ୍ୱ, ପଞ୍ଚମ ପାଳି ସରକାରର ଦ୍ୱିତୀୟ ବର୍ଷ ପୂତ୍ତି ପୂର୍ବରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ନବୀନ

ଭୁବନେଶ୍ୱର- କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଦେଉଥିବା ପ୍ରତିଶ୍ରୁତି ପୂରଣ କରିବାରେ ତାଙ୍କ ସରକାର ବିଶ୍ୱାସ କରେ । ଆସନ୍ତାମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ପଂଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି, ତାହାର ସମୀକ୍ଷା କରିବେ ନବୀନ । ଆସନ୍ତାମାସ ୧୫ ତାରିଖରୁ ୨୫ ତାରିଖ ଯାଏଁ ଚାଲିବ ସମୀକ୍ଷା । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି ଓ ଏହା ସେମାନଙ୍କ ବିଭାଗର କାର୍ଯ୍ୟଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି, ସେ ବାବଦରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ମାଲିକ । ତେଣୁ ଗଣତନ୍ତ୍ରରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସରକାର ଯେଉଁ ପ୍ରତିଶ୍ରୁତି ଲୋକଙ୍କୁ ଦେଇଛନ୍ତି, ତାକୁ ପାଳନ ଦିଗରେ ସରକାର କେତେ ସଫଳ ହୋଇଛନ୍ତି, ତାର ହିସାବ ଦେବାକୁ ପଡିବ । ଏହା ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଠାରେ ମନେପକାଇ ଦିଆଯାଇ ପାରେ ଯେ, ୨୦୧୯ ମେ ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲା । ଆସନ୍ତା ମେ ମାସ ୨୯ ତାରିଖରେ ମନ୍ତ୍ରୀ ପରିଷଦର ସ୍ୱତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ । ୨୦୧୪ ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତିଗତ ନିଷ୍ପତ୍ତି ନେଇଥିଲେ ।

Comments are closed.