ନବୀନଙ୍କ ମାନବବାଦ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଉତ୍କଳର ପବିତ୍ର ମାଟି ତାର କୋଳରେ ଅନେକ ମହାମନିଷୀଙ୍କୁ ଜନ୍ମ ଦେଇସାରିଛି । ସେମାନଙ୍କ ଦୀପ୍ତିମନ୍ତ ଉଜ୍ଜଳ ନକ୍ଷତ୍ରସମ ପ୍ରତିଭା ଭୂଗୋଳର ପ୍ରତିଟି କୋଣକୁ ଉଦ୍ଭାସିତ କରିଆସିଛି । ଆଉ ଏ ମାଟିକୁ ଶତ ବୃନ୍ଦାବନ ପରି ପବିତ୍ର କରି ତୋଳିବା ସହିତ ମାନବବାଦର ଶୀର୍ଷ ବାର୍ତ୍ତା ଦେଇଆସୁଛି । ଏ ମାଟି ଉତ୍କଳମଣୀ ଗୋପବନ୍ଧୁ , ଉତ୍କଳ ଗୌରବ ମଧୁସୂଦନ ଦାସ , ମଧୁସୂଦନ ରାଓଙ୍କ ଠାରୁ ଆରମ୍ଭ କରି ପାର୍ବତୀ ଗିରି , ନୃସିଂହ ଗୁରୁଙ୍କ ପରି ସମାଜସେବାର ସର୍ବୋତ୍କୃଷ୍ଟ ନିଦର୍ଶନଙ୍କୁ ପାଇ ଧନ୍ୟ ହୋଇସାରିଛି । ସେହିପରି ରାଷ୍ଟ୍ରବାଦ ନୀତିରେ ଉଦବୃଦ୍ଧ ହୋଇଥିବା ରାଷ୍ଟ୍ରନୀତିଜ୍ଞ କୃଷ୍ଣଚନ୍ଦ୍ର ଗଜପତିଙ୍କ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାରେ ହରେକୃଷ୍ଣ ମହତାବ , ନବକୃଷ୍ଣ ଚୌଧୁରୀ ଏବଂ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପରି ମହାନ ଯୋଗଜନ୍ମାଙ୍କ ଆଦର୍ଶକୁ ନେଇ ଆଜି ବି ପ୍ରତିଟି ଓଡ଼ିଆ ଗର୍ବ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ମାନବବାଦ ତଥା ସ୍ୱାଭିମାନର ଏକ ଅନନ୍ୟ ଉପାସକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ୧୭୩ ତମ ଜନ୍ମ ଜୟନ୍ତୀ ଅବସରରେ କୃତଜ୍ଞ ଓଡ଼ିଶା ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆଉ ଏହି ଅବସରରେ ତାଙ୍କ ଆଦର୍ଶରେ ପରିଚାଳିତ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ପଦକ୍ଷେପ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଭାବେ ନିଃସନ୍ଦେହରେ ପ୍ରତିପାଦିତ କରୁଛି । ବର୍ତ୍ତମାନ ସାରା ଦେଶ ଭୟଙ୍କର ମହାମାରୀ ସହ ଲଢ଼େଇ କରୁଥିବା ବେଳେ ସାରା ବିଶ୍ବ ଓ ସବୁ ରାଜ୍ୟ ସରକାରଙ୍କ ଭୂମିକାକୁ ଅତି ସ୍ପଷ୍ଟ ଭାବେ ଅନୁଧ୍ୟାନ କରୁଛି । ଆଉ ଏହି ଅନୁଧ୍ୟାନରେ ନବୀନଙ୍କ ପ୍ରତିଟି ପଦକ୍ଷେପ ମଧୁବାବୁଙ୍କ ପରି ତାଙ୍କ ଜାତୀୟ ଭାବନାକୁ ପରିପୄଷ୍ଟ କରୁଛି ।

