ମେକ୍ସିକୋର ଆଣ୍ଡ୍ରିୟା ମେଜା ପିନ୍ଧିଲେ ମିସ୍ ୟୁନିଭର୍ସ ମୁକୁଟ, ଭାରତର ଏଡଲିନ୍ ଚତୁର୍ଥ

ଫ୍ଲୋରିଡା: ମେକ୍ସିକୋ ସୁନ୍ଦରୀ ୨୬ ବର୍ଷୀୟା ଆଣ୍ଡ୍ରିିୟା ମେଜା ଜିତିଛନ୍ତି ମିସ୍ ୟୁନିଭର୍ସ -୨୦୨୦ ଟାଇଟଲ୍ । ଫ୍ଲୋରିଡାରେ ଆୟୋଜିତ ଏହି ପ୍ରତିଯୋଗିତାରେ ମେଜା ୬୬ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ପୂର୍ବତନ ମିସ୍ ୟୁନିଭର୍ସ ଦକ୍ଷିଣ ଆଫ୍ରିକାର ଜୋଜିବିନି ଟୁନ୍‌ଜୀ, ମେଜାଙ୍କୁ ବିଜେତା ମୁକୁଟ ପିନ୍ଧାଇଥିଲେ ।

ଭାରତର ଏଡଲିନ୍ କାଷ୍ଟେଲିନୋଙ୍କୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଡୋମିନିକାନ ରିପବ୍ଲିକର କିମ୍ବର୍ଲି ଜିମେନେଜ ତୃତୀୟ ରନର ଅପ୍ ଏବଂ ମିସ୍ ପେରୁ ଜେନିକ ମୈକେଟା ଦ୍ୱିତୀୟ ରନର ଅପ୍ ହୋଇଥିଲେ ।

ମିସ୍ ୟୁନିଭର୍ସ ଟାଇଟଲ୍ ପାଇଁ ମେଜା ଓ ବ୍ରାଜିଲର ଜୁଲିଆ ଗାମାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏ ଦୁହେଁ ଟପ୍‌-୨ ପ୍ରତିଯୋଗୀ ଭାବେ ମନୋନୀତ ହୋଇଥିଲେ । ତେବେ ଜୁଲିଆଙ୍କୁ ପଛରେ ପକାଇ ମେଜା ମିଟ୍ ୟୁନିଭର୍ସ ଟାଇଟଲ୍ ହାତେଇଥିଲେ । କୋଭିଡ୍ ସଂକ୍ରାନ୍ତୀୟ ଏକ ପ୍ରଶ୍ନରେ ସେ ଦେଇଥିବା ଉତ୍ତର ମେଜାଙ୍କ ପାଇଁ ବିଜୟ ସୁନିଶ୍ଚିତ କରିଥିଲା । ତାଙ୍କୁ ପଚରା ଯାଇଥିଲା, ଆପଣ ଯଦି ନିଜ ଦେଶର ନେତା ହୋଇଥାନ୍ତେ,ତେବେ କୋଭିଡ୍‌-୧୯ ମହାମାରୀ ସ୍ଥିତିର କିପରି ପରିଚାଳନା କରିଥାନ୍ତେ? ଏହାର ଉତ୍ତରରେ ମେଜା କହିଥିଲେ – ଏଭଳି ଗମ୍ଭୀର ସ୍ଥିତିର ମୁକାବିଲା ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପାୟ ନାହିଁ । ମୁଁ ଆରମ୍ଭରୁ ହିଁ ଦେଶରେ ଲକ୍‌ଡାଉନ୍ ଲଗାଇଥାନ୍ତି । କାରଣ ଆମେ ଏହି ମହାମାରୀରେ ଏତେ ବହୁ ଲୋକଙ୍କୁ ହରାଇଛୁ । ଆମେ ଏଭଳି ଲୋକଙ୍କୁ ହରାଇ ପାରିବୁ ନାହିଁ । ଆମେ ନିଜ ଲୋକଙ୍କ ଯତ୍ନ ନେବାକୁ ପଡିବ । ତେଣୁ ମୁଁ ଆରମ୍ଭରୁ ହିଁ ଲୋକଙ୍କ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଅନ୍ତି ।

ମେଜା ଜଣେ ସଫ୍ଟୱେର ଇଞ୍ଜିନିୟର । ଏହାଛଡ଼ା ସେ ଚିହୁଆହୁଆ ସହରର ପର୍ଯ୍ୟଟନ ଆମ୍ବାସାଡର । ସେ ମଧ୍ୟ ଜଣେ କ୍ରୀଡ଼ାପ୍ରେମୀ ।

Comments are closed.