ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ଏସ୍‌ଓପି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ଚିନ୍ତାର କାରଣ ହୋଇଛି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନୂଆ ଏସ୍‌ଓପି ଜାରି କରିଛନ୍ତି । ଏଥିରେ ଟେଷ୍ଟିଂ ଓ କ୍ୱାରେଣ୍ଟାଇନ୍ ଉପରେ ଗୁରୁତ୍ୱ ଦିଆଯାଇଛି ।

କେନ୍ଦ୍ର ତରଫରୁ ଜାରି ଗାଇଡ୍‌ଲାଇନ୍‌ରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିରୀକ୍ଷଣ, ସ୍କ୍ରିନିଂ ଓ ଆଇସୋଲେସନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଗାଁରେ ଆଶାକର୍ମୀ କୋଭିଡ୍ ଲକ୍ଷଣ ଥିବା ମାମଲା ଚିହ୍ନଟ କରିବେ । ଏଥିରେ ଆଶାକର୍ମୀଙ୍କୁ ସ୍ୱାସ୍ଥ୍ୟ ଓ ପୁଷ୍ଟିସାର କମିଟିର ସଦସ୍ୟ ବି ସହଯୋଗ କରିବେ । ଯେଉଁ ରୋଗୀଙ୍କ ଠାରେ କରୋନା ଲକ୍ଷଣ ମିଳିବ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଚିକିତ୍ସା କରିବେ ।

ଗୁରୁତର ରୋଗୀଙ୍କୁ ବଡ଼ ସ୍ୱାସ୍ଥ୍ୟକେନ୍ଦ୍ର ବା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ପକ୍ଷରୁ ଗାଇଡ୍ ଲାଇନରେ ପରାମର୍ଶ ଦିଆଯାଇଛି । ଯେଉଁ ଅଞ୍ଚଳରେ ଶ୍ୱାସ ସମ୍ବନ୍ଧୀୟ ରୋଗ ଚିହ୍ନଟ ହେଉଛି ସେଠାକାର ସ୍ଥାନୀୟ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଓପିଡି (ବହିର୍ବିଭାଗ ଚିକିତ୍ସା) ଆରମ୍ଭ କରିବାକୁ କୁହାଯାଇଛି । କରୋନା ଲକ୍ଷଣ ଥିବା ଲୋକଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବା କିମ୍ବା ନମୁନାକୁ ନିକଟବର୍ତ୍ତୀ ପରୀକ୍ଷଣ କେନ୍ଦ୍ରକୁ ପଠାଯିବ । ଯଦ୍ୱାରା କୋଭିଡ୍ ରୋଗୀଙ୍କୁ ସହଜରେ ଚିହ୍ନଟ କରିହେବ । ଆଶାକର୍ମୀ ମାନଙ୍କୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ତାଲିମ ଦେବା ପାଇଁ କେନ୍ଦ୍ର ଗାଇଡ୍ ଲାଇନ୍‌ରେ କୁହାଯାଇଛି । ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସୁବିଧା ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ରିପୋର୍ଟ ଆସିବା ଯାଏଁ ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

Comments are closed.