ସଂକ୍ରମଣ ରୋକିବାକୁ ସୁନ୍ଦରଗଡ଼ ପ୍ରଶାସନର ‘ବ୍ରେକ୍ ଦ ଚେନ୍’ ଡାକରା

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଯାଞ୍ଚ କଡ଼ାକଡ଼ି

ସୁନ୍ଦରଗଡ : ପଶ୍ଚିମ ଓଡିଶାରେ ସବୁଠାରୁ ଅଧିକ ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣର ଭୟାବହତା ଅଧିକ ମାତ୍ରାରେ ରହିଛି । ଏହି ଜିଲ୍ଲାକୁ ଗୋଟିଏ ପଟେ ଛତିଶଗଡ ଏବଂ ଅନ୍ୟପଟେ ଝାଡଖଣ୍ଡ ଘେରି ରହିଥିବା ବେଳେ ପଡୋଶୀ ତଥା ପ୍ରବାସୀଙ୍କ ଆଗମନ ଯୋଗୁଁ ସ୍ଥିତି ବିଗୁଡୁଥିବା ନେଇ ଆଶଙ୍କା କରାଯାଇଛି । ମୋଟ୍ ଉପରେ ବର୍ତ୍ତମାନ ସୀମାରେ ଯାଞ୍ଚ କଡାକଡି କରିବା ସହିତ ଏହି ଲକଡାଉନ୍‌ରେ ସଂକ୍ରମଣକୁ ହ୍ରାସ କରିବାକୁ ଜିଲ୍ଲା ପ୍ରଶାସନ ପୂର୍ଣ ମାତ୍ରାରେ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସଂକ୍ରମଣ ରୋକିବାକୁ ‘ ବ୍ରେକ୍ ଦ ଚେନ୍ ’ ଡାକରା ଦେଇଛନ୍ତି । ଏଥିରେ ଲୋକଙ୍କୁ ଘରୁ ନ ବାହାରି ସଂକ୍ରମଣର ଧାରାକୁ ଭାଙ୍ଗିବାକୁ ସେ ଆହ୍ବାନ ଦେଇଛନ୍ତି ।

ଗତ ପ୍ରାୟ ମାସକ ମଧ୍ୟରେ ଛତିଶଗଡର ସଂକ୍ରମଣ ଯୋଗୁଁ ପଶ୍ଚିମ ଓଡିଶାକୁ ଭୟଙ୍କର ଭାବେ କରୋନାର ଦ୍ବିତୀୟ ଲହର ମାଡି ଆସିଛି । ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରେ ହିଁ ବାହାରୁଛନ୍ତି । ତେବେ , ଏହାର ମୁକାବିଲା ପାଇଁ ସୁନ୍ଦରଗଡ ପ୍ରଶାସନ ବି ଜୋରସୋରରେ ଲାଗି ପଡିଛି । ଗୋଟିଏ ପଟେ ରାଉରକେଲାରେ ରାଜ୍ୟ ଅନ୍ୟତମ ସର୍ବବୃହତ କୋଭିଡ୍ ଭିଭିଭୂମି ସୃଷ୍ଟି ହୋଇଥିବା ବେଳେ ସୁନ୍ଦରଗଡ ସହରରେ ୪ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ବି କାର୍ଯ୍ୟକ୍ଷମ ହୋଇପାରିଛି ।

ସେହିପରି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସୀତ ତ୍ରିପାଠୀ ଏବଂ ସାସ୍ଥ୍ୟ ବିଭାଗ ସତନ୍ତ୍ର ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତ କରି ଜିଲ୍ଲାରେ ପୁଣି ୯୦ଟି ଆଇସିୟୁ ବେଡ୍ ସହିତ ହାଇଟେକରେ ଆଉ ୧୨୦ଟି ଅକ୍ସିଜେନ୍ ବେଡ୍ ବୃଦ୍ଧି କରିବାକୁ ସ୍ଥିର କରିଛନ୍ତି । ଏଭଳି ସ୍ଥିତିରେ ଏହି ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଅଭିନବ ପଦକ୍ଷେପ ଗ୍ରହଣ କରିଛି ।

