କୋଭିଡ କଟକଣା ମଧ୍ୟରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା- କୋରୋନା କଟକଣା ମଧ୍ୟରେ ଆଜିଠାରୁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । କୋରୋନା ମହାମାରୀ ପାଇଁ ମାର୍ଚ୍ଚ ମାସଠାରୁ ବନ୍ଦ ରହିଥିଲା ଅଭୟାରଣ୍ୟ । ପୂର୍ବ ପରି ବାରିପଦା ପିଠାବଟା ଗେଟ୍ ଦେଇ ୨୫ଟି ଓ ଜଶିପୁର କାଳିଆଣି ଗେଟ୍ ଦେଇ ୩୫ଟି ଗାଡି ପାଇଁ ଅନୁମତି ଦିଆଯାଇଛି । ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ଭିତରେ ପ୍ରବେଶ କରିପାରିବେ ।

ଯାତ୍ରା ସମୟରେ ସେମାନେ କୋଭିଡ ନିୟମ ମାନିବେ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତୃପକ୍ଷ ଗାଇଡଲାଇନ୍ସ ଜାରି କରିଛନ୍ତି । ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଏବଂ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ପର୍ଯ୍ୟଟକଙ୍କୁ ଚହଲା ଛାଡିବାକୁ ହେବ ।

ପର୍ଯ୍ୟଟକମାନଙ୍କୁ ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକ ଅତିକ୍ରମ କରିବାକୁ ହେବ । ଅଭୟାରଣ୍ୟ ମଧ୍ୟରେ ଗାଡି ଖରାପ ହେଲେ , ତେବେ ସେମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ନେବା ପାଇଁ ୪ ହଜାର ଟଙ୍କା ଜମା ଦେବାକୁ ପଡିବ ।

Comments are closed.