ବଲିଉଡ୍ ଡ୍ରଗ୍ସ ଲିଙ୍କ୍‌: ପ୍ରଯୋଜକଙ୍କ ପତ୍ନୀ ଗିରଫ

ମୁ୍‌ମ୍ବାଇ – ବଲିଉଡ୍ ଡ୍ରଗ୍ସ ଲିଙ୍କ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ରବିବାର ଜଣାଶୁଣା ପ୍ରଯୋଜକ ଫିରୋଜ ନାଡିୟାଦୱାଲାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା । ଏନେଇ ଏନ୍‌ସିବି ଅନେକ ହାଇ ପ୍ରୋଫାଇଲ୍ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିସାରିଥିବା ବେଳେ ଖୋଳତାଡ଼ ଜାରି ରଖିଛି । ରବିବାର ଏନ୍‌ସିବିର ଏକ ଟିମ୍ ନାଡିୟାଦୱାଲାଙ୍କ ଘରେ ଚଢାଉ କରି ୧୦ ଗ୍ରାମ୍ ଗଞ୍ଜେଇ ଓ ତିନୋଟି ମୋବାଇଲ୍ ଫୋନ୍ ଜବତ କରିଥିଲା ।

ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ଏନ୍‌ସିବି ନାଡିୟାଦୱାଲାଙ୍କ ପତ୍ନୀ ଶବାନା ସଇଦ୍‌ଙ୍କୁ ଗିରଫ କରିଥିଲା । ଚଢାଉ ବେଳେ ନାଡିୟାଦୱାଲା ଘରେ ନଥିଲେ । ତେବେ ସୋମବାର ତାଙ୍କୁ ହାଜର ହେବା ପାଇଁ ଏନ୍‌ସିବି ପକ୍ଷରୁ ସମନ ଜାରି କରାଯାଇଛି । ବଲିଉଡ୍ ସେଲିବ୍ରିଟିଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିବା ସନ୍ଦିଗ୍ଧଙ୍କୁ ଜେରା ବେଳେ ନାଡିୟାଦୱାଲାଙ୍କ ନାମ ସାମ୍ନାକୁ ଆସିଥିଲା । ‘ଫିର ହେରାଫେରୀ’ ଓ ‘ୱେଲକମ୍ ବ୍ୟାକ୍‌’ ଭଳି ଫିଲ୍ମର ନାଡିୟାଦୱାଲା ପ୍ରଯୋଜନା କରିଛନ୍ତି ।

Comments are closed.