ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ତୌକତେ’, ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସୋମବାର ସକାଳେ ଏହା ଆହୁରି ଶକ୍ତିଶାଳୀ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଏବେ ଏହି ଝଡ଼ର ତୀବ୍ରତା ବୃଦ୍ଧି ପାଇଛି ଏବଂ ଏହା ଘଣ୍ଟାପ୍ରତି ୧୮୦ ରୁ ୨୧୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା ଆଣିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ତେବେ ଗୁଜରାଟ ଉପକୂଳ ଛୁଇଁବା ବେଳକୁ ‘ତୌକତେ’ର ତୀବ୍ରତା କମିବ ।
ପାଣିପାଗ ବିଭାଗ ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ‘ତୌକତେ’ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟାରେ ଏହି ଝଡ଼ ଗୁଜରାଟର ପୋରବନ୍ଦର ଏବଂ ମହୁବା ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ସମ୍ଭାବ୍ୟ ବାତ୍ୟା ବିପଦ ଦୃଷ୍ଟିରୁ ଗୁଜରାଟରେ ପ୍ରାୟ ୧.୫ ଲକ୍ଷ ଲୋକଙ୍କୁ ସମୁଦ୍ରକୂଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଜନିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟରେ ଏନ୍‌ଡିଆରଏଫ୍‌ର ୫୪ ଟିମ୍‌କୁ ନିୟୋଜିତ କରାଯାଇଛି ।

ଅନ୍ୟପଟେ ‘ତୌକତେ’ ପ୍ରଭାବରେ ମହାରାଷ୍ଟ୍ରରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ମହାରାଷ୍ଟ୍ରରେ ଗଛ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେରଳ, କର୍ଣ୍ଣାଟକ ଓ ଗୋଆରେ ମଧ୍ୟ ବର୍ଷା ସହ ପବନ ଜାରି ରହିଛି ।

Comments are closed.