ଗୁଜରାଟରେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦି | News Room Odisha

ଗୁଜରାଟରେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦି

ଅହମ୍ମଦାବାଦ: ପ୍ରଳୟଙ୍କରୀ ବାତ୍ୟା ‘ତୌକତେ’ ପ୍ରଭାବରେ ଗୁଜରାଟରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସବୁ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ।
ବାତ୍ୟା ‘ତୌକତେ’ରେ ସୌରାଷ୍ଟ୍ର ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ଅଧୀନ ଅମ୍ରେଲିରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାବନଗର ଏବଂ ଗିର ସୋମନାଥ ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅହମ୍ମଦାବାଦରେ ପାଞ୍ଚ, ଖେଡାରେ ଦୁଇ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆନନ୍ଦ, ବରୋଦା, ସୁରଟ, ଭାଲସାଡ୍‌, ରାଜକୋଟ, ନଭାସାରୀ ଏବଂ ପଞ୍ଚମହଲ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । କାନ୍ଥ ଭାଙ୍ଗିବା ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଛପଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଅଧିକାରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ମୋଦି ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସନ୍ଧ୍ୟାରେ ଅହମ୍ମଦାବାଦରେ ଏକ ବୈଠକରେ ସେ ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିବେ । ‘ତୌକତେ’ ପ୍ରଭାବିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ସହାୟତା ରାଶି ଘୋଷଣା କରିପାରନ୍ତି ।