କୋରୋନା କାଳରେ ଅନଲାଇନ୍ ଶିକ୍ଷାର ଲୋକପ୍ରିୟ ଓ ବଳିଷ୍ଠ ପ୍ଲାଟଫର୍ମ ସାଜିଛି ମଧୁ ଆପ୍

ବ୍ରହ୍ମପୁର- କୋଭିଡ-୧୯ ମହାମାରୀ ସାରା ବିଶ୍ୱରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଛି । ସ୍କୁଲ,କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା କାମ ବନ୍ଦ ରଖିବାକୁ ପଡିଛି । କୋରୋନା କାଳରେ ପାରମ୍ପରିକ ଶିକ୍ଷାଦାନ ବଦଳରେ ଅନଲାଇନ୍ ଶିକ୍ଷାର ଗୁରୁତ୍ୱ ପଡିଛି । ଭର୍ଚୁଆଲ ଶ୍ରେଣୀ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ଇ-ଲର୍ନିଂ ବା ଡିଜିଟାଲ୍ ଲର୍ନିଂ ଏବେ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଅଂଶ ହୋଇଛି । ଯାହା ଜଣାପଡୁଛି, ଏହି ଧାରା କୋଭିଡ ପରବର୍ତୀ ସ୍ଥିତିରେ ବି ଜାରି ରହିବ ।

ଦ୍ରୁତ ପରିବର୍ତିନଶୀଳ ଶିକ୍ଷା ଦୃଶ୍ୟପଟ୍ଟରେ ଓଡିଶା ସରକାରଙ୍କ ଅଭିନବ ଅନଲାଇନ୍ ଲର୍ନିଂ ପ୍ଲାଟଫର୍ମ ମଧୁ ଆପ୍ ରାଜ୍ୟବ୍ୟାପୀ ବେଶ୍ ଆଦୃତ ହୋଇଛି । ଗତବର୍ଷ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁ ଆପ୍‌ର ଶୁଭାରମ୍ଭ କରିଥିଲେ । ଆଉ ବର୍ଷକ ମଧ୍ୟରେ ରାଜ୍ୟର ଶିକ୍ଷକ ଓ ଛାତ୍ର ମହଲରେ ମଧୁ ଆପ୍ ବେଶ୍ ଲୋକପ୍ରିୟ ହୋଇପାରିଛି ।

ଏହି ଶିକ୍ଷା ଆପ୍‌ର ବ୍ୟବହାରକାରୀଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ସରକାରୀ ତଥ୍ୟ ଅନୁସାରେ ଦିନକୁ ଏହି ଆପ୍‌କୁ ୭୮ ହଜାରରୁ ଅଧିକ ବ୍ୟବହାରକାରୀ ବ୍ୟବହାର କରନ୍ତି । ଏହି ଆପ୍‌କୁ ସାଢେ ତିନି କୋଟି ସେସନରେ ୨ କୋଟି ୭୦ ଲକ୍ଷ ଥର ଡାଉନଲୋଡ୍ କରାଯାଇଛି । ୮ ଲକ୍ଷରୁ ଅଧିକ ଶିକ୍ଷା ଭିଡିଓ ଏହି ଆପ୍ ଜରିଆରେ ଡାଉନଲୋଡ୍ କରାଯାଇଛି । ପ୍ରାୟ ୮ ଲକ୍ଷ ଛାତ ଭର୍ଚୁଆଲ ଟେଷ୍ଟ୍ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରର ଅନୁସରଣରେ ଗଂଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଭିନବ ମୋବାଇଲ୍ ଆପ୍‌ର ପରିକଳ୍ପନା କରାଯାଇଥିଲା । ଏହି ମୋବାଇଲ୍ ଆପ୍ ମାତୃଭାଷା ଆଧାରିତ ଭଚ୍‌ୁର୍ଆଲ୍ ଶ୍ରେଣୀଗୃହର ସୁବିଧା ପ୍ରଦାନ କରିଥାଏ ।

ଓଡିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍‌ର ନାମକରଣ ହୋଇଛି । ଶିକ୍ଷାଦାନର ୫ଟି ଇ-ଏଙ୍ଗେଜ୍‌, ଏକ୍ଲପ୍ଲୋର, ଏକ୍ସପ୍ଲେନ୍ , ଏଲାବୋରେଟ୍ ଓ ଇଭାଲ୍ୟୁଏଟ୍‌କୁ ଫୋକସ କରି ଗୁଣାତ୍ମକ ଶିକ୍ଷା ବିଷୟବସ୍ତୁ ଏହି ଆପ୍ ଜରିଆରେ ପ୍ରଦାନ କରାଯାଇଥାଏ ।

