ଜାନୁଆରୀ ପହିଲାରୁ ସବୁ ଚାରି ଚକିଆ ଯାନ ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ – ଜାନୁଆରୀ ୧, ୨୦୨୧ରୁ ସବୁ ଚାରି ଚକିଆ ଯାନ ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ ହେବ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ନୂଆ ଓ ପୁରୁଣା ଯାନ ସହ ୧ ଡିସେମ୍ବର, ୨୦୧୭ ପୂର୍ବରୁ ବିକ୍ରି ହୋଇଥିବା ‘ଏମ୍ (ଯାତ୍ରୀବାହୀ)’ ଓ ‘ଏନ୍ (ମାଲବାହୀ)’ କାଟେଗୋରୀ ଯାନ ପାଇଁ ମଧ୍ୟ ଫାଷ୍ଟାଗ୍ ବାଧ୍ୟତାମୂଳକ କରାଯିବ । କେନ୍ଦ୍ରୀୟ ମୋଟର ଯାନ ଆଇନ – ୧୯୮୯ ଅନୁଯାୟୀ ଡିସେମ୍ବର ୧, ୨୦୧୭ ପରେ କିଣାଯାଇଥିବା ନୂଆ ଚାରି ଚକିଆ ଯାନର ରେଜିଷ୍ଟ୍ରେସନ ପାଇଁ ଫାଷ୍ଟାଗ୍ ଜରୁରୀ ।

ଯାନ ନିର୍ମାତା ଓ ଡିଲରମାନଙ୍କୁ ମଧ୍ୟ ଗ୍ରାହକଙ୍କୁ ଫାଷ୍ଟାଗ୍ ଯୋଗାଣ ପାଇଁ ଅନୁମତି ଦିଆଯାଇଛି । ଏହାଛଡ଼ା ମାଲବାହୀ ଯାନଗୁଡିକର ଫିଟନେସ ରିନ୍ୟୁଆଲ ଫାଷ୍ଟାଗ ଲଗାଇବା ପରେ ହିଁ କରାଯିବ । ନ୍ୟାସନାଲ ପରମିଟ୍ ଥିବା ଯାନ ଗୁଡିକ ପାଇଁ ଅକ୍ଟୋବର ୧, ୨୦୧୯ରୁ ଫାଷ୍ଟାଗ୍ ବାଧ୍ୟତାମୂଳକ କରାଯାଇଛି । ଟୋଲ୍ ଗେଟ୍ ମାନଙ୍କରେ ଫି’ ଦେୟ ସମ୍ପୂର୍ଣ୍ଣ ଡିଜିଟାଲ କରାଯିବା ଲକ୍ଷ୍ୟରେ ଫାଷ୍ଟାଗ୍ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.