ଲକଡାଉନ୍ ବେଳେ ରାହା ଦେଖାଇଲା ମିଶନଶକ୍ତି, ମାଛ ଚାଷ ଆଣିଲା ମହିଳାଙ୍କ ହସ

ସମ୍ବଲପୁର : କରୋନା ମହାମାରୀ ପାଇଁ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ବିଶେଷ କରି ଏହି ଦ୍ବିତୀୟ ଲହରରେ ଭୟଙ୍କର ସଂକ୍ରମଣ ହେବା ସହ ଗ୍ରାମାଞ୍ଚଳରେ ଅଧିକ ବ୍ୟାପୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସୟଂସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ବରଦାନ ସଦୃଶ ହୋଇଛି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଏସ୍‌ଏଜି ମାଛ ଚାଷରୁ ଏବେ ବେଶ୍ ଲାଭବାନ ହୋଇ ଘରର ଆର୍ଥିକ ବୋଝ ଉଠାଇବାରେ ସକ୍ଷମ ହୋଇଛନ୍ତି ।

ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ରାଜ୍ୟ ସରକାର ମିଶନ ଶକ୍ତିକୁ କିଛି ମାସ ତଳେ ସତନ୍ତ୍ର ବିଭାଗ ଭାବେ ଘୋଷଣା କରି ଆସିଛନ୍ତି । ତେବେ , ମିଶନ ଶକ୍ତି ଆରମ୍ଭ ହେବା ଦିନରୁ ହିଁ ରାଜ୍ୟରେ ଲକ୍ଷ ଲକ୍ଷ ମହିଳା ଆତ୍ମନିର୍ଭର ହୋଇପାରିଥିବା ବେଳେ ବହୁ ଗରିବ ପରିବାରର ଆର୍ଥିକ ବୋଝ ଉଠାଇବାରେ ମହିଳାମାନେ ବେଶ୍ ସକ୍ଷମ ହୋଇପାରିଛନ୍ତି । ସେମାନଙ୍କୁ ବିଭିନ୍ନ ଅର୍ଥକାରୀ ଚାଷ ତଥା ବ୍ୟବସାୟ ପାଇଁ ରାଜ୍ୟ ସରକାର ଅକୁଣ୍ଠ ଚିତ୍ତରେ ସରକାରୀ ସହାୟତା ଯୋଗାଇ ଆସୁଛନ୍ତି ।

ଯଦ୍ଵାରା ବର୍ତ୍ତମାନର ମହାମାରୀ ସଙ୍କଟ ବେଳେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ମୁକାବିଲା ମଧ୍ୟରେ ବି ପ୍ରଶାସନ ମିଶନ ଶକ୍ତି ଦ୍ଵାରା ସବୁ ଏସ୍‌ଏଚଜିକୁ ଚଳଚଞ୍ଚଳ ରଖି ଆସିଛନ୍ତି । ଆଉ ଏହି ପରିଣାମ ସରୂପ ସମ୍ବଲପୁର ଜିଲ୍ଲା ଶତାଧିକ ଏସ୍‌ଏଚଜି ଏଭଳି ସଙ୍କଟ ସମୟରେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ଭାବେ ଜମନକିରା ଏବଂ ଯୁଯୁମୁରା ବ୍ଲକର କିଛି ଏସ୍‌ଏଜିଙ୍କ ସଫଳତା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଜମନକିରାର ନାରୀ ଶକ୍ତି ଏସ୍‌ଏଚଜି ଗୋଷ୍ଠୀ ଏବଂ ଯୁଯୁମୁରା ବ୍ଲକର ଗଡ଼ଲୋଇସିଂହ ପଞ୍ଚାୟତର ମହକୁଦପାଲିସ୍ଥିତ ଗାଁ ଦୁର୍ଗା ଏସ୍ଏଚଜି ଗାଁ ପୋଖରୀରେ ମାଛ ଚାଷ କରି ଏବେ ବେଶ୍ ଲାଭବାନ ହୋଇଛନ୍ତି । ଏହି ଦୁଇ ଗୋଷ୍ଠୀ ପୂର୍ବରୁ ଛାଡିଥିବା ପୋଖରୀର ମାଛ ଜାଆଁଳା ବଡ ହେବା ପରେ ଗତକାଲି ଏହାକୁ ସଂଗ୍ରହ କରିବା ପରେ ପ୍ରାୟ ଦେଢ କ୍ବିଣ୍ଟାଲ ଲେଖାଏଁ ମାଛ ବିକ୍ରି କରିବାରେ ସଫଳ ହୋଇଛନ୍ତି । ସେପଟେ , ଏହି ଲକଡାଉନ୍ ସମୟରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ତଥା ଯୋଗାଣକୁ ପ୍ରଶାସନ ସୁନିଶ୍ଚିତ କରିଥିବାରୁ ଉକ୍ତ ମାଛକୁ ସହଜରେ ବିକ୍ରି କରି ବେଶ୍ ଦୁଇ ପଇସା ଅର୍ଜନ କରିପାରିଛନ୍ତି । ଏଥିପାଇଁ ସମସ୍ତ ମହିଳା ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

Comments are closed.