ଚିରଞ୍ଜିବୀଙ୍କୁ କରୋନା, କିଛିଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ

ନୂଆଦିଲ୍ଲୀ – ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ଭେଟେରାନ ଅଭିନେତା ନିଜେ ସୋମବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ‘ଆଚାର୍ଯ୍ୟ’ର ସୁଟିଂ ଆରମ୍ଭ କରିବା ପୂର୍ବରୁ ନିଜର କରୋନ ଟେଷ୍ଟ କରାଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ଠାରେ ବର୍ତ୍ତମାନ ଏହି ରୋଗର କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

ନିକଟରେ ତାଙ୍କ ସହିତ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ନିଜ କରୋନା ଟେଷ୍ଟ କରିବାକୁ ଚିରଞ୍ଜିବୀ ଅନୁରୋଧ କରିଛନ୍ତି । କରୋନାରେ ସଂକ୍ରମିତ ହେବାର କିଛି ଦିନ ପୂର୍ବରୁ ଚିରଞ୍ଜିବୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ ।

ଚନ୍ଦ୍ରଶେଖରଙ୍କ ସହ ଏହି ମେଗାଷ୍ଟାରଙ୍କ ସାକ୍ଷାତର ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲା ହୋଇଛି । ଫଟୋରେ କେହି ବି ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳୁଛି । ଏଯାବତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ କଳାକାର କରୋନା କବଳିତ ହୋଇଛନ୍ତି ।

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ସେହିପରି ଜେନେଲିଆ ଡି’ସୁଜା, ମଲାଇକା ଆରୋରା, ଅର୍ଜୁନ କାପୁର, ତମନ୍ନା ଭଳି ଜଣାଶୁଣା ଫିଲ୍ମଷ୍ଟାର ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ ।

Comments are closed.