ଆଜକୁ ପ୍ରାୟ ଶହେ ବର୍ଷ ତଳେ ତତ୍କାଳୀନ ଓଡ଼ିଶା ମଧ୍ୟ ଭୟଙ୍କର ମହାମାରୀ ସହ ଲଢୁଥିଲା । ହଇଜା ପରି ମହାମାରୀ ସେତେବେଳେ ମୃତ୍ୟୁର ତାଣ୍ଡବ ରଚାଇଥିଲା । ସେତେବେଳର ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଯାହା ଥିଲା , ତା ସାଙ୍ଗକୁ ଉପନିବେଶ ଶାସନରେ ସମ୍ବେଦନହୀନ ସରକାରଙ୍କ ଉଦାସୀନତା ଅଧିକ ଦୁର୍ଦ୍ଦଶା ବଢ଼ାଇଥିଲା । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ , ଗାଁ ଗାଁରେ ଅଶିକ୍ଷା ଯୋଗୁଁ ପିଢ଼ି ପିଢ଼ି ଧରି ବସା ବାନ୍ଧିଥିବା କୁସଂସ୍କାର ମହାମାରୀର ମୁକାବିଲାରେ ବିରାଟ ଅନ୍ତରାୟ ସୃଷ୍ଟି କରୁଥିଲା । ଲୋକେ ପୋକ ମାଛି ପରି ମରୁଥିଲେ । ଗୁଣିଗାରେଡ଼ି ଝଡ଼ାଫୁଙ୍କା ହିଁ ଏକମାତ୍ର ବିକଳ୍ପ ଥିଲା ।

ତେବେ , ମଧୁ ବାବୁ ସେହି ସମୟରେ ତତ୍କାଳୀନ ବ୍ରିଟିସ୍ ସରକାରଙ୍କୁ ଦେଇଥିବା କିଛି ପ୍ରସ୍ତାବ ଆଜି ବି ପ୍ରାସଙ୍ଗିକତା ରଖୁଛି । ଏହାଛଡା ତାଙ୍କୁ ଜଣେ ରାଷ୍ଟ୍ରନୀତିଞ୍ଗ୍ୟର ପରିଚୟ ଦେଉଛି । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇ ଏହା କୌଣସି ଦେବାଦେବୀଙ୍କ ପ୍ରକୋପ ଯୋଗୁଁ ନୁହେଁ , ବରଂ ଏହା କୌଣସି ଜୀବାଣୁ ବା ଭୂତାଣୁ ଦ୍ଵାରା ହିଁ ବ୍ୟାପିଛି । ତେଣୁ , ସଚେତନତା ହିଁ ଏଥିପାଇଁ ଅମୋଘ ଅସ୍ତ୍ର ବୋଲି ସେ ଲୋକଙ୍କୁ ବୁଝାଇଥିଲେ । ଖାଲି ସେତିକି ନୁହେଁ , ତତ୍କାଳୀନ କେନ୍ଦ୍ରୀୟ ବିଧାନସଭାରେ ଏହି ପ୍ରସଙ୍ଗରେ ସେ ବ୍ରିଟିସ୍ ସରକାରଙ୍କୁ ମଧ୍ୟ ଘେରିଥିଲେ । ଲୋକଙ୍କ ଏହି ଦୁଃସ୍ଥିତି ସମୟରେ ସରକାର କି ପଦକ୍ଷେପ ନେଇଛନ୍ତି , ଏହାର ମୁକାବିଲା ପାଇଁ କେତେବଳେ କଣ କରାଯାଇଛି ଆଦି ଅନେକ ପ୍ରଶ୍ନ ସେ ଉତ୍‌ଥାପନ କରିଥିଲେ ।

ଆଉ ବର୍ତମାନ ମଧ୍ୟ ଭୟଙ୍କର କରୋନା ମହାମାରୀ ଏକପ୍ରକାର ମୃତ୍ୟୁର ତାଣ୍ଡବ ରଚାଇ ଚାଲିଛି । ଗୋଟିଏ ପରେ ଗୋଟିଏ ଜୀବନ ଅବେଳରେ ଝଡ଼ି ପଢୁଛି । ସାରା ଦେଶ ଏହି ବେକାବୁ କରୋନାର ଆଁରେ ଏକପ୍ରକାର ଅଣନିଶ୍ୱାସୀ ହୋଇପଡୁଛି । ଏଭଳି ସ୍ଥିତିରେ ବର୍ତ୍ତମାନ ମଧ୍ୟ ଏହାର ମୁକାବିଲା ପାଇଁ ମାଡ୍ରାସ ଏବଂ ଦିଲ୍ଲୀ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ନିର୍ବାଚନ କମିଶନ ଦେଶବାସୀଙ୍କ ହତ୍ୟାକାରୀ ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି ।

