ପିପିଲି ଉପନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର, କହିଲେ ଆଗକୁ ପିପିଲିର ବିକାଶ କଥା ସେ ନିଜେ ବୁଝିବେ

ଭୁବନେଶ୍ୱର/ପିପିଲି- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଦଳର ପ୍ରଚାର ମଙ୍ଗ ଧରିଛନ୍ତି । ପିପିଲି ଆସନରେ ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ନବୀନ । ଡେଲାଙ୍ଗ ବ୍ଲକ୍‌ର ରେଂଚରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ରାଲି ମାଧ୍ୟମରେ ରୁଦ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଭିସି ଜରିଆରେ ପିପିଲି ଓ ଡେଲାଙ୍ଗବାସୀଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ, କୋଭିଡ ପାଇଁ ସେ ପିପିଲି ଯାଇପାରିନାହାନ୍ତି । ପରେ ଯାଇ ଆପଣମାନଙ୍କୁ ଦେଖା କରିବ ବୋଲି ନବୀନ କହିଥିଲେ ।

ପିପିଲି-ଡେଲାଙ୍ଗର ବିକାଶ କାମ ସେ ନିଜେ ବୁଝିବେ ବୋଲି ନବୀନ କହିଛନ୍ତି । ପିପିଲି ଚାନ୍ଦୁଆକୁ ନେଇ ସେ ଗର୍ବିତ ବୋଲି ବିଜେଡି ସୁପ୍ରିମୋ ଉଦବୋଧନ ଦେଇ କହିଛନ୍ତି । ପିପିଲି-ଡେଲାଙ୍ଗରେ ଅନେକ ବିକାଶ ହୋଇଛି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏଥିପାଇଁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅତୁଳନୀୟ ଅବଦାନ ରହିଛି । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ନବୀନ । ୬ଟି ଜିଲ୍ଲା ପରିଷଦର ଜୋନବାସୀଙ୍କୁ ସମ୍ବୋଧନ କରିଥିଲେ ନବୀନ ।

Comments are closed.