ମୋଦି ବିରୋଧୀ ପୋଷ୍ଟର ମାମଲାରେ ୧୨ ଗିରଫ | News Room Odisha

ମୋଦି ବିରୋଧୀ ପୋଷ୍ଟର ମାମଲାରେ ୧୨ ଗିରଫ

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟର ମାମଲାରେ ଦିଲ୍ଲୀ ପୋଲିସ୍ ୧୨ ଜଣ ଲୋକଙ୍କୁ ଗିରଫ କରିଛି ।

ଗତ କିଛିଦିନ ଧରି ରାଜଧାନୀ ନଗରୀର ବିଭିନ୍ନ ସ୍ଥାନରେ ମୋଦି ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର ଗୁଡିକରେ ଲେଖାଯାଇଥିଲା “ମୋଦିଜୀ ଆପଣ ଆମ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଭ୍ୟାକ୍ସିନ୍ କାହିଁକି ବିଦେଶକୁ ପଠାଇ ଦେଲେ?”
ଏହି ମାମଲାରେ ଦିଲ୍ଲୀ ପୋଲିସ୍ ବିଭିନ୍ନ ଦଫାରେ ଏଫ୍‌ଆଇଆର ରୁଜୁ କରିଥିଲା ।

କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ଦିଲ୍ଲୀ ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି । ଗତ ମାସକ ମଧ୍ୟରେ ରାଜଧାନୀରେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅକ୍ସିଜେନ ଓ ବେଡ୍‌ର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କୋଭିଡ୍ ରୋଗୀଙ୍କ ଶବଦାହ ପାଇଁ ଶ୍ମଶାନ ଆଗରେ ମଧ୍ୟ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ତେବେ ଅକ୍ସିଜେନ ସଙ୍କଟ ନେଇ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କିିଛି ହସ୍ପିଟାଲ ଗୁଡିକରେ ସ୍ଥିତି ସ୍ୱାଭାବିକ ହେଉଛି । ରାଜଧାନୀରେ ଗତ କିଛିଦିନ ଧରି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା କମିଥିଲେ ବି ଟେଷ୍ଟିଂ କମିଯାଇଥିବା ଅଭିଯୋଗ ହୋଇଛି ।