ରାହୁଲଙ୍କୁ ‘ନର୍ଭସ’ ନେତା କହିଲେ ଓବାମା

ନୂଆଦିଲ୍ଲୀ – ରାହୁଲ ଗାନ୍ଧିଙ୍କୁ ‘ନର୍ଭସ’ ନେତା ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ନିଜ ଆତ୍ମଜୀବନୀ ‘ଏ ପ୍ରମିସ୍‌ଡ ଲ୍ୟାଣ୍ଡ୍‌’ରେ ଏହି କଂଗ୍ରେସ ନେତାଙ୍କ ବିଷୟରେ ଓବାମା କହିଛନ୍ତି ଯେ, ରାହୁଲଙ୍କ ଠାରେ ଯୋଗ୍ୟତା ଓ ଇଚ୍ଛାଶକ୍ତିର ଅଭାବ ରହିଛି ।

ଓବାମା ତାଙ୍କର ଏହି ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଅନ୍ୟ ବିଶ୍ୱ ନେତାଙ୍କ ବିଷୟରେ ବି ଉଲ୍ଲେଖ କରିଛନ୍ତି । ରାହୁଲଙ୍କ ତୁଳନା ଜଣେ ଛାତ୍ରଙ୍କ ସହ କରିବା ସହ ଓବାମା କହିଛନ୍ତି – ରାହୁଲ ଜଣେ ସ୍କୁଲ ଛାତ୍ର ଭଳି ଯିଏ ନିଜ ହୋମୱାର୍କ ଦ୍ୱାରା ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଆଗ୍ରହୀ । କିନ୍ତୁ ଏଥିରେ ସଫଳ ହେବା ପାଇଁ ତାଙ୍କ ଠାରେ ଦକ୍ଷତା ଓ ଇଚ୍ଛାଶକ୍ତିର ଅଭାବ ରହିଛି । ଏହାଛଡ଼ା ସେ ରାହୁଲଙ୍କୁ ନର୍ଭସ ଓ ଅପରିପକ୍ୱ ବୋଲି କହିଛନ୍ତି । ଓବାମା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କୁ ପ୍ରଶଂସା କରିଛନ୍ତି । ମନମୋହନଙ୍କ ଠାରେ ପ୍ରଗାଢ ନିଷ୍ଠା ରହିଛି । ସେ ଜଣେ ଶାନ୍ତ, ନିଷ୍ଠାବାନ ବ୍ୟକ୍ତି ବୋଲି ଓବାମା କହିଛନ୍ତି । ୨୦୧୭ରେ ଯେବେ ଓବାମା ଭାରତ ଗସ୍ତରେ ଆସିଥିଲେ ସେ ରାହୁଲଙ୍କୁ ଭେଟିଥିଲେ । ଓବାମାଙ୍କ ୭୬୮ ପୃଷ୍ଠା ସମ୍ବଳିତ ଆତ୍ମଜୀବନୀ ନଭେମ୍ବର ୧୭ରେ ପ୍ରକାଶ ପାଇବ ।

Comments are closed.