ତେବେ , ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ମାନବବାଦ ଭାବନା ଆଜି ବି ଓଡିଶାରେ ପ୍ରତିଫଳିତ ହୋଇଛି ତାହାର ସୁଯୋଗ୍ୟ ଦାୟାଦମାନଙ୍କ ଜରିଆରେ । ସେହି ଉତ୍କଳ ଗୌରବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକଦା ବିଜୁ ବାବୁ ମଧ୍ୟ ନୂତନ ଓଡ଼ିଶାର ଗଠନରେ ଏକ ବିରାଟ ସ୍ୱାକ୍ଷର ଛାଡି ଯାଇଛନ୍ତି । ଆଉ ତାଙ୍କର ପ୍ରତିଟି ଅବଦାନକୁ ଆଜି ସାଢ଼େ ଚାରି କୋଟି ଓଡ଼ିଆ ଝୁରି ହେଉଛନ୍ତି । ଆଜି ସେହି କଳିଙ୍ଗ ବୀର ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବର୍ତ୍ତମାନର କରୋନା ମୁକାବିଲାରେ ନେଇଥିବା ପଦକ୍ଷେପ ତାଙ୍କୁ ମଧ୍ୟ ଜଣେ ରାଷ୍ଟ୍ରନୀତିଜ୍ଞ ତଥା ମାନବବାଦର ଉପାସକର ପରିଚୟ ଦେଇଛି ।

ଏହି ଆଲେଖ୍ୟର ଶୀର୍ଷକକୁ ନବୀନ ବାବୁଙ୍କ ଗତ ଦୁଇ ଦଶନ୍ଧିର କାର୍ଯ୍ୟଶୈଳୀ ବେଶ ମାର୍ମିକ ଭାବେ ପ୍ରତିପାଦିତ କରି ଆସିଛି । ୧୯୯୯ ମସିହାର ମହାବାତ୍ୟା ଯୋଗୁଁ ଧ୍ଵସ୍ତବିଧ୍ୱସ୍ତ ହୋଇଥିବା ଓଡ଼ିଶାର ଶାସନ ଡୋରିକୁ ସମ୍ଭାଳିବାର ଏକ ବିରାଟ ଆହ୍ମାନପୂର୍ଣ୍ଣ ଦାୟିତ୍ବ ନବୀନ ବାବୁଙ୍କ ହାତରେ ନ୍ୟସ୍ତ ହୋଇଥିଲା । ସେହିଦିନ ଠାରୁ ଏହି ୨୦୨୧ ବର୍ଷର କାର୍ଯ୍ୟଶୈଳୀକୁ ନିରିଖେଇ ଦେଖିଲେ ତାଙ୍କର ପ୍ରତିଟି ପଦକ୍ଷେପ ତାଙ୍କୁ ମଧ୍ୟ ମଧୁ , ଗୋପବନ୍ଧୁ ଭଳି ଜଣେ ମାନବବାଦର ଉପାସକ ଭାବେ ସୁଖ୍ୟାତି ନିଶ୍ଚିତ ଭାବେ ଦେବ । ଏଥିରେ କୌଣସି ଦ୍ବିଧା ନାହିଁ ।

ଏହି ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା କେତେ ବିକଶିତ ହୋଇଛି , ତାହାର ହିସାବ ଦେବାର ଅବକାଶ ନାହିଁ । କାରଣ , କ୍ରମାଗତ ଭାବେ ପଞ୍ଚମ ପାଳିରେ ନବୀନ ବାବୁଙ୍କୁ ଓଡ଼ିଶାବାସୀ ଅଜାଡି ଚାଲିଥିବା ବିପୁଳ ଜନସମର୍ଥନ ହିଁ ଏହାର ପ୍ରମାଣ । ଆଉ ଏହି ସଫଳତାର ପଛରେ ସେହି ଜନତାର ନିଃସ୍ୱାର୍ଥପର ସେବା ହିଁ ମୂଳ ଆଧାର ବୋଲି ସାରା ଦେଶର ବିଜ୍ଞ ମହଲ ସ୍ବୀକୃତି ଦେଇଆସିଛନ୍ତି । ଆଉ ସେଥିପାଇଁ ତ ତାଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ମାନ୍ୟତା ବାରମ୍ବାର ମିଳି ଆସିଛି ।

