ବିଜେତାଙ୍କ ସଂଘର୍ଷର କାହାଣୀ

ଲେଖକ : ପ୍ରତିଭା ନେପାକ

କରୋନା ଦ୍ବିତୀୟ ଲହରୀ ପ୍ରଥମ ପର୍ଯ୍ୟାୟରୁ ଅଧିକ ମାରାତ୍ମକ । ଅଧିକ ଶୀଘ୍ର ବ୍ୟାପୁଛି, ଶୀଘ୍ର ରୋଗୀଙ୍କ ଅବସ୍ଥା ଗୁରୁତର କରି ପକାଉଛି । ଯଦିଓ ଏହା ଭିନ୍ନ ଭିନ୍ନ ରୂପ (ମ୍ୟୁଟାଣ୍ଟ ବା ଷ୍ଟ୍ରେନ୍ ଆକାର)ରେ ଅଧିକ ସାଂଘାତିକ ବ୍ୟାପୁଛି, ହେଲେ ଏହାକୁ ମଧ୍ୟ ମାତ୍ ଦେଇହେବ ତାହାକୁ ପ୍ରମାଣିତ କରିଛନ୍ତି ସୁସ୍ଥ ହୋଇଥିବା ଅନେକ ରୋଗୀ । ପ୍ରଥମ ଲହରୀ ଭଳି ଦ୍ବିତୀୟ ଲହରୀରେ ଏବେ ଏମିତି ଅନେକ ନଜିର ଦେଖିବାକୁ ମିଳିଲାଣି ।

ନିରାଶା ଭିତରେ ଆଶାର କିରଣ ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ବିରୁଆ ଗାଁର ୧୦୭ ବର୍ଷ ବୟସ୍କ ଦୟାନିଧି ପଣ୍ଡା । ବାଲେଶ୍ବର କୋଭିଡ୍ ହସ୍‌ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ଶତାୟୁ ପରର ବୃଦ୍ଧଜଣକ । ଗତ ସପ୍ତାହରେ ଅସୁସ୍ଥ ହୋଇ ପଡ଼ିବା ସହ ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିଥିଲେ ଦୟାନିଧି । ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ପରୀକ୍ଷା କରାଇବାରେ ପଜିଟିଭ୍ ରିପୋର୍ଟ ଆସିଥିଲା । ଚିନ୍ତାର କଥା ଥିଲା ଯେ ତାଙ୍କ ଶରୀରରେ ଅମ୍ଲଜାନ ସ୍ତର ବେଶ୍ ହ୍ରାସ ପାଇଥିଲା । ଗୁରୁତର ଅବସ୍ଥାରେ କୋଭିଡ୍ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଦୟାନିଧି ବାବୁ ମାତ୍ର ୫ ଦିନରେ ସୁସ୍ଥ ହୋଇ ହସ୍‌ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଦୟାନିଧି ପଣ୍ଡାଙ୍କ ସ୍ଵାସ୍ଥ୍ୟବସ୍ଥା ଏବେ ନିରାପଦ ବୋଲି କହିଛନ୍ତି ଡାକ୍ତର ।

କେଉଁଝର ଠାକୁରପାଟଣା ନିବାସୀ ସୁଶୀଳାବାଳା ପହି। ୯୫ ବର୍ଷୀୟା ଏହି ବୃଦ୍ଧାଙ୍କ ପରିଚୟ ହେଉଛି ଯେ ସେ ହେଉଛନ୍ତି କେଉଁଝରର ପ୍ରଥମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା। ଏପ୍ରିଲ ୨୫ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୧୫ ଦିନ କାଳ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଦୃଢ଼ ମନୋବଳ ରଖିଲେ କରୋନାକୁ ହରାଇ ହେବ ବୋଲି କହିଛନ୍ତି ସୁଶୀଳାବାଳା।

ଗଞ୍ଜାମ ଜିଲ୍ଲାର ଏନ୍.ହରିହର ରେଡ୍ଡୀ, ଶ୍ରୀରାମ ଗୌଡଙ୍କ କଥା କୁହନ୍ତୁ କିମ୍ବା ବ୍ରହ୍ମପୁରର ଦୁର୍ଗା ପ୍ରସାଦ ପଣ୍ଡା ଓ ପତ୍ନୀ ଗୀତାରାଣୀ ପଣ୍ଡାଙ୍କ କଥା ଅଥବା କେନ୍ଦ୍ରାପଡା ଜିଲ୍ଲାର ଅଭିଜିତ୍ ବାରିକଙ୍କ କାହାଣୀ । ମହାମାରୀ ବିରୋଧରେ ଯୁଦ୍ଧ କରି ବିଜୟ ଲାଭ କରିଥିବା ଏହି ବ୍ୟକ୍ତିମାନେ ସାଜିଛନ୍ତି ଗୋଟିଏ ଗୋଟିଏ ଆଦର୍ଶ ଉଦାହରଣ। ଅନ୍ୟକୁ ପ୍ରମାଣ କରି ଦେଖାଇଛନ୍ତି ଯେ- ଯେତେ ମାରାତ୍ମକ ହେଲେ ବି ଏହି ମହାମାରୀ ଅପରାଜେୟ ନୁହେଁ।

