କ୍ରୀଡ଼ା ପ୍ରସାରଣ କ୍ଷେତ୍ରରେ ଆମାଜନ୍ ପ୍ରାଇମ୍ ଭିଡିଓର ପ୍ରବେଶ

ନୂଆଦିଲ୍ଲୀ – ସୋନି ଓ ଷ୍ଟାର ନେଟୱର୍କକୁ ଏବେ ଚ୍ୟାଲେଞ୍ଜ୍ ଦେବ ଆମାଜନ୍ ପ୍ରାଇମ୍ ଭିଡିଓ । କ୍ରୀଡ଼ା ପ୍ରସାରଣ କ୍ଷେତ୍ରରେ ପ୍ରବେଶ କରିଛି ଆମାଜନ୍ ପ୍ରାଇମ୍ ଭିଡିଓ । ବିଶ୍ୱର ଏହି ଲୋକପ୍ରିୟ ଷ୍ଟ୍ରିମିଂ ପ୍ଲାଟଫର୍ମ ୨୦୨୫-୨୬ ସିଜନ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ (ଏନଜେଡସି)ର ସବୁ ଇଭେଣ୍ଟର ଭାରତରେ ପ୍ରସାରଣ ପାଇଁ ଅଧିକାର କିଣିଛି ।

ଏହି ଚୁକ୍ତି ଅନୁସାରେ ଆମାଜନ ପ୍ରାଇମ୍ ଭିଡିଓ ତିନୋଟି ଯାକ ଫର୍ମାଟରେ ନ୍ୟୁଜିଲାଣ୍ଡ ପୁରୁଷ ଓ ମହିଳା କ୍ରିକେଟ ଦଳର ସବୁ ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ ଅଧିକାର ପାଇଛି । ଭାରତୀୟଙ୍କ ସବୁଠୁ ପସନ୍ଦର କ୍ରୀଡ଼ା କ୍ରିକେଟକୁ ଆମେ ନିଜ ପ୍ଲାଟଫର୍ମରେ ସାମିଲ କରି ଉତ୍ସାହିତ । କ୍ରୀଡ଼ା ପ୍ରସାରଣ କ୍ଷେତ୍ରରେ ଆମେ ଏହି ଯାତ୍ରାକୁ ଆଗେଇ ନେବାକୁ ସଂକଳ୍ପବଦ୍ଧ ବୋଲି ଆମାଜନ ପ୍ରାଇମ୍ ଭିଡିଓ ନିର୍ଦ୍ଦେଶକ ତଥା ଜେନେରାଲ ମ୍ୟାନେଜର ଗୌରବ ଗାନ୍ଧି କହିଛନ୍ତି ।

ଏହି ଚୁକ୍ତିରେ ଆମାଜନ ପ୍ରାଇମ ସଦସ୍ୟ ଖୁସି ହେବେ ବୋଲି ଗାନ୍ଧି ଆଶାବ୍ୟକ୍ତ କରିଛନ୍ତି । କ୍ରିକେଟ୍ ସହ ଆମାଜନ ପ୍ରାଇମ୍ ଭିଡିଓ ଥର୍ସଡେ ନାଇଟ୍ ଫୁଟବଲ, ପ୍ରିମିୟର ଲିଗ୍, ଏଟିପି ଟୁର ଇଭେଣ୍ଟ, ଡବ୍ଲ୍ୟୁଟିଏ, ୟୁଏସ୍ ଓପନ (ଟେନିସ୍), ୟୁଇଏଫଏ ଚାମ୍ପିୟନ୍ସ ଲିଗ୍ ଓ ନେସନ୍ସ କପ୍ ରଗବୀ ଭଳି କ୍ରୀଡ଼ା ଇଭେଣ୍ଟର ସିଧା ପ୍ରସାରଣ ଅଧିକାର ମଧ୍ୟ ହାତେଇଛି ।

Comments are closed.