ମୋ ଓଡ଼ିଶା ନିରାପଦ ରହୁ : ନବୀନ ପଟ୍ଟନାୟକ

କରୋନା ମହାମାରୀ ଅନେକଙ୍କ ପାଇଁ ବେଶ୍ ଯନ୍ତ୍ରଣା ଆଣି ଦେଇଛି। ଅନେକଙ୍କୁ ନିଜ ଲୋକଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଦେଇଛି। ଅବସ୍ଥା ଏମିତି ହୋଇଛି ଯେ ଏକାକୀ କଷ୍ଟ ଭୋଗି ସଙ୍ଗରୋଧରେ ରହି ଲୋକ ଦିନ ରାତି କାଟୁଥିବା ବେଳେ ପାଖରେ କେହି ଠିଆ ହୋଇପାରି ନାହାନ୍ତି କି ସହାୟତାର ହାତ ବଢ଼ାଇବାକୁ ମଧ୍ୟ ସମର୍ଥ ହୋଇପାରି ନାହାନ୍ତି । ତେବେ ଏହି ମହାମାରୀକୁ ସମସ୍ତେ ମିଳିମିଶି ହରାଇ ପାରିବା। ଏହି କଥାକୁ ଦୃଢ଼ତାର ସହ ଦୋହରାଇ ରବିବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ- ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୁଁ ଚାହେଁ ମୋ ପରିବାର ନିରାପଦ ରହୁ। ମୋ ଓଡ଼ିଶା ନିରାପଦ ରହୁ । ମୋ ପରିବାରର ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ । ସେଥିପାଇଁ ରାଜ୍ୟର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ କୋଭିଡ୍ ପ୍ରତିରୋଧକ ଟିକା ଯୋଗାଇଦେବେ।

କେନ୍ଦ୍ର ସରକାର ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟିକା ଦିଆଯାଇ ପାରିବ ବୋଲି ଘୋଷଣା କରିଥିଲେ। ତେବେ ଯେତେବେଳେ ପର୍ଯ୍ୟାୟକ୍ରମେ କରୋନା ଯୋଦ୍ଧା, ୬୦ ବର୍ଷରୁ ଅଧିକ ଏବଂ ପରେ ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ ବର୍ଗର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା ସେ କ୍ଷେତ୍ରରେ ବର୍ତ୍ତମାନ ସମୟରେ ବି ସମସ୍ତଙ୍କ ପାଇଁ ଟିକା ସୁଲଭରେ ଉପଲବ୍ଧ ହୋଇପାରୁନି । ଏଣୁ ରାଜ୍ୟର ସିଂହଭାଗ ଲୋକଙ୍କ ପାଇଁ ଯେତେବେଳେ ଟିକାକରଣରେ ସାମିଲ ହେବାର ସୁଯୋଗ ଉପୁଜିଛି, ସେତେବେଳେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି ଯେ ଆମକୁ ଟିକା ମିଳିପାରିବ ତ ? ରାଜ୍ୟବାସୀଙ୍କ ଏହି ଦ୍ବନ୍ଦ ଓ ଉଦବିଗ୍ନକୁ ବୁଝି ନିଜ ପରିବାର ସଦସ୍ୟଙ୍କ ଚିନ୍ତା ଓ ଆଶଙ୍କାକୁ ଦୂର କରିବା ସକାଶେ ମୁଖ୍ୟମନ୍ତ୍ରୀ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟକୁ ୨ ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବୋଝ ମୁଣ୍ଡାଇବାକୁ ପଡ଼ିବ। କିନ୍ତୁ ଯେତେବେଳେ ନିଜ ପରିବାର ତୁଲ୍ୟ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସମ୍ପଦ କଥା ଉଠୁଛି ସେତେବେଳେ ନବୀନ ପଟ୍ଟନାୟକ ଯେକୌଣସି ଆର୍ଥିକ ବୋଝକୁ ତୁଲାଇବାକୁ ସଦା ପ୍ରସ୍ତୁତ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

