ଅର୍ଣ୍ଣବଙ୍କୁ ଜାମିନ ମିଳିଲା

ନୂଆଦିଲ୍ଳୀ – ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଶେଷରେ ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଅର୍ଣ୍ଣବ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଖଣ୍ଡପୀଠ ଅର୍ଣ୍ଣବଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ୫୦,୦୦୦ ବେଲ ବଣ୍ଡରେ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିବା ନେଇ ହାଇକୋର୍ଟ ନିଷ୍ପତ୍ତିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସମାଲୋଚନା କରିଥିଲେ ।

୨୦୧୮ରେ ଆର୍କିଟେକ୍ଟ ଅନଭୟ ନାୟକ ଓ ତାଙ୍କ ମା’ଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗତ ନଭେମ୍ବର ୪ରେ ମୁମ୍ବାଇ ସ୍ଥିତ ତାଙ୍କ ଲୋଏର ପାରେଲ ବାସଭବନରୁ ଗିରଫ କରାଯାଇଥିଲା । ଅର୍ଣ୍ଣବଙ୍କ ସମେତ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ ଶେଖ୍ ଓ ନିତିଶ୍ ସାରଦାଙ୍କୁ ବି ଗିରଫ କରାଯାଇଥିଲା । ଏହି ତିନି ଜଣ ଅନଭୟ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗ ହୋଇଥିଲା । ତିନି ଅଭିଯୁକ୍ତ ତାଙ୍କୁ ୫ କୋଟିରୁ ଊର୍ଦ୍ଧ୍ୱ ବକେୟା ଅର୍ଥ ଦେଇନଥିଲେ ବୋଲି ଅନଭୟଙ୍କ ସୁଇସାଇଡ୍ ନୋଟ୍ ରେ ଉଲ୍ଳେଖ ରହିଥିଲା ।

ଗିରଫ ପରେ ଅର୍ଣ୍ଣବଙ୍କୁ ରାୟଗଡ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନଭେମ୍ବର ୧୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଅର୍ଣ୍ଣବଙ୍କୁ ରାୟଗଡ ସ୍ଥିତ ଅଲିବାଗରେ ଏକ ସ୍କୁଲରେ ତିଆରି ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ ସେଠାରେ ସେ ମୋବାଇଲ୍ ଫୋନ ବ୍ୟବହାର କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଭିଯୋଗ ପରେ ତାଙ୍କୁ ରବିବାର ନବି ମୁମ୍ବାଇ ସ୍ଥିତ ତାଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

Comments are closed.