କୋଭିଡ୍ ବିରୋଧରେ ଅଭିଜିତ୍‌ଙ୍କ ଭିନ୍ନ ଏକ ସଂଗ୍ରାମ

ଡାକ୍ତରଖାନାର ଶଯ୍ୟା ଉପରେ ଥିଲା ମୋଟା ମୋଟା ବହି, ଖାତା ଆଉ କାର୍ଡବୋର୍ଡ। ପେନ୍, ପେନ୍‌ସିଲ୍, କାଲକୁଲେଟର୍ ଆଉ ମୋବାଇଲ୍ ପାଖରେ ରଖି ପଢୁଥିଲେ ଜଣେ ଯୁବକ। ଯେକେହି ନିଶ୍ଚିତ ଭାବେ ଏଥିରେ ଆଶ୍ଚର୍ଯ୍ୟ ହେବେ ଯେ ଚିକିତ୍ସାଳୟରେ ବିଦ୍ୟାଳୟ ଭଳି ଦୃଶ୍ୟ। କିନ୍ତୁ ଭିନ୍ନ ଏକ ସଂଗ୍ରାମର ଏଭଳି ନଜୀର ନିକଟରେ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍ ହସ୍‌ପିଟାଲରେ ଯେଉଁଠି କେନ୍ଦ୍ରାପଡାର ଅଭିଜିତ ବାରିକ ଗୋଟିଏ ପଟେ କରୋନା ଲାଗି ଚିକିତ୍ସିତ ହେଉଥିଲେ ତ ଆରପଟେ କିଛି ଦିନ ପରେ ହେବାକୁ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ତାଙ୍କ ଦୃଢ ମନୋବଳ ହିଁ ଥିଲା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ। ଆଉ ମହାମାରୀକୁ ମାତ୍ ଦେଇ ଗୁରୁବାର ହସପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ବର୍ତ୍ତମାନ ନିଜ ଘରକୁ ଫେରିଯିବେ ବୋଲି କହିଛନ୍ତି ଅଭିଜିତ୍।

