ଶକ୍ତିଶାଳୀ ହେଉଛି ବାତ୍ୟା ‘ତଉକତେ’, ଗୁଜରାଟରେ ହାଇ ଆଲର୍ଟ | News Room Odisha

ଶକ୍ତିଶାଳୀ ହେଉଛି ବାତ୍ୟା ‘ତଉକତେ’, ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାତ୍ୟା ‘ତଉକତେ’ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ଆରବ ସାଗରରେ ସୃଷ୍ଟ ଏହି ବାତ୍ୟା ମେ ୧୭ରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ମେ ୧୮ରେ ଏହା ଗୁଜରାଟ ଉପକୂଳରେ ମାଡ଼ ହେବ । ‘ତଉକତେ’ ଦୃଷ୍ଟିରୁ ଗୁଜରାଟ ସମେତ ସବୁ ପଶ୍ଚିମ ଭାରତର ସବୁ ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକୁ ସତର୍କ କରାଯାଇଛି । ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନିଆଯିବା ସହ ଗୁଜରାଟରେ ଏନ୍‌ଡିଆରଏଫ୍ ଟିମ୍‌କୁ ପଠାଯାଇଛି ।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଭାରତୀୟ ଏନ୍‌ଡିଆରଏଫର ତିନି ଟିମ୍ ଗୁଜଚରାର ଜାମନଗର ପହଞ୍ଚିଛନ୍ତି । ପୁଣି ଭୁବନେଶ୍ୱରରୁ ଆଉ ଏକ ଏନ୍‌ଡିଆରଏଫ୍ ଟିମ୍ ମଧ୍ୟ ଗୁଜରାଟରେ ପହଞ୍ଚିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଲକ୍ଷଦ୍ୱୀପ ଏବଂ ଆରବ ସାଗର ମଧ୍ୟରେ ସୃଷ୍ଟ ଡିପ୍ ଡିପ୍ରେସନ୍ ବାତ୍ୟାର ରୂପ ନେଇସାରିଛି । ‘ତଉକତେ’ ଗତ ୬ ଘଣ୍ଟା ମଧ୍ୟରେ ୯ କିଲୋମିଟର ପ୍ରତି ଘଣ୍ଟାରେ ଆଗକୁ ବଢ଼ୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୫୦ କିଲୋମିଟର ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁଜରାଟ ଉପକୂଳ ଠାରୁ ଏହି ବାତ୍ୟା ଏବେ ୧୬୦ କିଲୋମିଟର ଏବଂ ଗୋଆର ପାଣାଜୀ ଠାରୁ ୩୫୦ କିଲୋମିଟର ଦୂରରେ ଅଛି ।