ବିଡେନଙ୍କ ପ୍ରଥମ ସମ୍ବୋଧନ: ଆମେରିକାକୁ ଯୋଡିବା ପାଇଁ କାମ କରିବି

ୱାଶିଂଟନ – ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଜୋ ବିଡେନ୍ ଦେଶବାସୀଙ୍କୁ ନିଜ ପ୍ରଥମ ସମ୍ବୋଧନରେ ଆମେରିକାର ଏକତା ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ବିଶ୍ୱର ସବୁଠୁ କ୍ଷମତାଶାଳୀ ପଦ ଅଳଙ୍କୃତ କରିବା ପରେ ବିଡେନ୍ ନିଜ ଘରୋଇ ରାଜ୍ୟ ଡେଲାୱେରରେ ପ୍ରଥମ ସମ୍ବୋଧନରେ ନିଜ ବିଜୟକୁ ଐତିହାସିକ ବୋଲି କହିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ଆମେରିକାର ପ୍ରାୟ ୮ କୋଟି ଲୋକ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ରାଷ୍ଟ୍ରପତି ଭାବେ ସେ ଆମେରିକାକୁ ଭାଙ୍ଗିବାକୁ ନୁହେଁ ବରଂ ଯୋଡିବାକୁ ସଂକଳ୍ପବଦ୍ଧ । ଯେଉଁ ମାନେ ଟ୍ରମ୍ପ୍‌ଙ୍କୁ ଭୋଟ୍ ଦେଇଥିଲେ, ମୁଁ ସେମାନଙ୍କ ନିରାଶା ବୁଝିପାରୁଛି । କିନ୍ତୁ ଏବେ ଦେଶ ପାଇଁ ମିିଳିମିଶି କାମ କରିବାର ସମୟ । ତେଣୁ ପରସ୍ପର ବିରୋଧୀ ବୟାନବାଜି ଭୁଲି ଏବେ ପରସ୍ପରକୁ ସହଯୋଗ କରିବାର ବେଳ ବୋଲି ବିଡେନ୍ କହିଛନ୍ତି ।

ଆମେରିକାର ବୟୋଜ୍ୟେଷ୍ଠ ରାଷ୍ଟ୍ରପତି:

ଆମେରିକାର ରାଜନୀତି ମଇଦାନରେ ସର୍ବକନିଷ୍ଠ ନେତା ଭାବେ ପାଦ ରଖିଥିବା ୭୭ ବର୍ଷୀୟ ବିଡେନ୍ ଏବେ ଏହି ଦେଶର ସବୁଠୁ ବୟ୍ୟୋଜ୍ୟେଷ୍ଠ ରାଷ୍ଟ୍ରପତି ହୋଇଛନ୍ତି । ଏହା ପୂର୍ବରୁ ବାରାକ୍ ଓବାମାଙ୍କ ସରକାରରେ ବିଡେନ ଉପରାଷ୍ଟ୍ରପତି ଥିଲେ । ଡେମୋକ୍ରାଟିକ୍ ପାର୍ଟିର ଏହି ନେତା ପୂର୍ବରୁ ୬ ଥର ସିନେଟର ଭାବେ ବି ନିର୍ବାଚିତ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଥିବା ବିଡେନଙ୍କ ପୂରା ନାମ ହେଉଛି ଯୋଶେଫ୍ ଜୋ ବିଡେନ୍ ।

୧୯୪୨ ନଭେମ୍ବର ୨୦ରେ ପେନସିଲଭାନିଆ ପ୍ରଦେଶର ସ୍କ୍ରାଣ୍ଟନ ସହରରେ ଜନ୍ମ ଗ୍ରହଣ କରିଥିବା ବିଡେନ ଡେଲାୱେର ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ପରେ ୧୯୬୮ରେ ଆଇନ ଶିକ୍ଷାରେ ଡିଗ୍ରୀ ହାସଲ କରିଥିଲେ । ବିଡେନ୍ ଏହା ପୂର୍ବରୁ ଦୁଇଥର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ତୃତୀୟ ଉଦ୍ୟମରେ ସେ ସଫଳ ହୋଇଛନ୍ତି । ୧୯୭୨ରେ ଏକ କାର୍ ଦୁର୍ଘଟଣାରେ ବିଡେନଙ୍କ ପ୍ରଥମ ପତ୍ନୀ ନେଲିଆ ଓ ଝିଅ ନାଓମିଙ୍କ ମୃତ୍ୟୁ ହୋଇଥିଲା । ୧୯୭୭ରେ ସେ ଜିଲ୍ ଜାକୋବ୍ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ୧୯୭୭ରେ ବିଡେନ ପୁଣି ଏକ ବ୍ୟକ୍ତିଗତ କ୍ଷତିର ସାମ୍ନା କରିଥିଲେ । ସେହିବର୍ଷ ତାଙ୍କ ସାନପୁଅ ବିଉଙ୍କ ବ୍ରେନ୍ କ୍ୟାନ୍‌ସରରେ ମୃତ୍ୟୁ ହୋଇଥିଲା ।

Comments are closed.