ଜ୍ଞାନେନ୍ଦ୍ର ନିଙ୍ଗୋବାମ ହକି ଇଣ୍ଡିଆର ନୂଆ ସଭାପତି ନିର୍ବାଚିତ | News Room Odisha

ଜ୍ଞାନେନ୍ଦ୍ର ନିଙ୍ଗୋବାମ ହକି ଇଣ୍ଡିଆର ନୂଆ ସଭାପତି ନିର୍ବାଚିତ

ନୂଆଦିଲ୍ଲୀ – ଜ୍ଞାନେନ୍ଦ୍ର ନିଙ୍ଗୋବାମ ହକି ଇଣ୍ଡିଆର ନୂଆ ସଭାପତି ହେବେ । ନୂଆଦିଲ୍ଲୀରେ ହକି ଇଣ୍ଡିଆର ଦଶମ ମହାଧିବେଶନରେ ଜ୍ଞାନେନ୍ଦ୍ର ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ମହମ୍ମଦ ମୁସ୍ତାକଙ୍କ ସ୍ଥାନ ନେବେ ଜ୍ଞାନେନ୍ଦ୍ର । ସ୍ପୋର୍ଟସ କୋଡ୍‌୍ ମାମଲାରେ କେନ୍ଦ୍ର କ୍ରୀଡା ମନ୍ତ୍ରାଳୟର ଚାପ ପଡିଲା ପରେ ମୁସ୍ତାକ ଏହି ବର୍ଷ ଜୁଲାଇ ୭ ତାରିଖରେ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ତାଙ୍କର ଇସ୍ତଫା ପରେ ଜ୍ଞାନେନ୍ଦ୍ର ନିଙ୍ଗୋବାମ୍ ହକି ଇଣ୍ଡିଆର ଅସ୍ଥାୟୀ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ଜ୍ଞାନେନ୍ଦ୍ର ଦୁଇ ବର୍ଷ ପାଇଁ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ସର୍ବସମ୍ମତ ଭାବେ ଉପସଭାପତି ଭାବେ ନିର୍ବାଚିତ ହୋଇ ମୁସ୍ତାକ ହକି ଇଣ୍ଡିଆର ଏକଜିକ୍ୟୁଟିଭ ବୋର୍ଡକୁ ପ୍ରତ୍ୟାବର୍ତନ କରିଛନ୍ତି । ପୂର୍ବରୁ ଜ୍ଞାନେନ୍ଦ୍ର ନିଙ୍ଗୋବାମ ଏହି ପଦବୀରେ ଥିଲେ ।

ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ନିଙ୍ଗୋବାମ ୨୦୦୯ରୁ ୨୦୧୪ ଯାଏଁ ମଣିପୁର ହକିର ସିଇଓ ଭାବେ ଅବସ୍ଥାପିତ ଥିଲେ । କୋଭିଡ -୧୯ ସ୍ଥିତି ଯୋଗୁଁ ନୂଆଦିଲ୍ଲୀରେ ହକି ଇଣ୍ଡିଆର ଅଧିବେଶନ ଭର୍ଚୁଆଲ୍ ମୋଡରେ ହୋଇଥିଲା । ଅଧିକାଂଶ ସଦସ୍ୟ ଏଥିରେ ଭାଗ ନେଇଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏଣେ ହକି ଇଣ୍ଡିଆ ଏକ ନୂଆ ହାଇ ପରଫରମାନ୍‌ସ ଡିରେକ୍ଟର ଓ ଭାରତୀୟ ଦଳ ପାଇଁ ଜଣେ ଆନାଲିଟିକାଲ୍ କୋଚ୍ ପଦବୀ ପାଇଁ ବିଜ୍ଞାପନ ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ମାସ ୧୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଡେଭିଡ ଜନ୍ ଓ କ୍ରିସ ସିରିଏଲ ଉପରୋକ୍ତ ଦୁଇ ପଦବୀରୁ ଇସ୍ତଫା ଦେଇଥିଲେ ।