ଏହି ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ଆସିଛି । ହେଲେ ପ୍ରତ୍ୟେକ ଥର ନବୀନଙ୍କ ସଫଳ ରଣନୀତି ଯୋଗୁଁ ଫାଇଲିନ୍ , ହୁଡହୁଡା଼ , ଫନୀଠାରୁ ଆରମ୍ଭ କରି ଅନେକ ପ୍ରଳୟଙ୍କରୀ ବନ୍ୟା ପରି ସବୁ ବିପଦକୁ ଓଡ଼ିଶା ଅଚିରେ ପାର କରି ସାରା ବିଶ୍ୱରେ ପ୍ରଶଂସିତ ହୋଇପାରିଛି । ଏପରିକି ଏହାର ବିପର୍ଯ୍ୟୟ ପରିଚାଳନା ସାରା ଦେଶ ପାଇଁ ରୋଲ୍ ମୋଡେଲ୍ ପାଲଟିଛି । ସେହିପରି ଦେଶର ଅନ୍ୟ ଭାଗରେ ହେଇଥିବା ବାତ୍ୟା , ବନ୍ୟା ପରି ବିଭୀଷିକାରେ ଅଯାଚିତ ଭାବେ ନବୀନ ସହାୟତାର ହାତ ବଢାଇ ରାଷ୍ଟ୍ରନୀତିଜ୍ଞର ପରିଚୟ ଦେଇଆସିଛନ୍ତି । ହେଲେ ବର୍ତମାନ ଆସିଥିବା କରୋନା ମହାମାରୀ ନିଶ୍ଚିତ ଭାବେ ସାରା ଦେଶ ତଥା ରାଜ୍ୟ ଗୁଡ଼ିକର ଶାସନ ଗାଦିରେ ଥିବା ତଥା ନୀତି ନିର୍ଦ୍ଧାରଣସ୍ତରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରଥମ ଅନୁଭୂତି । ତଥାପି ଏହାର ପ୍ରଥମ ଲହରରେ ଓଡ଼ିଶା ସଫଳ ମୁକାବିଲା କରି ଜାତୀୟସ୍ତରରୁ ଆରମ୍ଭ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପର୍ଯ୍ୟନ୍ତ ପ୍ରଶଂସାର ପାତ୍ର ହୋଇପାରିଛି । ଆଉ ବର୍ତମାନ ଦ୍ବିତୀୟ ଲହରରେ ବି ନବୀନଙ୍କ ରଣନୀତି ସାରା ଦେଶରେ ଚର୍ଚ୍ଚାର ପରିସରରେ ରହିଛି । ଦୁଇଦିନ ତଳେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଟିକା ଦେବାର ଘୋଷଣା କରି ସେ ନିଜକୁ ଜଣେ ପିପୁଲସ ସିଏମ୍ ଭାବେ ପୁଣି ଥରେ ପ୍ରତିପାଦିତ କରିଛନ୍ତି । ଓଡ଼ିଶା ଏଭଳି ମହାମାରୀ ସମୟରେ ଲଢୁଥିବା ବେଳେ ବି ସାରା ଦେଶର ଚିନ୍ତା କରି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ସାର୍ଥ ସମ୍ବଳିତ ପ୍ରସ୍ତାବ ଦେଇ ଆସୁଛନ୍ତି । ବିଶେଷ କରି ନବୀନଙ୍କ ପ୍ରସ୍ତାବ ଯୋଗୁଁ ହିଁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରିବାକୁ କେନ୍ଦ୍ର ଘୋଷଣା କରିଛି । ସେପଟେ , ଅକ୍ସିଜେନ୍ ସଙ୍କଟ ଦେଇ ସାରା ଦେଶ ଗତି କରୁଥିବା ବେଳେ ଦିଲ୍ଲୀ , ମହାରାଷ୍ଟ୍ର , ଛତିଶଗଡ଼ ପରି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣର ଭାର ଉଠାଇ ନବୀନ ତାଙ୍କ ମାନବବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରିସାରିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ଗତ ଦୁଇ ଦଶନ୍ଧି ମଧ୍ୟରେ ତାଙ୍କର ପ୍ରତିଟି ଭାଷଣରେ ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବେ ଅଭିହିତ କରି ଆସୁଥିବା ନବୀନ କେବଳ କଥାରେ ନୁହେଁ ବରଂ କାମରେ ରୂପାନ୍ତରିତ କରି ଆସୁଛନ୍ତି । ବର୍ତମାନ ସମସ୍ତଙ୍କ ସୁରକ୍ଷା ପାଇଁ ଯୋଡ଼ହସ୍ତରେ ବାରମ୍ବାର କରୋନା କଟକଣାକୁ ପାଳନ କରିବାକୁ ଅନୁରୋଧ କରୁଛନ୍ତି । ଆଉ ତାଙ୍କ ପରିବାର ( ଓଡ଼ିଶା )ର ପ୍ରତିଟି ସଦସ୍ୟଙ୍କ ଜୀବନ ପାଇଁ ଲୋକଙ୍କୁ ସହଯୋଗ କାମନା କରି ସେ ବାସ୍ତବରେ ଜଣେ ମାନବବାଦ ଉପାସକର ପରିଚୟ ପାଇପାରିଛନ୍ତି । ତାଙ୍କର ପ୍ରତିଟି କାର୍ଯ୍ୟଶୈଳୀ ଏବେ ସାରା ଦେଶର ରାଜନେତାଙ୍କ ପାଇଁ ଏକ ଆଦର୍ଶ ଭାବେ ଉଭା ହୋଇଛି । ଆଉ ଏହି ଆଦର୍ଶ ହିଁ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Comments are closed.