ଟେକ୍ନୋଲୋଜି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ହୃଦୟରେ ଜ୍ଞାନର ଦୀପ ଜଳାଇବା ଏହି ଆପ୍‌ର ମୂଳ ଲକ୍ଷ୍ୟ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏହି ଅଭିନବ ମୋବାଇଲ୍ ଆପ୍ ଇ-ଲର୍ନିଂ କୌଶଳ ସହ ଆତ୍ମ ଶିକ୍ଷା ଓ ଆତ୍ମ ସମୀକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦିଏ ବୋଲି ଜିଲ୍ଲାପାଳ କହନ୍ତି ।

ପଂଚମରୁ ଦଶମ ଶ୍ରେଣୀ ଯାଏଁ ସଂପୂର୍ଣ୍ଣ ପାଠ୍ୟକ୍ରମ ଏହି ଆପରେ ଉପଲବ୍ଧ ରହିଛି । ପ୍ରମୁଖ ବିଶେଷଜ୍ଞ ଓ ଶିକ୍ଷାବିତଙ୍କ ଦ୍ୱାରା ଭିଡିଓ ଲେକ୍‌ଚର ଓ ଏକ୍ସସରସାଇଜ ଏଥିରେ ରହିଛି । ଡ୍ରାଇଭ୍ ଫର୍ ରେଜଲ୍ଟ ଏନହାନସମେଂଟ୍ ଇନ୍ ଅନୁଏଲ୍ ମାଟ୍ରିକ୍ୟୁଲେସନ ଏକଜାମିନାସନ-ଡିଆରଇଏମ୍ ( ଡ୍ରିମ ) ଅଧୀନରେ ଅଭ୍ୟାସମୂଳକ ପରୀକ୍ଷା ବି ଏହି ଆପ୍ ଜରିଆରେ ଉପଲବ୍ଧ ।

ମଧୁ ଆପ୍ ଜରିଆରେ ଛାତ୍ରଛାତ୍ରୀମାନେ ଭିଡିଓ ଓ ଟ୍ୟୁଟୋରିଆଲ ଦ୍ୱାରା ପାଠ ଶିଖିପାରିବେ । ନିଜର ଡାଉଟ କ୍ଲିୟର ବି କରିପାରିବେ ବୋଲି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ –ଡିଇଓ ଅମୂଲ୍ୟ ପ୍ରଧାନ କହନ୍ତି । ଆପ୍‌ର କଂଟେଟ୍ ଡେଭଲପମେଂଟ୍ ଓ ଶିକ୍ଷକ ଚୟନରେ ଡିଇଓ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । କୋରୋନା ମହାମାରୀ ଭଳି ଏକ ଆହ୍ୱାନମୂଳକ ସମୟରେ ମଧୁ ଆପ୍ ଏକ ବ୍ୟବସ୍ଥିତ ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମରେ ପରିଣତ ହୋଇ ଲୋକପ୍ରିୟ ହୋଇପାରିଛି । ବର୍ତମାନ ଦଶମ ଶ୍ରେଣୀ ସିଲାବସ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଡିଇଓ ଅମୂଲ୍ୟ ପ୍ରଧାନ କହିଛନ୍ତି ।

ଶିକ୍ଷକମାନଙ୍କ ସମେତ ପେଷାଦାର ଭିଡିଓ ଡକ୍ୟୁମେଂଟେସନ ଟିମ୍ ମଧ୍ୟ ଲେକଚର୍ ଭିଡିଓ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି ।

ଆଜିକାଲି ଗ୍ରାମାଂଚଳରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ଆଂଡ୍ରଏଡ୍ ମୋବାଇଲ୍ ଫୋନର ସୁବିଧା ପାଇପାରୁଛନ୍ତି । ତେଣୁ କୋଭିଡ-୧୯ ମହାମାରୀ ସମୟରେ ବି ମଧୁ ମୋବାଇଲ୍ ଆପ୍ ଜରିଆରେ ଛାତ୍ରଛାତ୍ରୀମାନେ ଶିକ୍ଷା ପ୍ରତି ସୃଷ୍ଟି ହୋଇଥିବା ଆହ୍ୱାନର ସମ୍ମୁଖୀନ ହୋଇପାରୁଛନ୍ତି ବୋଲି ପାତ୍ରପୁର ବ୍ଲକ୍‌ର ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଲିଙ୍ଗରାଜ ଜେନା ମତ ଦିଅନ୍ତି । ପ୍ରାକ୍ କୋରୋନା ସମୟରେ ବି ମଧୁ ଆପ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଥିଲା ବୋଲି ସେ କହନ୍ତି ।

ତେବେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ପ୍ରତି ଏବେ ବି ଅନେକ ଆହ୍ୱାନ ରହିଛି । ଦୁର୍ଗମ ଅଂଚଳରେ ଇଂଟରନେଟ ପହଂଚିପାରିନାହିଁ । ଏହା ସବୁଠୁ ବଡ ଆହ୍ୱାନ ହୋଇଛି ।

Comments are closed.