ପଶ୍ଚିମ ଓଡିଶାରେ ବିଜେଡି ସାଧାରଣ ସଂପାଦକ ପ୍ରଣବଙ୍କ କୋଭିଡ୍ ସ୍ଥିତି ସମୀକ୍ଷା

ବର୍ତ୍ତମାନ ରାଜନୀତି ପରିବର୍ତ୍ତେ ସମାଜସେବାର ବେଳ

ସମ୍ବଲପୁର : ବର୍ତ୍ତମାନ ରାଜନୀତି ଛାଡି ସମାଜ ପାଇଁ ଉତ୍ତରଦାୟିତ୍ବ ନିବାଇବାର ବେଳ । କରୋନା ମହାମାରୀ ସହ ସାରା ରାଜ୍ୟ ଲଢୁଥିବା ବେଳେ ସବୁ ପୀଡିତଙ୍କ ସହ ଛିଡା ହେବାର ବେଳ । ଏଥିପାଇଁ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରି ଏହି ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରକୃଷ୍ଟ ସମୟ ଆସିଛି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ଆସି ଦଳୀୟ କର୍ମୀ ଏବଂ ନେତାଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ (ସଂଗଠନ) ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ।

ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡିଶାରେ କରୋନା ସ୍ଥିତି ବେକାବୁ ଅବସ୍ଥାକୁ ଚାଲି ଯାଇଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍ ଲଗାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ସ୍ଥିତି ନେଇ ଅବଗତ ହେବାକୁ ବିଜେଡି ସାଧାରଣ ସଂପାଦକ ଶ୍ରୀ ଦାସ ଆଜି ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମେ ରାଉରକେଲା ଏବଂ ସୁନ୍ଦରଗଡରେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ପରେ ଝାରସୁଗୁଡା ଏବଂ ସମ୍ବଲପୁର ଗସ୍ତ କରିଥିଲେ ।

ସମ୍ବଲପୁର ମାଝିପାଲିସ୍ଥିତ ୱେଲକମ୍ ରିସୋର୍ଟରେ ଶ୍ରୀ ଦାସ ଦଳୀୟ କର୍ମୀଙ୍କ ସହିତ କୋଭିଡ଼ ସ୍ଥିତି ନେଇ ଆଲୋଚନା କରିଥିଲେ । ଏହି ସମୟରେ ରାଜନୀତି ଛାଡି କରୋନା ଯୋଗୁଁ ଦୁଃସ୍ଥିତିରେ ଥିବା ଲୋକଙ୍କୁ ସହାୟତାର ହାତ ବଢାଇବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ । କରୋନାରେ ସଂକ୍ରମିତ ଲୋକଙ୍କୁ ଯେପରି ଆବଶ୍ୟକ ଚିକିତ୍ସା ଏବଂ ପରାମର୍ଶ ମିଳିପାରିବ ସେ ଦିଗରେ ଅବିରତ କାମ କରିବାକୁ ପଡିବ । କରୋନାର ପ୍ରଥମ ଲହରକୁ ଯେପରି ସଫଳତାର ସହିତ ଓଡିଶା ମୁକାବିଲା କରି ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି , ସେହିପରି ଏହି ଦ୍ବିତୀୟ ଲହରକୁ ବି ମୁକାବିଲା କରିବାକୁ ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି । ଏହାଛଡା ପ୍ରଶାସନିକସ୍ତରରେ ରହୁଥିବା ତ୍ରୁଟିବିଚ୍ୟୁତିକୁ ବି ତାଙ୍କ ନଜରକୁ ଆଣିବାକୁ ସେ ଅନୁରୋଧ କରିଛନ୍ତି ।

ସମ୍ବଲପୁର ପରେ ବରଗଡରେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଅନୁଷ୍ଠିତ ଦଳୀୟ ନେତାଙ୍କ ବୈଠକରେ ଶ୍ରୀ ଦାସ ଯୋଗଦେଇ ଅନୁରୂପ ବାର୍ତ୍ତା ଦେଇଥିଲେ । କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମି ନେଇ ଦଳୀୟ ନେତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ । ତେବେ , ଏଣିକି ସେ ନିୟମିତ ବ୍ୟବଧାନରେ ପଶ୍ଚିମ ଓଡିଶା ଗସ୍ତ କରି କେଭିଡ୍ ମୁକାବିଲାକୁ ଅଧିକ ତ୍ବରାନ୍ବିତ କରିବା ଦିଗରେ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ ବୋଲି କହିଛନ୍ତି ।

Comments are closed.