ସମନ୍ୱିତ କୋଭିଡ ମୁକାବିଲା : ଚିକିତ୍ସା ସାଂଗକୁ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ, ଭତ୍ତା ବଣ୍ଟନରୁ ବୁଲା ପଶୁଙ୍କୁ ଖାଦ୍ୟ ବଣ୍ଟନ ଯାଏ | News Room Odisha

ସମନ୍ୱିତ କୋଭିଡ ମୁକାବିଲା : ଚିକିତ୍ସା ସାଂଗକୁ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ, ଭତ୍ତା ବଣ୍ଟନରୁ ବୁଲା ପଶୁଙ୍କୁ ଖାଦ୍ୟ ବଣ୍ଟନ ଯାଏ

ସମ୍ବଲପୁର : କରୋନାର ଦ୍ବିତୀୟ ଲହର ଭୟଙ୍କର ଭାବେ ମାଡି ଚାଲିଛି । ଗତବର୍ଷ ଠାରୁ ଏହାର ସଂକ୍ରମଣ ତୀବ୍ରତା ଅନେକ ଗୁଣ ଅଧିକ ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏମାନଙ୍କ ଚିକିତ୍ସା ସାଙ୍ଗକୁ ସମଗ୍ର କୋଭିଡ୍ ମୁକାବିଲା ବର୍ତ୍ତମାନ ସମ୍ବଲପୁର ପ୍ରଶାସନ ପାଇଁ ବଡ ଆହ୍ବାନ ଭାବେ ଛିଡା ହୋଇଛି । ହେଲେ ପ୍ରଶାସନ ଏବର୍ଷ ଗତବର୍ଷର ଅଭିଜ୍ଞତାକୁ ପାଥେୟ କରି ସମନ୍ବିତ କୋଭିଡ୍ ମୁକାବିଲାକୁ ଆପଣେଇଛି । ଆକ୍ରାନ୍ତଙ୍କ ଚିକିତ୍ସା ସାଙ୍ଗକୁ ସଂକ୍ରମଣ ରୋକିବାକୁ ଲକଡାଉନ୍ ପାଳନ ସହିତ ସାଧାରଣ ଲୋକଙ୍କ ସାମାଜିକ ସୁରକ୍ଷାରୁ ଆରମ୍ଭ କରି ଜୀବନ ଜୀବିକା ଏବଂ ବୁଲା ପଶୁଙ୍କ ସୁରକ୍ଷା ପର୍ଯ୍ୟନ୍ତ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି ।

ଏଥର କରୋନା ମୁକାବିଲା ପାଇଁ ପ୍ରଶାସନ ମାତ୍ର ମାସକ ମଧ୍ୟରେ ଜିଲ୍ଲାରେ ବିରାଟ ସାସ୍ଥ୍ୟ ଭିତ୍ତିଭୂମି ଗଠନ କରିପାରିଛି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଏବଂ ବୁର୍ଲାରେ ମୋଟ୍ ସାଢେ ୬ ଶହ କୋଭିଡ୍ ଶଯ୍ୟ ଉପଲବ୍ଧ ହୋଇପାରିଥିବା ବେଳେ ଆଗକୁ ଏହି ସଂଖ୍ୟା ୮ ଶହ ଟପିବାକୁ ଯାଉଛି । ଏହାବାଦ୍ ଏମସିଏଲ୍ ସହାୟତାରେ ଆଉ ଶହେ ଶଯ୍ୟା ବିଶିଷ୍ଟ କତାଭିଡ୍ ହସପିଟାଲ ବି ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ସେପଟେ , ଏଥର ପ୍ରଥମ କରି ସମ୍ବଲପୁର ଏବଂ ବୁର୍ଲାରେ ଖୋଲିଥିବା ୨ଟି କୋଭିଡ କେୟାର ସେଣ୍ଟର ( ସିସିସି ) ରୁ ସମ୍ବଲପୁର କାଇଁଶୀର ସ୍ଥିତ ସିସିସିକୁ କୋଭିଡ୍ ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ଭାବେ ରୂପାନ୍ତରିତ କରାଯାଇଛି । ଆଉ ଏହି ଦୁଇ କେନ୍ଦ୍ରରେ ସବୁ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ସହିତ ଘରୋଇ ପରିବେଶ ପରି ଖାଇବା ପିଇବା ସବୁ ବ୍ୟବସ୍ଥା କରାଯାଉଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ୮ଟି ରାପିଡ୍ ରେସପନ୍ସ ଟିମ୍ ( ଆଆଟି ) ଗଠନ କରାଯାଇଥିବା ବେଳେ ପ୍ରତି ଟିର ନେତୃତ୍ବ ଡାକ୍ତରୀ ଦଳ ନେଉଛନ୍ତି । ଆଉ ଏହି ଆଠଟି ଦଳ ସବୁ ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଘରକୁ ଘର ବୁଲି ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରି ମାଗଣାରେ ଔଷଧ ବଣ୍ଟନ କରୁଛନ୍ତି ।

