ମହାମାରୀ ବେଳେ ରାହା ଦେଖାଉଛି ଜୀବିକା ମିଶନ, ମାକ୍ସ ତିଆରି ଦେଲା ରୋଜଗାରର ବାଟ | News Room Odisha

ମହାମାରୀ ବେଳେ ରାହା ଦେଖାଉଛି ଜୀବିକା ମିଶନ, ମାକ୍ସ ତିଆରି ଦେଲା ରୋଜଗାରର ବାଟ

ସମ୍ବଲପୁର : ମହାମାରୀ କରୋନା ବର୍ଷେ ହେଲା ସମସ୍ତଙ୍କ ଜୀବନ ଜୀବିକାକୁ ବିପନ୍ନ କରି ଦେଇଛି । ବିଶେଷ କରି ବଜାର ବ୍ୟବସ୍ଥା ସ୍ବାଭାବିକ ନଥିବାରୁ ସବୁ ପ୍ରକାର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭଳି ଜୀବିକା ମିଶନ ମଧ୍ୟ ଏହି ଲକଡାଉନ୍ ବେଳେ ବି ବହୁ ଗରିବ ପରିବାରର ମୁହଁରେ ହସ ଫୁଟାଇବାରେ ସଫଳ ହୋଇଛି । କୁଚିଣ୍ଡା ବ୍ଲକ୍ ଅର୍ଡାବାହାଲ ଗାଁର ଉଜ୍ବଳା ପ୍ରୋଡ୍ୟୁସର୍ ଗ୍ରୁପର ମହିଳାମାନେ ବର୍ତ୍ତମାନ ମାକ୍ସ ତିଆରି କରି ପ୍ରଶାସନ ସମେତ ବିଭିନ୍ନ ସଂସ୍ଥାକୁ ବିକ୍ରି କରି ବେଶ୍ ଲାଭବାନ ହୋଇଛନ୍ତି । ବର୍ତ୍ତମାନ ସମୟରେ ଭିନ୍ନ କିଛି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

କରୋନାକୁ ପରାସ୍ତ କରିବା ପାଇଁ ଯେଉଁ କେତୋଟି ପ୍ରମୁଖ ଅସ୍ତ୍ର ରହିଛି ସେଥିରୁ ମାକ୍ସକୁ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ଏହି ମହାମାରୀରୁ ବର୍ତ୍ତିବାକୁ ସାରା ବିଶ୍ବର ବିଶେଷଜ୍ଞ ମାକ୍ସ ପରିଧାନକୁ ବାଧ୍ୟତାମୂଳକ ବୋଲି କହି ଆସୁଛନ୍ତି । ଆଉ ଏହି ପ୍ରମାଣସିଦ୍ଧ ବି ହୋଇସାରିଛି । ଏଭଳି ସ୍ଥିତିରେ ବର୍ଷେ ହେଲା ମାସ୍କର ଚାହିଦା ଆକାଶଛୁଆଁ ହୋଇସାରିଥିବା ବେଳେ ଏହାକୁ ବହୁ ବଡ ବଡ ଙ୍କ କଂପାନି ବ୍ୟବସାୟ ରୂପେ ଆଦରି ଦେଲେଣି । ବିଶେଷ କରି ଟେକ୍ସଟାଇଲ୍ ଏବଂ ଫାର୍ମା ସେକ୍ଟର କଂପାନି ଗୁଡିକ ପାଇଁ ଏହା ଏବେ ବ୍ୟବସାୟର ଭଲ ମାଧ୍ୟମ ହୋଇଛି ।

ଏଭଳି ସ୍ଥିତିରେ କୁଚିଣ୍ଡାସ୍ଥିତ ଉଜ୍ବଳା ପ୍ରୋଡ୍ୟୁସର୍ ଗ୍ରୁପର ମହିଳା ସଦସ୍ୟାମାନେ କପଡା ମାକ୍ସ ତିଆରି କରି ବେଶ୍ ଦୁଇ ପଇସା ଲାଭାନ୍ବିତ ହୋଇପାରୁଛନ୍ତି । ଇତିମଧ୍ୟରେ ସେମାନେ ୭ ହଜାରରୁ ଉର୍ଦ୍ଧ ମାକ୍ସ ତିଆରି କରି ପ୍ରଶାସନ ଏବଂ ଏକ ଘରୋଇ ବ୍ୟାଙ୍କକୁ ବିକ୍ରି କରିସାରିଛନ୍ତି । ଗତବର୍ଷ ମଧ୍ୟ ଏହି ଗୁପ୍‌ର ସଦସ୍ୟମାନେ ମାକ୍ସ ତିଆରି କରି ପ୍ରତି ସଦସ୍ୟ ପିଛା ୧୧ ହଜାର ଟଙ୍କା ଲେଖାଏଁ ମାସକ ମଧ୍ୟରେ ରୋଜଗାର କରିପାରିଥିଲେ । ଏଥିପାଇଁ ସେମାନଙ୍କୁ ସିଲେଇ ମେସିନରୁ ଆରମ୍ଭ କରି କପଡା ପର୍ଯ୍ୟନ୍ତ କିଣିବାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବର୍ତ୍ତମାନ ଲକଡାଉନ୍ ବେଳେ ଏହି ମହିଳାମାନେ ବି ପରିବାରର ଆର୍ଥିକ ବୋଝ ଉଠାଇବାରେ ବେଶ୍ ସଫଳ ହୋଇପାରୁଛନ୍ତି ।