ଶନିବାର ୨୪ ତାରିଖ ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ପହଞ୍ଚିଥିଲେ ଏମକେସିଜି କୋଭିଡ୍ ହସ୍‌ପିଟାଲ୍ । କରୋନା ରୋଗୀଙ୍କ ଚିକିତ୍ସାରେ ଅବହେଳା, ଅମ୍ଲଜାନ ଅଭାବ ଆଦି ଅଭିଯୋଗର ସତ୍ୟତା ତଦାରଖ କରିବା ସହ ପ୍ରତିକାର କରିବା ଥିଲା ତାଙ୍କ ଗସ୍ତର ଉଦ୍ଦେଶ୍ୟ। ନିଜେ ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍‌ପିଟାଲର ଆଇସିୟୁ ଓ୍ବାର୍ଡ ସମେତ ସାଧାରଣ କରୋନା ରୋଗୀଙ୍କ ୱାର୍ଡ ବୁଲିଥିଲେ। ରୋଗୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଚିକିତ୍ସା, ଖାଦ୍ୟପେୟ, ଅକ୍ସିଜେନ୍ ଯୋଗାଣ, ସ୍ୱଚ୍ଛତା ଆଦି ବାବଦରେ ପଚାରି ବୁଝିଥିଲେ। ଏତିକି ବେଳେ ଏସ୍- ୪୨ ଶଯ୍ୟାରେ ସେ ଦେଖିଲେ ଭିନ୍ନ ଏକ ଦୃଶ୍ୟ। ଯୁବକଙ୍କ ହାତରେ ଲାଗିଥିଲା ସାଲାଇନ୍ ବ୍ୟାଣ୍ଡେଜ୍, ମୁହଁରେ ମାସ୍କ୍, ଆଖିରେ ଚଷମା ଆଉ ପାଖରେ ଥିଲା ସାନିଟାଇଜର୍, ପାଣି ବୋତଲ ଆଦି। ଜଣେ କରୋନା ରୋଗୀ ବେଡରେ ରହି ମଧ୍ୟ ପଢାପଢି କରୁଥିବା ଦେଖି ବେଶ୍ ପ୍ରଭାବିତ ହୋଇଥିଲେ ସେ। ପଚାରି ବୁଝିଥିଲେ ଯୁବକଙ୍କ ବିଷୟରେ। ଆଉ ଜାଣିବାକୁ ପାଇଥିଲେ ଯେ କେନ୍ଦ୍ରାପଡାର ଅଭିଜିତଙ୍କ ଏଭଳି ବ୍ୟକ୍ତିତ୍ୱ ବିଷୟରେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହି ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ ଅଭିଜିତ। ହେଲେ ସେଠାରେ କରୋନା ସଂକ୍ରମଣ ଅହେତୁକ ବୃଦ୍ଧି ପାଇବା ପରେ ବ୍ରହ୍ମପୁରରେ ରହୁଥିବା ସାଙ୍ଗଙ୍କ ଘରକୁ ଚାଲି ଆସିଲେ। ଗୋଟିଏ କୋଠରୀରେ ରହି ଦୁଇ ବନ୍ଧୁ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ କୌଣସିମତେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଅଭିଜିତ। ଏମ୍‌କେସିଜି କୋଭିଡ୍ ହସ୍‌ପିଟାଲରେ ଆଡ୍‌ମିଟ୍ ହେବାକୁ ପଡିଲା ତାଙ୍କୁ। କିନ୍ତୁ ନିଜ ଦୃଢ ମନୋବଳର ପରିଚୟ ଦେଇଥିଲେ ସେ। ହସ୍‌ପିଟାଲକୁ ଗଲା ବେଳେ ସାଥିରେ ନେଇ ଯାଇଥିଲେ ଆବଶ୍ୟକ ପୁସ୍ତକ ଓ ଅନ୍ୟ ସାମଗ୍ରୀ। ଗୁରୁତର ଲକ୍ଷଣ ନଥିବାରୁ ସେ ଗୋଟିଏ ପଟେ ଚିକିତ୍ସିତ ହେଉଥିଲେ ତ ଆରପଟେ ସେଠାରେ ହିଁ ପଢ଼ାପଢ଼ି ଜାରି ରଖିଥିଲେ। ଏହାକୁ ଟ୍ବିଟ୍ କରିଥିଲେ ଜିଲ୍ଲାପାଳ ଯାହା ବେଶ୍ ଚର୍ଚ୍ଚିତ ମଧ୍ୟ ହୋଇଥିଲା।

ଅଭିଜିତ ଆଲୋଚନା ବେଳେ କହିଛନ୍ତି ଯେ ନିଜ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏଭଳି ପ୍ରୟାସ କରିବାକୁ ପଡ଼ିବ। ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ୍ୟକ୍ରମରେ ସିପିଟି ପାସ୍ କରିବା ବେଶ୍ କାଠିକର। ତା ପାଇଁ ସେମିତି ଆଗୁଆ ପ୍ରସ୍ତୁତି କରିବା ନିହାତି ଆବଶ୍ୟକ। ତେବେ ମୁଁ କରୋନା ସଂକ୍ରମିତ ହୋଇଥିଲେ ହେଁ ଗୁରୁତର ଲକ୍ଷଣ ନଥିବାରୁ ହସପିଟାଲରେ ସୁଦ୍ଧା ମୋ ପାଠପଢା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲି। ଡାକ୍ତରଖାନାରେ କୋଭିଡ୍ ଚିକିତ୍ସା ପାଇଁ ରହୁଥିବା ୭ରୁ ୧୫ ଦିନ ବି ଯଥେଷ୍ଟ ସମୟ । ଏଠାରୁ ଗଲା ପରେ ବି ପ୍ରସ୍ତୁତି ଜାରି ରଖିବି ବୋଲି କହିଛନ୍ତି ସେ।

ବାସ୍ତବରେ ଇଏ ଥିଲା ଭିନ୍ନ ଏକ ସଂଗ୍ରାମ। ମହାମାରୀ ସହ ଲଢିବା ସାଙ୍ଗକୁ ନିଜ ଲକ୍ଷ୍ୟ ହାସଲ ପାଇଁ ଏକ ପ୍ରତିକୂଳ ପରିସ୍ଥିତିରେ ପ୍ରୟାସ କିଛି କମ୍ କଥା ନଥିଲା। କୋଭିଡ୍ ୱାର୍ଡରେ ଯେଉଁଠି ବିଭିନ୍ନ ବୟସ ବର୍ଗର ରୋଗୀ ଚିକିତ୍ସିତ ହେଉଥିଲେ, କିଏ ଅମ୍ଲଜାନ ନେଉଥିଲେ ତ କାହା ଦେହରେ ସାଲାଇନ୍ ଲାଗିଥିଲା, ସେଭଳି ପରିବେଶରେ ମଧ୍ୟ ମନକୁ ସ୍ଥିର ରଖି ପଢିବା ସାଧାରଣ କଥା ନୁହେଁ। ସେହି ଗମ୍ଭୀର ପରିବେଶ ଏହି ଯୁବକଙ୍କ ମାନସିକତାକୁ ଦୋହଲାଇ ପାରି ନଥିଲା। କହିବାକୁ ଗଲେ ଅଭିଜିତଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ମହାମାରୀ। କରୋନାକୁ ମାତ୍ ଦେଇଛନ୍ତି ଏହି ଯୁବକଜଣକ। ତାଙ୍କ କାହାଣୀ ପ୍ରେରଣା ଦିଏ ଯେ- ଲକ୍ଷ୍ୟ ପୂରଣ ପାଇଁ କଠୋର ପରିଶ୍ରମ କଲେ କିଛି ବି ବାଧକ ସାଜିପାରିବନି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ।

କରୋନା ଲାଗି ବ୍ୟସ୍ତବିବ୍ରତ ହେଉଥିବା ସମସ୍ତଙ୍କ ପାଇଁ ଅଭିଜିତଙ୍କ ଏ କାହାଣୀ ଗୋଟିଏ ଶିକ୍ଷା ଦିଏ ଯେ ମହାମାରୀକୁ ବି ମାତ୍ ଦେଇହେବ। କୋଭିଡ୍ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ହେଉ ବା ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ସାଧାରଣତଃ ଅଳସୁଆ, ମାନସିକ ଭାରାକ୍ରାନ୍ତ ବା ଦୁର୍ବଳ ହୋଇଯାଆନ୍ତି। କିନ୍ତୁ ଅଭିଜିତଙ୍କ କାହାଣୀ ଦର୍ଶାଇଥାଏ ଯେ- ଯଦି ବା ଆମେ ସଂକ୍ରମିତ ହେଉ, ତଥାପି ଏହା କୌଣସି ଚିନ୍ତାର କାରଣ ନାହିଁ। ଆମେ ସତର୍କତା ଅବଲମ୍ବନ କରି ଆବଶ୍ୟକ ଚିକିତ୍ସା ସାଙ୍ଗକୁ ନିଜ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ସବୁ କାମ ସୁରୁଖୁରୁରେ କରିପାରିବା। ଅଭିଜିତଙ୍କ ଭଳି ଗୋଟିଏ ଗୋଟିଏ ଉଦାହରଣ ମହାମାରୀ ମୁକାବିଲାକୁ ସଶକ୍ତ କରିବ। ବିଶେଷ କରି ଯୁବ ପିଢି ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସମସ୍ତ ବାଧାବିଘ୍ନକୁ ସାମନା କରିବା ସହି ଲକ୍ଷ୍ୟକୁ ନଭୁଲି ସଂଗ୍ରାମ ଜାରି ରଖିବାକୁ ହେବ ବୋଲି ବାର୍ତ୍ତା ପ୍ରଦାନ କରିବ।

Comments are closed.