କୋଭିଡ୍- ୧୯ ମୁକାବିଲାରେ ପୂର୍ବରୁ ହିଁ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ଓଡ଼ିଶା । ସେଥିପାଇଁ ତ ଆମେ ରାଜ୍ୟବାସୀ ଅନ୍ୟ ରାଜ୍ୟ ଅପେକ୍ଷା ବେଶ୍ ଭଲ ସ୍ଥିତିରେ ରହିଛି। ହେଲେ ଏହି ସଂଗ୍ରାମକୁ ଅଧିକ ବଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଘୋଷଣା ରାଜ୍ୟର ପ୍ରାୟ ୨ କୋଟି ନାଗରିକଙ୍କୁ ଆଶ୍ୱସ୍ତ କରିବ ବୋଲି କହିଛନ୍ତି ଭଞ୍ଜନଗର ଜଣେ ସାମ୍ବାଦିକ ଛାତ୍ର ଉଦିତ୍ ନାରାୟଣ ଦାଶ । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ସାରା ଓଡ଼ିଶାବାସୀଙ୍କୁ ମୋ ପରିବାର ବୋଲି କହି ଓ ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସକାଶେ ଏତେ ବଡ଼ ଘୋଷଣା କରି ପ୍ରମାଣିତ କରି ଦେଇଛନ୍ତି ଯେ ବାସ୍ତବରେ ସେ ହେଉଛନ୍ତି ରାଷ୍ଟ୍ର ନାୟକ । ବୟସ୍କମାନେ ଟିକା ନେଉଥିବା ବେଳେ ଆମେ ଚିନ୍ତା କରୁଥିଲୁ ଯେ ଆମେ ଟିକା ନେବା ବେଳ କେବେ ଆସିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଆମ ଆଶଙ୍କାକୁ ଦୂର କରିଛି ବୋଲି ମତ ଦେଇଛନ୍ତି ପାରଳାଖେମୁଣ୍ଡିର ଯୁବ ଆଇନଜୀବୀ ଟି.କେ.ରେଡ୍ଡୀ। ସେପଟେ କନ୍ଧମାଳର ସାହିତ୍ୟିକ ଅଜିତ ସାବତଙ୍କ କହିବା ପ୍ରକାରେ ଆମ ମୁଖ୍ୟମନ୍ତ୍ରୀ ସର୍ବଦା ଜଣେ ମାର୍ଗଦର୍ଶକ। ରାଜ୍ୟର ୨ କୋଟି ଲୋକଙ୍କ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ମାଗଣା ଟିକାକରଣର ଯେଉଁ ଘୋଷଣା କରିଛନ୍ତି ତାହାକୁ ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁକରଣ କରିଛନ୍ତି । ଏଥିରୁ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ସ୍ପଷ୍ଟ ପରିଚୟ ମିଳୁଛି।

କୋରାପୁଟର ବୁଦ୍ଧିଜୀବୀ କାଶୀନାଥ ପଣ୍ଡା କହିଛନ୍ତି ଯେ- ଟିକା ନେବା ପାଇଁ ରାଜ୍ୟବାସୀଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବନି। ଏ ଦାୟିତ୍ବ ନବୀନ ସରକାର ନିଜେ ବହନ କରୁଛନ୍ତି। ଏହା କଣ କମ୍ କଥା ଯେ ରାଜ୍ୟର ଧନୀ ଗରିବ, ସାମାଜିକ ସ୍ବଚ୍ଛଳ, ରୋଗୀ, ସୁସ୍ଥ ଭଳି ସବୁ ବାଛବିଚାରକୁ ଦୂର କରି ସମସ୍ତଙ୍କୁ ସମାନ ସୁଯୋଗ ଆଣି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ କାଳରେ ଏଭଳି ନିଷ୍ପତ୍ତି ରାଜ୍ୟବାସୀଙ୍କ ମନୋବଳକୁ ମଜବୁତ କରିବ। କେବଳ ଟିକାକରଣ କଥା ନୁହେଁ, ମୁଖ୍ୟମନ୍ତ୍ରୀ ଯେଭଳି ହାତ ଯୋଡ଼ି କୋଭିଡ୍ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ସେଥିରୁ ସମସ୍ତେ ଓଡିଶାବାସୀଙ୍କ ପ୍ରତି ତାଙ୍କ ଚିନ୍ତାରେ ସହମତ ହୋଇ ତାହାକୁ ପାଳିବା ଉଚିତ ବୋଲି କହିଛନ୍ତି ଜୟପୁରର ବସନ୍ତ କୁମାର ଦାସ। ନୟାଗଡ଼ ଜିଲ୍ଲାର ସାମ୍ବାଦିକ ପ୍ରକାଶ ଶାସନୀ କହନ୍ତି ଆମ ଦେଶ ଓ ଆମ ରାଜ୍ୟ ଏକ କଠିନ ପରିସ୍ଥିତି ଦେଇ ଗତି କରୁଥିବା ଯାହା ନବୀନ ବାବୁ କହିଛନ୍ତି ତାହା ବାସ୍ତବରେ ସତ। ଏଭଳି ସ୍ଥିତିରେ ମହାମାରୀ ବିରୋଧରେ ଯୁଦ୍ଧ ପାଇଁ ଆମ ହାତରେ ଅସ୍ତ୍ର ଧରାଇବାକୁ ଯାଉଛନ୍ତି ସେ। ଏଥିପାଇଁ ରାଜ୍ୟବାସୀଙ୍କ ତରଫରୁ ତାଙ୍କୁ ଅଶେଷ ଧନ୍ୟବାଦ। ରାୟଗଡାର ଛାତ୍ର ଆଶୀଷ ପାଟ୍ଟଯୋଶୀ କହିଛନ୍ତି ଯେ- ଯୁବ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ସର୍ବଦା ସ୍ବତନ୍ତ୍ର ନଜର ଦେଇ ଆସୁଛନ୍ତି। ଯେତେବେଳେ ଦ୍ବିତୀୟ ଲହରୀ କରୋନାରେ ଦେଖାଯାଉଛି ଯେ ପ୍ରଥମ ଲହରୀର ବ୍ୟତିକ୍ରମ ସ୍ବରୂପ ଏଥର ଯୁବ ଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଛନ୍ତି ସେତେବେଳେ ସେମାନେ ମହାମାରୀ ବିରୋଧରେ ଲଢେଇ ପାଇଁ ବିଶେଷ ସୁଯୋଗ ପାଉ ନଥିଲେ । କିନ୍ତୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତଙ୍କୁ ମାଗଣା ଟିକାକରଣ ଘୋଷଣା କରି ସେମାନଙ୍କୁ ଏକ ବଡ ଅସ୍ତ୍ର ଧରାଇ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।