ଏପଟେ , ସଂକ୍ରମଣ ରୋକିବାକୁ ମୋବାଇଲ୍ ଭ୍ୟାନ୍‌ରେ ନମୁନା ସଂଗ୍ରହ ସହିତ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଆଉ ଅଧିକ ଆକ୍ରାନ୍ତ ଥିବା ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ୍ କରାଯାଉଛି ।

ସେହିପରି ବର୍ତ୍ତମାନ ସମୟରେ ବୃଦ୍ଧ , ବୃଦ୍ଧା , ବିଧବା ଏବଂ ଦିବ୍ୟାଙ୍ଗ ଆଦି ବ୍ୟକ୍ତିଙ୍କ ଭତ୍ତାକୁ ପ୍ରଶାସନ ସେମାନଙ୍କ ଘରକୁ ଯାଇ ବଣ୍ଟନ କରୁଛି । ଏହାବାଦ୍ ଗରିବ ବିପିଏଲ୍‌ଙ୍କୁ ମଧ୍ୟ ସେମାନଙ୍କ ଘର ଦୁଆରେ ଯାଇ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀ ବଣ୍ଟନ କରୁଛନ୍ତି । ଖାଲି ସେତିକି ନୁହେଁ , ଜୀବନ ଜୀବିକାକୁ ଗୁରୁତ୍ବ ଦେବାକୁ ଜୀବିକା ମିଶନ ଏବଂ ମିଶନ ଶକ୍ତି ଜରିଆରେ ଲୋକଙ୍କୁ ସାବଲମ୍ବୀ କରିବାର ପ୍ରଚେଷ୍ଟା ଜାରି ରହିଛି । ଏଭଳି ସମୟରେ ଏସ୍ଏଚଜି ଏବଂ ଉତ୍ପାଦକ ସଂଘ ଉତ୍ପାଦନ କରୁଥିବା ସାମଗ୍ରୀର ବିକ୍ରି ଏବଂ ପରିବହନକୁ ମଧ୍ୟ ପ୍ରଶାସନ ସୁନିଶ୍ଚିତ କରିବାରେ ଅକ୍ଲାନ୍ତ ପରିଶ୍ରମ କରୁଛି ।

ଖାଲି ସେତିକି ନୁହେଁ , ବର୍ତ୍ତମାନ ଏହି ଲକଡାଉନ୍ ବେଳେ ବୁଲା କୁକୁର ଏବଂ ବୁଲା ଗାଈ ଗୋରୁଙ୍କ ଖାଇବା ପିଇବାରେ ଯେମିତି ସମସ୍ୟା ନ ହୁଏ ସେଥିପ୍ରତି ମଧ୍ୟ ମହାନଗର ନିଗମ କର୍ତ୍ତୃପକ୍ଷ ସତନ୍ତ୍ର ଗୁରୁତ୍ବ ଦେଇଛନ୍ତି । ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ସବୁ ଗଳି ରାସ୍ତାରେ ବୁଲି ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି ।