ପର କରିଦେଲା ପରିବାର। କରୋନା ସଂକ୍ରମଣର ଭୟ ଏତେ ଘାରିଲା ଯେ ପରିବାର ଲୋକ ମୃତଦେହ ଦେଖିଲେ ପଛେ ନେବାକୁ ପଛଘୁଞ୍ଚା ଦେଲେ । ଅଲୋଡ଼ା ହୋଇଗଲା ପାର୍ଥିବ ଶରୀର । ସମ୍ମାନର ସହ ଶେଷକୃତ୍ୟ ପାଇଁ ବେଶ୍ ଘାଣ୍ଟଚକଟ ହେବାକୁ ପଡିଲା। ଜୀବନ ବିକଳ ଭୟ ସତେଯେମିତି ମାନବିକତାକୁ ହିଁ ଶେଷ କରିଦେଲା। ହେଲେ ମହାମାରୀ ବିରୋଧରେ ସଂଗ୍ରାମରେ ସ୍ବେଚ୍ଛାକୃତ ଭାବେ ନିଜକୁ ଜଣେ ଜଣେ ସେନାପତି ଭାବେ ଆଗରେ ରଖିଲେ କିଛି ସମ୍ବେଦନଶୀଳ ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ । ଫଳରେ ମୃତ୍ୟୁ ପରେ ଯଥାସମ୍ମାନରେ ଅନ୍ତିମ ସଂସ୍କାର ହୋଇପାରିଲା । ନିକଟରେ ଗଞ୍ଜାମ ଜିଲ୍ଲାରେ ଏଭଳି କିଛି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ପଡ଼ୋଶୀ ବି ମୁହଁକୁ ଚାହିଁଲେନି, କାକୁତିବିନତିକୁ ବି ବଧିର ଭଳି ଅଣଦେଖା କରିଦେଲେ ସମ୍ପର୍କୀୟ । ହେଲେ ଦେବଦୂତ ସାଜିଲେ ଏଭଳି କିଛି ବ୍ୟକ୍ତିବିଶେଷ । କରୋନା ସଙ୍କଟ ସମୟରେ ମାନବିକତା ପାଇଁ ପାଲଟିଲେ ଜଣେ ଜଣେ ହିରୋ । କରୋନା ସଂକ୍ରମିତ ତଥା ସନ୍ଦିଗ୍ଧଙ୍କ ସମ୍ମାନର ସହ ଶବ ସତ୍କାର କରାଇ ନିଜ କର୍ତ୍ତବ୍ୟପରାୟଣତା ପ୍ରମାଣିତ କରିଦେଲେ ।
ଗଞ୍ଜାମ ଜିଲ୍ଲା ପୋଲସରା ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ଚିରିକିପଡ଼ା ଗ୍ରାମର ବୃଦ୍ଧ ପଞ୍ଚୁ ପ୍ରଧାନ। ସ୍ୱାମୀଙ୍କ ବିୟୋଗର କିଛି ଘଣ୍ଟା ପରେ ସ୍ତ୍ରୀ ସବିତା ମଧ୍ୟ ଆଖି ବୁଜିଲେ । ହେଲେ କରୋନା ଭୟରେ କେହି ଶବ ପାଖ ମାଡ଼ିଲେନି । ପ୍ରଶାସନ ତରଫରୁ ସମସ୍ତ ପ୍ରୟାସ ନିଷ୍ଫଳ ହେଲା, ଶବ ଉଠାଇବାକୁ କେହି ଆସିଲେନି । ଶେଷକୁ ବିଡିଓ ତନ୍ମୟ ପାତ୍ର, ସେହି ସ୍ବାସ୍ଥ୍ୟ କେନ୍ଦ୍ରର ଡା. ମନୋରଞ୍ଜନ ନାୟକ, ଡା. ସାର୍ଥକ ଏସ୍.ବିଶ୍ୱାଳ, ସ୍ବାସ୍ଥ୍ୟ ବିଭାଗର ବ୍ଲକସ୍ତରୀୟ ଅଧିକାରୀ ବିଶ୍ୱଜିତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ପିପିଇ କିଟ୍ ପିନ୍ଧି ଶବ କାନ୍ଧେଇଥିଲେ । ନିକଟସ୍ଥ ଜଙ୍ଗଲରେ ଅନ୍ତିମ ସଂସ୍କାର କରାଇଥିଲେ । ଜୀବନ ଥିବା ବେଳେ ରୋଗୀଙ୍କୁ ସୁସ୍ଥ କରିବାକୁ ନିଷ୍ଠାପର ପ୍ରୟାସ ଆଉ ଶରୀରରୁ ପ୍ରାଣ ଗଲା ପରେ ବି ମୃତଦେହର ସମ୍ମାନଜନକ ଶେଷକୃତ୍ୟର ଦାୟିତ୍ବ ତୁଲାଇ ଦୁଇ ଚିକିତ୍ସକ ନିଜ ମାନବିକତାର ପ୍ରମାଣ ଦେଇଛନ୍ତି । ଶବକୁ କାନ୍ଧ ଦେଇ ବିଡିଓ ଏବଂ ଅନ୍ୟ ସ୍ବେଚ୍ଛାସେବୀମାନେ ବି ଦେଖାଇଦେଲେ ଯେ ଏବେ ବି ମାନବିକତାର ରକ୍ଷା ପାଇଁ ସେମାନଙ୍କ ଭଳି କିଛି ଦୂତ ଅଛନ୍ତି ।
ଆସିକା କୋଭିଡ୍ ଯତ୍ନ କେନ୍ଦ୍ରରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ତଅଁର ଗ୍ରାମର ୭୦ ବର୍ଷ ପରର ବୃଦ୍ଧ ରାମକୃଷ୍ଣ ପାଢ଼ୀ ହେଲେ ବାପାଙ୍କ ମୃତ୍ୟୁ ପରେ ନା ପୁଅ, ନା ଜ୍ବାଇଁ କେହି ଆଗେଇ ଆସିଲେନି । ଶବକୁ ଦେଖିଲେ, ହେଲେ ଛୁଇଁବାକୁ କିମ୍ବା ଦାହ କରିବା ପାଇଁ ନେବାକୁ ରାଜି ହେଲେନି । ବିଳମ୍ବ ହେଉଥିବା ଦେଖି ଆସିକା ତହସିଲଦାର ସଦାନନ୍ଦ ସେଠୀ, ବାବନପୁର ସରପଞ୍ଚ ପ୍ରତିନିଧ ଅନୀଲ ନାହାକ ଶବ ସତ୍କାର ପାଇଁ ଗ୍ରାମର କିଛି ସ୍ୱେଚ୍ଛାସେବୀଙ୍କୁ ଅନୁରୋଧ କରିଥିଲେ। ୫ ଜଣ ଯୁବକ ସିପୁନ୍ ପ୍ରଧାନ, ପ୍ରଦୀପ ନାୟକ, ଦିଲ୍ଲୀପ ନାୟକ, କାହ୍ନା ନାୟକ, ଆଦିତ୍ୟ ଜେନା ପିପିଇ କିଟ୍ ପିନ୍ଧି ଅନ୍ତିମ ସତ୍କାର ପାଇଁ ଶ୍ମଶାନକୁ ମୃତଦେହ ବୋହି ନେଇଥିଲେ । ଅନ୍ୟ ଦିନ ହୋଇଥିଲେ ପୁଅ ବାପାର କୋକେଇକୁ କାନ୍ଧରେ ବୋହି ନିଅନ୍ତା। ସାହି ପଡ଼ିଶା ଶେଷ ପଟୁଆରରେ ଆଗପଛ କରି ଭଗବାନଙ୍କ ନାମ ଜପି ଯାଉଥାନ୍ତେ । ହେଲେ ଏ ତ ମହାମାରୀ ସଂକ୍ରମଣର ବିପଦ ବେଳ । ତଥାପି ଯେତେବେଳେ ପୁଅ, ଜ୍ବାଇଁ ଆସିଲେନି, ସ୍ବେଚ୍ଛାସେବୀମାନେ ମର ଶରୀର ଦାହର ଯାହା ବ୍ୟବସ୍ଥା କଲେ ତାହା ବାସ୍ତବରେ ପ୍ରଶଂସନୀୟ ।
ହିଞ୍ଜିଳିକାଟୁ ବ୍ଲକ୍ ସମରଝୋଳ ଗ୍ରାମର ଡି.ଗୋବିନ୍ଦ ମଲା ପରେ ଘରେ ଥିଲେ ୩ ନାବାଳିକା ଝିଅ ଓ ପରିବାର ଲୋକ। ହେଲେ ମରଶରୀରକୁ ଶ୍ମଶାନ ନେବା ପାଇଁ ପରିବାରବର୍ଗର ଆକୁଳ କାକୁତି ବିନତି କାହାର ହୃଦୟକୁ ତରଳାଇ ପାରି ନଥିଲା । ଶେଷରେ ହିଞ୍ଜିଳିକାଟୁ ବିଡିଓ, ପୌର ନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର, ଜିଆରଏସ୍ ସେଠାରେ ପହଞ୍ଚିଥିଲେ । ଗ୍ରାମର କିଛି ଉଦ୍ୟମୀ ଯୁବକଙ୍କୁ ପିପିଇ କିଟ୍ ଓ ଅନ୍ୟ ସୁରକ୍ଷା ସାମଗ୍ରୀ ଦିଆଯାଇଥିଲା । ପୌରପାଳିକାର ସ୍ଵର୍ଗ ରଥରେ ଗୋବିନ୍ଦଙ୍କ ଶବକୁ ନେଇ ଶେଷକୃତ୍ୟ କରାଯାଇଥିଲା ।
ଯେତେବେଳେ ସାଧାରଣ ଲୋକ ଛାତିରେ ପଥର ରଖି ଦେଉଛନ୍ତି, ସେତେବେଳେ ଏଇ ଭଳି କିଛି ପ୍ରଶାସନିକ ଅଧିକାରୀ, ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ବ୍ୟକ୍ତିବିଶେଷ ସେମାନଙ୍କୁ ଅନୁକରଣୀୟ ମାର୍ଗ ଦେଖାନ୍ତି । ବ୍ରହ୍ମପୁର ବଡ ଡାକ୍ତରଖାନାର ମେଡିସିନ୍ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ନିହାର ରଞ୍ଜନ ସାହୁ ନିଜ ପିତାଙ୍କ ମୃତ୍ୟୁର ମାତ୍ର ଦିନକ ପରେ କୋଭିଡ୍ ଡ୍ୟୁଟିରେ ପୁଣି ଯୋଗଦେଇ ରୋଗୀଙ୍କ ଜୀବନ ରକ୍ଷା ନିମନ୍ତେ ପ୍ରୟାସରେ ଜୁଟି ଯାଇଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ପିପିଇ କିଟ୍ ପିନ୍ଧି କୋଭିଡ୍ ୱାର୍ଡ ବୁଲି ବୁଲି ରୋଗୀଙ୍କ ଚିକିତ୍ସା, ଖାଦ୍ୟପେୟ, ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ । ଜଣାଇବାକୁ ଚାହିଁଥିଲେ ଯେ- ପ୍ରଶାସନ ସେମାନଙ୍କ ସହ ଅଛି, ନିଜ ପାଇଁ ନୁହେଁ ବରଂ ଆପଣ (ରୋଗୀ) ମାନଙ୍କ ପାଇଁ କାମ କରୁଛି ପ୍ରଶାସନ । ଏଭଳି କିଛି ବ୍ୟକ୍ତିବିଶେଷଙ୍କ କାର୍ଯ୍ୟ ସମାଜରେ ଆଦର୍ଶ ସୃଷ୍ଟି କରୁଛି ଓ ମାନବିକତା, ସମ୍ବେଦନଶୀଳତାକୁ ବଞ୍ଚାଇ ରଖିଛି ।
Comments are closed.