ରାଏଜର୍ ସବୁ ୧୮ନୁ ୪୫ ବଛର୍ ଲୋକଙ୍କୁ ମଗନା ଟିକା ଦେବାର୍ କେ ମୁଖ୍ୟମନ୍ତ୍ରୀ ଘୋଷନା କରି ଏନତା ବିପଦ୍ ବେଲେଁ ଗରିବ୍ ଦୁଃଖିକେ ବଢେଟେ ଉସାସ୍ କରିଛନ୍। ତାକର୍ ଇ କାମ୍ ଫେର୍ ଘାଏ ତାହାଁକୁ ଅସଲି ସେବକର ମାଏନ୍ ଦେଇଛେ। ଇ କରୋନା ବେଲକେ ଲୋକର୍ କାମ୍ କମାନି ବୁଡିଗଲା ବେଲେଁ ଶହ ଶହ ଟଂକା ଦେଇକରି ଗରିବ୍ ଦୁଖି ଟିକା ଘିନବାରଟା ବଢେ କଡା ହେଇଥିତା। ଆର୍ ଗରିବ୍ ଦୁଖି ଟିକା ନେଇ ନେପାରିକରି ନିଜର୍ ସାଂଗେ ସମକୁଁ ଫଏଲେଇ ଦେଇଥିତେ। ଇଥିର୍ ଲାଗିଁ ମୁଖ୍ୟମନ୍ତ୍ରୀକୁଁ ଧନ୍ୟବାଦ ବୋଲି ମତବ୍ୟକ୍ତ କରିଛନ୍ତି ବରଗଡ଼ ଜିଲ୍ଲା ଭଟଲିର ପିତାମ୍ବର ପଧାନ। ଗଲା ବଛରେ ହେଲାନ କରୋନା ଲାଗିଁ ଦେଶର୍ ଆର୍ଥିକ ଅବସ୍ଥା ବିଲକୁଲ୍ ନୁକୋ ନାଇନ। ତାର୍ ଉତାରୁଁ ଓଡିଶା ସରକାର୍ ହଜାର୍ କୋଟି ଟଂକାର୍ ବୁଝା ଉଠେଇ କରି ରାଏଜ ଯାକିରକୁଁ ମଗନା ଟିକା ଦେବାରଟା ବଢେ କଥା ଆଏ। ମୁଖ୍ୟମନ୍ତ୍ରୀକୁଁ ଇଥିର୍ ଲାଗି ଧନ୍ୟବାଦ ଜଣାଇଛନ୍ତି ସୋନପୁରର ଆଲୋକ ମିଶ୍ର।