ଏପ୍ରିଲ ୨୪ରେ ଏନ୍.ହରିହର ରେଡ୍ଡୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଅଶ୍ୱିନୀ କୋଭିତ୍ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ୧୦ ଦିନ କାଳ ଭେଣ୍ଟିଲେଟରରେ ତାଙ୍କୁ ସମୟ ବିତାଇବାକୁ ପଡିଲା । ହେଲେ ଶେଷରେ କୋଭିଡକୁ ହରାଇ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ସେ। ମନୋବଳ ଦୃଢ଼ ଥିଲେ ମୃତ୍ୟୁ ସହ ଲଢ଼ି ହେବ ବୋଲି କୋଭିଡରୁ ସୁସ୍ଥ ହେବା ପରେ କହିଛନ୍ତି ପାତ୍ରପୁର ବ୍ଲକ୍ ସାମନ୍ତରାପୁର ଗ୍ରାମର ଶ୍ରୀରାମ ଗୌଡ଼ । ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ବତନ୍ତ୍ର ୱାର୍ଡରେ ହିଁ ରହି ଚିକିତ୍ସିତ ହେଉଥିଲେ ସେ । କରୋନା ପଜିଟିଭ୍ ଶୁଣି ବିଶେଷ ଭୟଭୀତ କି ଚିନ୍ତିତ ନଥିଲେ । ଏଠାରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ସୁସ୍ଥ ହୋଇପାରିବେ ବୋଲି ନିଶ୍ଚିତ ଥିଲେ ସେ । ଏହି ୩୬ ବର୍ଷ ବୟସ୍କ ଯୁବକ ୯ ଦିନ କାଳ ଚିକିତ୍ସିତ ହେବା ପରେ ସୁସ୍ଥତା ଲାଭ କରି ହସପିଟାଲରୁ ବାହାରିଛନ୍ତି ।

କରୋନା ହେଲେ ଅଧୈର୍ଯ୍ୟ ନହୋଇ ନିଜକୁ ମାନସିକ ଭାବେ ଶକ୍ତ ଓ ସୁସ୍ଥ ରଖନ୍ତୁ, ନିଶ୍ଚିତ ଭାବେ କରୋନାରୁ ସୁସ୍ଥ ହେବେ ବୋଲି ମତବ୍ୟକ୍ତ କରିଛନ୍ତି ମହାମାରୀ ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ବ୍ରହ୍ମପୁରର ୫୮ ବର୍ଷ ବୟସ୍କ ଦୁର୍ଗା ପ୍ରସାଦ ପଣ୍ଡା ଓ ୫୦ ବର୍ଷ ବୟସ୍କ ତାଙ୍କ ସ୍ତ୍ରୀ ଗୀତାରାଣୀ ପଣ୍ଡା । ଦୁର୍ଗା ପ୍ରସାଦ ଡାକ୍ତରଖାନାରେ ୧୦ ଦିନ ଚିକିତ୍ସାଧୀନ ଥିଲେ । ଗୀତା ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । କେନ୍ଦ୍ରାପଡାର ଅଭିଜିତ୍ ବାରିକ ତ ପୂର୍ବରୁ ଚର୍ଚ୍ଚାକୁ ଆସି ସାରିଛନ୍ତି । କୋଭିଡ୍ ବେଡରେ ଗୋଟିଏ ପଟେ ଚିକିତ୍ସିତ ହେଉଥିବା ବେଳେ ଆରପଟେ ନିଜ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ପ୍ରସ୍ତୁତି ସୂଚାରୁ ରୂପେ ଚଳାଇଥିଲେ ସେ । ସୁସ୍ଥ ହୋଇ ବ୍ରହ୍ମପୁର ଏମ୍‌କେସିଜି କୋଭିଡ ହସ୍‌ପିଟାଲରୁ ନିଜ ଗାଁକୁ ଫେରିଥିଲେ । ଏଥିରୁ ଆମେ ଜାଣିପାରିବା ଯେ- ପ୍ରଥମେ ତ ଆମେ ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା । ଯଦିବା କୌଣସି ମତେ ଆକ୍ରାନ୍ତ ହୋଇଗଲେ ତଥାପି ହତୋତ୍ସାହିତ ନହୋଇ ନିଜ ମନୋବଳକୁ ଦୃଢ଼ ରଖି କରୋନାକୁ ରୋଗ ଶଯ୍ୟାରେ ଛାଡି ନିଜେ ସୁସ୍ଥ ହୋଇ ସ୍ୱାଭାବିକ ଜୀବନକୁ ଫେରିବା ସମ୍ଭବପର ।

ଲେଖକ ତଥା ଇତିହାସ ଗବେଷକ

Comments are closed.