ବର୍ତ୍ତମାନ ସଂକ୍ରମଣର ତୀବ୍ରତାକୁ ଭାଙ୍ଗିବାକୁ ଜିଲ୍ଲାପାଳ ବ୍ରେକ୍ ଦ ଚେନ୍ ନାରା ଦେଇଛନ୍ତି । ଏଥିରେ ଲକଡାଉନ୍ ସମୟର ସଦୁଯେଯାଗ କରି ବିନା କାମରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ହେଲେ ସଂକ୍ରମଣର ଧାରା ଭାଙ୍ଗିପାରିବ ବୋଲି ସେ କହିଛନ୍ତି । ଏହାଛଡା ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହିଥିବା ବେଳେ ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ । କାରଣ , ଟେଷ୍ଟ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହାଦ୍ଵାରା ଆକ୍ରାନ୍ତଙ୍କ ଠାବ ସହିତ ଚିକିତ୍ସା ଦ୍ଵାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଆଉ ଆଗକୁ ମଧ୍ୟ ଟେଷ୍ଟି ସଂଖ୍ୟାକୁ ଅଧିକ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ବର୍ତ୍ତମାନ ଚିକିତ୍ସା ପାଇଁ ଭିଭିଭୂମି ମଧ୍ୟ ସୁଦୃଢ଼ ହୋଇପାରିଛି । ଏବେ ସୁଦ୍ଧା ରୋଗୀଙ୍କ ପାଇଁ ବେଡ୍ କିମ୍ବା ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହୋଇନାହିଁ ବୋଲି ସେ କହିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ସୁନ୍ଦରଗଡ ଜିଲ୍ଲାକୁ ଗୋଟିଏ ପଟେ ଛତିଶଗଡ ଏବଂ ଅନ୍ୟପଟେ ଝାଡଖଣ୍ଡ ଘେରି ରହିଛି । ଜିଲ୍ଲାକୁ ପ୍ରବେଶ ପାଇଁ ଏହି ଦୁଇ ରାଜ୍ୟରୁ ସଂଯୋଗ କରୁଥିବା ମୁଖ୍ୟତଃ ୬ଟି ସୀମାରେ ଚେକ୍‌ ପୋଷ୍ଟ କରାଯାଇ ଆଟିପିସିଆର୍ ଟେଷ୍ଟର ନେଗେଟିଭ ରିପୋର୍ଟ ଯାଞ୍ଚ କରାଯାଉଛି । ଆଉ ଏହା ସଂକ୍ରମଣକୁ ରୋକିବାରେ ବିଶେଷ ଭାବେ ସହାୟକ ହେଉଛି ବୋଲି ଶ୍ରୀ କଲ୍ୟାଣ ପ୍ରକାଶ କରିଛନ୍ତି ।

ସେପଟେ , ରାଉରକେଲା ସହରରେ ମଧ୍ୟ ଏହି ଡାକରାକୁ ସଫଳ କରିବା ସହିତ ଲକଡାଉନୁ ସଫଳ କରିବାକୁ କମିଶନର ଦିବ୍ୟଜ୍ୟୋତି ପରିଡା ଆହ୍ବାନ ଦେଇଛନ୍ତି । କୋଭିଡ୍ ଟେଷ୍ଟି , ଚିକିତ୍ସା , ଟିକାକରଣ ସହିତ ଆଇସିୟୁ , ଅକ୍ସିଜେନ୍ ଆଦି ବାବଦରେ ଜାଣିବା ପାଇଁ ରାଉରକେଲା ମହାନଗର ନିଗମବାସୀ ୧୮୦୦୩୪୫୭୪୬୮ ଏବଂ ଜିଲ୍ଲା ହେଳ୍ପ ଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧ | ୦୧୧ | ୪୧୧ ୮୨୧୩୮ରେ ମାଗଣାରେ କଲ୍ କରି ତଥ୍ୟ ନେଇପାରିବେ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

ଏହାଛଡା ହୋମ୍ ଆଇସୋଲେସରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ୮୪ଟି ରାପିଡ ରେସପନ୍ସ ଟିମ୍ ଗଠନ କରାଯାଇଛି । ସେଥିରୁ ୨୦ଟି ଟିମ୍ କେବଳ ରାଉରକେଲା ସହରରେ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସାସ୍ଥ୍ୟ ଯାଞ୍ଚ ସହ ଅକ୍ସିଜେନ୍ ସ୍ତର ଅନୁଧ୍ୟାନ କରୁଛନ୍ତି ଓ ଆବଶ୍ୟକ ଔଷଧପତ୍ର ଦେଉଥିବା ପ୍ରଶାସନ ସୂଚନା ଦେଇଛି ।

Comments are closed.