ହିନ୍ଦୁଙ୍କ ଭାବନାକୁ ଆଘାତ, କ୍ଷମା ମାଗିଲେ ରାପର୍ କାର୍ଡି-ବି | News Room Odisha

ହିନ୍ଦୁଙ୍କ ଭାବନାକୁ ଆଘାତ, କ୍ଷମା ମାଗିଲେ ରାପର୍ କାର୍ଡି-ବି

ନୂଆଦିଲ୍ଲୀ – ଆମେରିକୀୟ ରାପ୍ ସେନସେସନ୍ କାର୍ଡି-ବି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇ ବିବାଦୀୟ ହୋଇଛନ୍ତି । ଏକ ମ୍ୟାଗାଜିନର ପ୍ରଚ୍ଛଦପୃଷ୍ଠାରେ କାର୍ଡି-ବି ହାତରେ ଜୋତା ଧରି ମା’ଦୁର୍ଗାଙ୍କ ମୁଦ୍ରାରେ ପୋଜ୍ ଦେଇଥିଲେ । ଏଥିରେ ତାଙ୍କର ଦଶଟି ହାତ ଥିବା ଦେଖିବାକୁ ମିଳୁଛି । ହାତରେ ଅସ୍ତ୍ରଶସ୍ତ୍ର ପରିବର୍ତ୍ତେ କାର୍ଡି-ବି ଜୋତା ଧରିଛନ୍ତି । ଏହାଛଡ଼ା ସେ ଲାଲ୍ ରଙ୍ଗର ଗ୍ଲାମରସ ଡ୍ରେସ୍ ପିନ୍ଧିଛନ୍ତି ।

କାର୍ଡି-ବି’ଙ୍କ ଏହି ପୋଜ୍ କୁ ଉକ୍ତ ମ୍ୟାଗାଜିନ ଦେବୀ ଦୁର୍ଗାଙ୍କ ସହ ତୁଳନା କରିଥିଲା । ଏଥିସହ ମ୍ୟାଗାଜିନ କହିଥିଲା ଯେ, ଦେବୀ ଦୁର୍ଗାଙ୍କ ଭଳି କାର୍ଡି-ବି ବର୍ତ୍ତମାନ ସମୟରେ ମହିଳାଙ୍କ ପାଇଁ ସ୍ୱର ପାଲଟିଛନ୍ତି । କାର୍ଡି-ବି’ଙ୍କ ଏହି ବିବାଦୀୟ ପୋଜ୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଥିପାଇଁ ତାଙ୍କୁ ହିନ୍ଦୁ ସମ୍ପ୍ରଦାୟ କଡ଼ା ଭର୍ତ୍ସନା କରିଥିଲେ । ବିବାଦ ବଢୁଥିବା ଦେଖି କାର୍ଡି-ବି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ କ୍ଷମା ମାଗିଛନ୍ତି ।

ସେ ଉଦ୍ଦେଶ୍ୟମୂଳକ ଭାବେ କାହାରି ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚାହୁଁନାହାନ୍ତି ବୋଲି ଏହି ରାପର୍ କହିଛନ୍ତି ।