କମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା | News Room Odisha

କମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ହ୍ରାସ ପାଇଛି । ଏକ ସର୍ଭେ ଅନୁସାରେ ମୋଦିଙ୍କ ଲୋକପ୍ରିୟତା ସର୍ବନିମ୍ନ ସ୍ତରକୁ ଖସିଛି ।

୨୦୧୪ରେ କ୍ଷମତା ଅକ୍ତିଆର କରିବା ପରେ ମୋଦିଙ୍କ ଦଳ ବିଜେପିକୁ ୨୦୧୯ ନିର୍ବାଚନରେ ଆହୁରି ଅଧିକ ଆସନ ମିଳିଥିଲା । ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ମୋଦି କ୍ରମାଗତ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଫେରିବା ପରେ ତାଙ୍କ ପ୍ରଭାବ ଆହୁରି ବଢ଼ିଥିଲା । ଏକ ଶକ୍ତିଶାଳୀ ରାଷ୍ଟ୍ରବାଦୀ ନେତା ଭାବେ ମୋଦିଙ୍କ ମାନ୍ୟତା ରହିଛି । ତେବେ କୋଭିଡ୍‌ର ଦ୍ୱିତୀୟ ଲହରୀ ପରିଚାଳନାରେ ବିଫଳତା ମୋଦିଙ୍କ ଛବି ଖରାପ କରିଛି । ଭାରତର ମୋଟ କୋଭିଡ୍ ସଂକ୍ରମଣ ଏଇ ସପ୍ତାହରେ ଅଢ଼େଇ କୋଟି ଟପିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଚରମ ଅବହେଳା ମୋଦିଙ୍କ ଲୋକପ୍ରିୟତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।

ଆମେରିକୀୟ ସଂସ୍ଥା ‘ମର୍ଣ୍ଣିଂ କନସଲ୍ଟ’ ଅନୁସାରେ ୨୦୧୯ ସେପ୍ଟେମ୍ବର ଠାରୁ ଏ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାରେ ୨୨ ପ୍ରତିଶତ ହ୍ରାସ ଘଟିଛି । ବିଶ୍ୱର ରାଜନେତାଙ୍କ ଲୋକପ୍ରିୟତା ଆକଳନ କରୁଥିବା ଏହି ସଂସ୍ଥା କହିଛି ଯେ, ଚଳିତ ସପ୍ତାହ ସୁଦ୍ଧା ମୋଦିଙ୍କ ରେଟିଂ ୬୯% ରହିଛି । ଏହି ଆମେରିକୀୟ ସଂସ୍ଥା ୨୦୧୯ ଅଗଷ୍ଟ ଠାରୁ ମୋଦିଙ୍କ ଲୋକପ୍ରିୟତା ଆକଳନ କରିଆସୁଛି । ଚଳିତ ବର୍ଷ ଏପ୍ରିଲରେ ଭାରତରେ କରୋନା ପ୍ରକୋପ ବଢ଼ିବା ସହ ମୋଦିଙ୍କ ଲୋକପ୍ରିୟତା କମିବାରେ ଲାଗିଥିଲା । ତାଙ୍କ ଲୋକପ୍ରିୟତା ହଠାତ୍ ୨୨% ହ୍ରାସ ପାଇଥିଲା । ‘ମର୍ଣ୍ଣିଂ କନସଲ୍ଟ’ ମଙ୍ଗଳବାର ମୋଦଙ୍କ ଲୋକପ୍ରିୟତାକୁ ନେଇ ସର୍ଭେ ଫଳାଫଳ ଜାରି କରିଛି ।