ଭାରତୀୟ ବଂଶୋଦ୍ଭବ କେଶ୍ ପଟେଲ ଆମେରିକା ପ୍ରତିରକ୍ଷା ବିଭାଗର ଚିଫ୍ ଅଫ୍ ଷ୍ଟାଫ୍ ନିଯୁକ୍ତ

ନ୍ୟୁୟର୍କ – ଭାରତୀୟ ବଂଶୋଦ୍ଭବ କେଶ୍ ପଟେଲ ଆମେରିକାର ପ୍ରତିରକ୍ଷା ସଚିବ କ୍ରିସ ମିଲରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ଦ୍ୱାରା ତାଙ୍କ ନାମ ସୁପାରିଶ କରାଯାଇଥିଲା। କେଶ ନିକଟରେ ଚିଫ୍ ଅଫ୍ ଷ୍ଟାଫ୍ ପଦରୁ ଇସ୍ତଫା ଦେଇଥିବା ଜିନ୍ ଷ୍ଟିଓ୍ବର୍ଟଙ୍କ ସ୍ଥାନ ନେବେ।

କେଶ୍ ପଟେଲ ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ଅଛନ୍ତି। ଦିନକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ସଚିବ ମାର୍କ ଏସପର୍ଙ୍କୁ ବରଖାସ୍ତ କରିଥିଲେ ।

ତାଙ୍କ ସ୍ଥାନରେ ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ର (ଏନସିଟିସି) ର ନିର୍ଦ୍ଦେଶକ କ୍ରିସ ମିଲରଙ୍କୁ ନିଯୁକ୍ତି ଦିଆଯାଇଥିଲା । ପେଣ୍ଟାଗନ୍ ତରଫରୁ କୁହାଯାଇଛି ଯେ, ମିଲର୍ ସୋମବାର ଏହି ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି। କେଶ୍ ପଟେଲଙ୍କ ପୂରା ନାମ ହେଉଛି କାଶ୍ୟପ ପ୍ରମୋଦ ପଟେଲ ।

ଆତଙ୍କବାଦ ନିରୋଧୀ ତଥା ଜାତୀୟ ନିରାପତ୍ତା ସହ ଜଡିତ ଅନେକ ସମ୍ବେଦନଶୀଳ ପଦବୀରେ ସେ କାର୍ଯ୍ୟ କରିଛନ୍ତି। ୩୯ ବର୍ଷିୟ ପଟେଲଙ୍କୁ ୨୦୧୯ ରେ ହ୍ବାଇଟ୍ ହାଉସରେ ଜାତୀୟ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧ ନିର୍ଦ୍ଦେଶାଳୟର ବରିଷ୍ଠ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା।

ନ୍ୟୁୟର୍କରେ ଜନ୍ମିତ ପଟେଲଙ୍କ ସମ୍ପର୍କ ଗୁଜୁରାଟ ସହ ରହିଛି। ତେବେ ତାଙ୍କ ପିତାମାତା ପୂର୍ବ ଆଫ୍ରିକାର। ମାତା ତାଞ୍ଜାନିଆ ଏବଂ ପିତା ଉଗାଣ୍ଡାର ମୂଳ ବାସିନ୍ଦା | ଏହି ପରିବାର ୧୯୭୦ ରେ କାନାଡାରୁ ଆମେରିକା ଆସିଥିଲେ। ନ୍ୟୁୟର୍କ ଏବଂ ଭର୍ଜିନିଆରୁ ଅଧ୍ୟୟନ ଶେଷ କରିବା ପରେ ପଟେଲ ଫ୍ଲୋରିଡା ଯାଇଥିଲେ।

ଫ୍ଲୋରିଡାଠାରେ ସେ ଚାରି ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଓକିଲ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ପରବର୍ତ୍ତୀ ଚାରି ବର୍ଷ ପାଇଁ ସରକାରୀ ଓକିଲ ଭାବରେ ଦାୟିତ୍ବ ତୁଲାଇଥିଲେ। ନ୍ୟାୟ ବିଭାଗ ଦ୍ୱାରା ନିଯୁକ୍ତ ପଟେଲ ଜଣେ ସାଧାରଣ ନାଗରିକ ଭାବେ ସ୍ୱତନ୍ତ୍ର ଅପରେସନ୍ କମାଣ୍ଡରେ ସାମିଲ ହୋଇଥିଲେ। ପେଣ୍ଟାଗନ୍ ରେ ସ୍ପେଶାଲ୍ ଫୋର୍ସ ସଦସ୍ୟଙ୍କ ସହିତ ନ୍ୟାୟ ବିଭାଗର ଓକିଲ ଭାବେ କାର୍ଯ୍ୟ କରିଥିଲେ। ବର୍ଷେ ଯାଏ ଏକ ସମ୍ବେଦନଶୀଳ ପଦବୀରେ କାମ କରିବା ପରେ ତାଙ୍କୁ ଆତଙ୍କବାଦ ନିରୋଧୀ ଦଳର ଜଣେ ବରିଷ୍ଠ ଆଇନ ବିଶେଷଜ୍ଞ କରାଯାଇଥିଲା।

Comments are closed.