ଆମର୍ ଯୁଆନମାନେ ଇହାଦେ ଜହ କରି କରୋନା ଥିଁ ପଡୁଛନ୍। ହେଲେ ଅଭାବୀ ଘରର୍ ପିଲାକୁଁ ଘିନିକରି ଟିକା ନେବାରଟା ବଢେ ମୁସ୍କିଲ୍ ହେଇଥିତା। ମୁଖ୍ୟମନ୍ତ୍ରୀ ସଠିକ ସମିଆ ଥିଁ ସଠିକ୍ ପଦଖେପ୍ ନେଇଛନ୍। ଇଥିଁ ରାଏଜର୍ ୨ ଲାଖ୍ ପାଖାପାଖି ଲୋକ୍ ଇ ସଞ୍ଜିବନୀ ନେଇପାରବେ। ମୁଖ୍ୟମନ୍ତ୍ରୀକେ ଇଥିର୍ ଲାଗିଁ ଧନ୍ୟବାଦ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ନିବାସୀ ହଳଧର କାଲୋ। ସୁନ୍ଦରଗଡ଼ର ରାଜେଶ ବିଶିଙ୍କ ମତରେ ମୁଖ୍ୟମନ୍ତ୍ରୀ ସଠିକ ସମିଆଥିଁ ସଠିକ୍ ପଦଖେପ୍ ନେଇଛନ୍। ଇଟା ଜରୁରୀ ଥିଲା। ଇହାଦେ ଜହ କରି ଯୁଆନମାନକୁଁ ହିଁ କରୋନା ହେଉଛେ। ଆର୍ ୧୮ନୁ ୪୫ ବଛର୍ ବାଲେ ଟିକା ନିହେ ନିଅନ୍। ଇଥିର୍ ଲାଗିଁ ବନେ ଚିନ୍ତା ଥିଁ ଥିଲେ। ଯାହା ହେଉ ମୁଖ୍ୟମନ୍ତ୍ରୀ ମନ୍ ଚାହି କାମ୍ କରିଛନ୍। କେନ୍ଦ୍ର ସରକାର ଖାଲି ଭାଷଣ୍ ଦେଇ ଜାନିଛେ। ରାଏଜ୍ ସରକାରକୁଁ ଟିକା ବେପାର୍ କରବାର୍ କେ କହୁଛେ। ଲାଜ୍ ଲାଗବାର୍ କଥା ବୋଲି କହିଛନ୍ତି ସେ।

ମୋଟାମୋଟି ଭାବେ ଏହା କୁହାଯାଇପାରେ କି କୋଭିଡ୍ ମୁକାବିଲାରେ ସଫଳ ରଣନୀତି ଆପଣାଇ ନବୀନ ପଟ୍ଟନାୟକ କେବଳ ଯେ ଚାମ୍ପିଅନ୍ ହୋଇଛନ୍ତି ତା ନୁହେଁ ବରଂ କୋଟି କୋଟି ରାଜ୍ୟବାସୀଙ୍କ ହୃଦୟରେ ନିଜ ସ୍ବତନ୍ତ୍ର ସ୍ଥାନକୁ ଅଧିକ ମହତ୍ତ୍ଵପୂର୍ଣ୍ଣ କରିପାରିଛନ୍ତି। କେବଳ ପ୍ରତିଟି ଓଡ଼ିଆଙ୍କ ନୁହେଁ, ତା ସହ ଅମ୍ଲଜାନ ଯୋଗାଇ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ରାଷ୍ଟ୍ରନାୟକର ଛବିକୁ ଅଧିକ ମଜବୁତ କରିଛନ୍ତି। ସେ ପୁଣିଥରେ ଦେଖାଇ ଦେଇଛନ୍ତି ଯେ କାହିଁକି ସେ ଓଡ଼ିଶାର ବର୍ତ୍ତମାନ ସମୟର ଅଦ୍ବିତୀୟ ଜନନାୟକ। ଲୋକଙ୍କ ଦରଦୀବନ୍ଧୁ ସେ। ପରିବାରର ମୁଖିଆ ହିସାବରେ କୋଟି କୋଟି ଓଡ଼ିଆଙ୍କ ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରି ଆସିବା ସହ ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ନିରାପଦ ଜୀବନ ପାଇଁ ସମସ୍ତ ପଦକ୍ଷେପ ସଠିକ ସମୟରେ ନେଇଛନ୍ତି। ଏଭଳି ଜନପ୍ରିୟ ରାଷ୍ଟ୍ରନାୟକଙ୍କ ସୁଶାସନରେ ଆମେ ସମସ୍ତେ ଯେ ଆଶ୍ବସ୍ତ ଓ ସୁରକ୍ଷିତ ସେଥିରେ କୌଣସି ସନ୍ଦେହର ଅବକାଶ ମଧ୍ୟ ନାହିଁ।

Comments are closed.