ରାଜ୍ୟରେ ଦିନକରେ ୧୫୪୦ ନୂଆ କୋରୋନା ମାମଲା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି

ଭୁବନେଶ୍ୱର- ଦୁଇ ଦିନ ଧରି ୧୫ ଶହ ତଳକୁ ରହିଲା ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଂଟାରେ ରାଜ୍ୟରୁ ୧ ହଜାର ୫୪୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନରୁ ୮୮୬ ଓ ସ୍ଥାନୀୟ ଅଂଚଲରୁ ୬୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮, ସୁନ୍ଦରଗଡରୁ ୧୧୧, ଅନୁଗୁଳରୁ ୧୦୦, କଟକରୁ ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ୱରରୁ ୯୨, ମୟୂରଭଂଜରୁ ୯୧, ଜଗତସିଂହପୁରରୁ ୭୮, ବଲାଙ୍ଗିରରୁ ୬୭, କେନ୍ଦ୍ରାପଡାରୁ ୬୨, ନୂଆପଡାରୁ ୫୧, ପୁରୀରୁ ୪୯, କଳାହାଣ୍ଡିରୁ ୪୭,ଝାରସୁଗୁଡାରୁ ୪୨, ମାଲକାନଗିରରୁ ୪୨, ବରଗଡରୁ ୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଥିବା ବେଳେ ୨ ଲକ୍ଷ ୬୮ ହଜାର ୧୧୫ ସୁସ୍ଥ ହୋଇସାରିଲେଣି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୩୦ ରହିଛି ।

ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୨୮୪କୁ ବୃଦ୍ଧି ପାଇଛି ।

Comments are closed.