ବାଂଲାଦେଶରେ ଭୟଙ୍କର ରେଳ ଦୁର୍ଘଟଣା: ପାସେଞ୍ଜର-ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୫ ମୃତ | News Room Odisha

ବାଂଲାଦେଶରେ ଭୟଙ୍କର ରେଳ ଦୁର୍ଘଟଣା: ପାସେଞ୍ଜର-ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୫ ମୃତ

ଢାକା: ବାଂଲାଦେଶରେ ସୋମବାର ଘଟିଛି ଭୟଙ୍କର ରେଳ ଦୁର୍ଘଟଣା । ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ କହିଛି। ରାଜଧାନୀ ଢାକା ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଭୈରବରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ଏକ ପାସେଞ୍ଜର ଓ ଏକ ମାଲ୍ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବାଂଲାଦେଶୀ ଗଣମାଧ୍ୟମ ମୁତାବକ ମୃତ୍ୟୁ ସଂଖ୍ୟା ୨୦ ଟପିଲାଣି ।

ଭୈରବ ରେଳ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ମହମ୍ମଦ ଆଲିମ ହୁସେନ୍ ଶିକଦାର କହିଛନ୍ତି ଯେ ଢାକା ଯାଉଥିବା ପାସେଞ୍ଜର ଟ୍ରେନ୍ ‘ଇଗାରୋସିନ୍ଦୁର ଏକ୍ସପ୍ରେସ ଗୋଧୂଳି’ ଏବଂ କିଶୋରଗଞ୍ଜ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ସୋମବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଘଟିଥିଲା ।