ଲେଖକ : ପ୍ରତିଭା ନେପାକ
କରୋନା ମହାମାରୀକୁ ହରାଇବା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି। ସେ ପ୍ରବାସୀଙ୍କ କଥା କୁହନ୍ତୁ କି ରୋଗୀ, ଚିକିତ୍ସା କଥା କୁହନ୍ତୁ ଜୀବନ ଜୀବିକା କଥା… ରାଜ୍ୟ ସରକାର ସମାଜର ସବୁ ବର୍ଗର ଲୋକଙ୍କ ପ୍ରତି ସମୁଚିତ ନଜର ଦେଇ ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଗୋଟିଏ କଥା ନିଶ୍ଚିତ ଯେ କେବଳ ସରକାରୀ କଳ ବା ପ୍ରଶାସକମାନେ ଚାହିଁଲେ ମହାମାରୀକୁ ନିୟନ୍ତ୍ରଣ କରିପାରିବେ ତାହା ସମ୍ପୂର୍ଣ୍ଣ ସମ୍ଭବ ନୁହେଁ। ବରଂ ଯଦି ସମଗ୍ର ସମାଜ, ତୃଣମୂଳସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ଏକଜୁଟ ହୁଅନ୍ତି ତେବେ ନିଶ୍ଚିତ ଭାବେ ଓଡିଶା ପୂର୍ବଥର ଭଳି ଏଥର ମଧ୍ୟ ମହାମାରୀକୁ ପରାଜିତ କରିପାରିବ ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ। ଆଉ ଏହାକୁ ଠିକ ଭାବେ ବୁଝି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ମୁକାବିଲା ରଣନୀତିକୁ ଆଗେଇ ନେଇଛନ୍ତି। ସେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି, ପଞ୍ଚାୟତସ୍ତରରେ କୋଭିଡ୍ ନିୟନ୍ତ୍ରଣ କମିଟି ଗଠନ କରି ତାହାକୁ ସଶକ୍ତୀକରଣ କରିବା, ରାଜ୍ୟବ୍ୟାପୀ ସାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ତୃଣମୂଳସ୍ତରରେ କାର୍ଯ୍ୟରତ ଆଶା କର୍ମୀ ଏଏନ୍ଏମଙ୍କୁ ସାମିଲ କରାଇବାକୁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ ସେମାନଙ୍କ ସକାଶେ ମାସିକ ୧୦୦୦ ଟଙ୍କାର (୩ ମାସ ସକାଶେ) ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରିଛନ୍ତି। ଡାକ୍ତର ବା ନର୍ସ, ପୁଲିସ ବା ଅଗ୍ନିଶମ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ, ସଫେଇ କର୍ମଚାରୀ, ପରିବହନ କର୍ମଚାରୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ତଥା ଟିକାକରଣରେ ସେମାନଙ୍କୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ମହାମାରୀ ମୁକାବିଲାରେ କମ୍ୟୁନିଟି ପାର୍ଟିସିପେନ୍ (ଗୋଷ୍ଠୀଗତ ଅଂଶଗ୍ରହଣ)କୁ ସୁନିଶ୍ଚିତ କରାଇଛନ୍ତି। ଅନେକ ଗ୍ରାମାଞ୍ଚଳରେ ଟିଏମ୍ସି (ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ପରିଚାଳନାରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ଭାଗିଦାରୀ ଉଲ୍ଲେଖନୀୟ ରହିଛି। ଆହୁରି ମଧ୍ୟ ନବୀନ ପଟ୍ଟନାୟକ ବାରମ୍ବାର ସମଗ୍ର ରାଜ୍ୟବାସୀ ଲକଡାଉନ୍- ସଟଡାଉନକୁ ସମ୍ପୂର୍ଣ୍ଣ ପାଳିଲେ ଯାଇ ଆମେ ରାଜ୍ୟରୁ କରୋନାକୁ ଦୂରେଇ ପାରିବା ବୋଲି କହି ଲୋକଙ୍କ ମନୋବଳ ବୃଦ୍ଧି କରିଛନ୍ତି ଓ କଟକଣା ମାନିବାରେ ବହୁଳ ସଂଖ୍ୟାରେ ଅଂଶଗ୍ରହଣକୁ ନିଶ୍ଚିତ କରାଉଛନ୍ତି।
ବିପର୍ଯ୍ୟୟ ପରିଚାଳନାରେ ସର୍ବୋତ୍ତମ ଟ୍ରାକ୍ ରେକର୍ଡ ରଖି ଆସିଥିବା ଓଡିଶା ପ୍ରଥମ ଲହରୀ କରୋନା ବେଳେ ମଧ୍ୟ ମହାମାରୀ ନିୟନ୍ତ୍ରଣ ନେଇ ଦେଶ ଓ ବିଶ୍ୱସ୍ତରରେ ମଧ୍ୟ ପ୍ରଶଂସିତ ହୋଇଥିଲା। ବିଶେଷ କରି ତୃଣମୂଳସ୍ତରରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରାଇ ମହାମାରୀ ମୁକାବିଲାକୁ ସଫଳ କରି ପ୍ରଶଂସା ସାଉଁଟିଥିଲେ ମୁଖ୍ୟମନ୍ତ୍ରୀ। ସେତେବେଳେ ପଞ୍ଚାୟତସ୍ତରରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ମାଷ୍ଟର ଷ୍ଟ୍ରୋକ୍ ମାରିଥିଲେ ନବୀନ ପଟ୍ଟନାୟକ। ସାରା ଦେଶରେ ଏହି ପଦକ୍ଷେପ ଥିଲା ପ୍ରଥମ ଓ ନିଆରା। ଆଉ ଏବେ ଦ୍ବିତୀୟ ଲହରୀ ଯେତେବେଳେ ଶୀର୍ଷ ଛୁଇଁବାକୁ ଯାଉଛି ସେତେବେଳେ ନିଜ ସଫଳ ରଣନୀତିର ପୁନରାବୃତ୍ତି କରିଛନ୍ତି ସେ। ଲକଡାଉନ୍ କାର୍ଯ୍ୟକାରୀ କରିବା, ପ୍ରବାସୀଙ୍କ ଆଗମନ ଦୃଷ୍ଟିରୁ ଗାଁର ଆବଶ୍ୟକତାକୁ ଦେଖି ଗ୍ରାମରେ ଅସ୍ଥାୟୀ ସଙ୍ଗରୋଧ ବା ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମ୍ସି) ଖୋଲିବା ନେଇ ସରପଞ୍ଚମାନେ ସେମାନଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛବି ନବୀନ ପଟ୍ଟନାୟକ। ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ- ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାନ୍ତୁ, କୋଭିଡ୍ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ୍ ଶକ୍ତି ଗୋଷ୍ଠୀ ଠାରୁ ମାସ୍କ କିଣି ଗରିବ ଲୋକଙ୍କୁ ବିତରଣ ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ଯେ- ପ୍ରଥମ ଲହରୀ ବେଳେ ରାଜ୍ୟରେ ଏସଏଚଜିମାନେ ହିଁ ସରକାର/ବଜାରକୁ ପର୍ଯ୍ୟାପ୍ତ ପରିମାଣରେ କପଡ଼ା ନିର୍ମିତ ମାସ୍କ ଯୋଗାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯାହା କୋଭିଡ୍ ମୁକାବିଲାକୁ ଅଧିକ ବଳ ଦେଇଥିଲା।
ନିକଟରେ ଏକ ସମୀକ୍ଷା ବୈଠକ ବେଳେ କୋଭିଡ୍ ପରିଚାଳନାରେ ଗୋଷ୍ଠୀକୁ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିଥିଲେ ମୁଖ୍ୟମନ୍ତ୍ରୀ। ଆମ ରାଜ୍ୟରେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି କୋଭିଡ୍ ମୁକାବିଲାରେ ସାମିଲ ରହି ଆସିଛନ୍ତି। କୋଭିଡ୍ ପରିଚାଳନା ବେଳେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନ୍ଏମ୍, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ୍ ଶକ୍ତି ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍ଏମ୍ କର୍ମୀମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ। କେବଳ ସେତିକି ନୁହେଁ ପ୍ରତି ଗାଁ କଲ୍ୟାଣ ସମିତିକୁ ମଧ୍ୟ କୋଭିଡ୍ ନିୟନ୍ତ୍ରଣ ପାଇଁ ଦିଆଯିବ ୧୦ ହଜାର ଟଙ୍କା ସହାୟତା। ଘରୋଇ ସଙ୍ଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀଙ୍କୁ ମଧ୍ୟ ସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅର୍ଥାତ୍ କେବଳ ଦାୟିତ୍ବ ଦେଇନାହାନ୍ତି, ତା ସହ ଆର୍ଥିକ ସହାୟତା ଦେଇ ସେମାନଙ୍କୁ ନିଷ୍ଠାପର ଭାବେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷମତା ବିକେନ୍ଦ୍ରୀକରଣ ଜରିଆରେ ମୁକାବିଲା ନିଷ୍କତ୍ତିକୁ ତ୍ବରାନ୍ବିତ କରାଇ ପାରିଛନ୍ତି ସେ। ସେଥିପାଇଁ ତ ପଞ୍ଚାୟତସ୍ତରରେ କୋଭିଡ୍ ମୁକାବିଲା ପ୍ରଦର୍ଶନ ଆଶାନୁରୂପକ ରହି ଆସିଛି।
୨୩ ଜୁନ୍ ୨୦୨୦ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଜ ପ୍ରେସ୍ ବିବୃତ୍ତିରେ ସ୍ପଷ୍ଟ ଉଲ୍ଲେଖ କରିଥିଲା ଯେ- ଓଡିଶାରେ ଗୋଷ୍ଠୀଗତ ଅଂଶଗ୍ରହଣ (ସରପଞ୍ଚଙ୍କ ସକ୍ରିୟ ଅଂଶଗ୍ରହଣ, କୁଶଳ ସ୍ଵାସ୍ଥ୍ୟକର୍ମୀଙ୍କ ବିଶାଳ ବାହିନୀ ସୃଷ୍ଟି କରିବା, ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଓ ଯତ୍ନ) ଦ୍ବାରା ସମାଜ ଉପରେ ମହାମାରୀର ବୋଝ ହ୍ରାସ କରିବା ସମ୍ଭବ ହୋଇପାରିଛି। ଉଲ୍ଲେଖନୀୟ ଭାବେ ସେତେବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁଷ୍ଠାନିକ ସଙ୍ଗରୋଧରେ ଥିବା ପ୍ରବାସୀମାନଙ୍କୁ ତାଲିମ ଦେଇ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀ ଭାବେ ଗଢି ତୋଳିଥିଲା। ଯେଉଁମାନେ ନିଜ ଗାଁ ବା ଘରକୁ ଫେରିବା ପରେ ଅଞ୍ଚଳରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ସଚେତନତାକୁ ବ୍ୟାପକ କରାଇ ପାରିଥିଲେ।
ଏହି ସଂକଟ ସମୟରେ ‘ଗୋଷ୍ଠୀ ଶକ୍ତି’ ହିଁ ସବୁଠୁ ବଡ ଅସ୍ତ୍ର। ହେଲେ ଏହି ଅସ୍ତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ର ଭଳି ଗୋଷ୍ଠୀ ଶକ୍ତିରେ ପରିଣତ କରି ତାହାର ସଫଳ ପ୍ରୟୋଗ କରି ଆସିଛନ୍ତି। ସେଥିପାଇଁ ତ ଦେଶରେ ଓଡିଶା ଏବେ କରୋନା ମୁକାବିଲାରେ ମଧ୍ୟ ରୋଲ୍ ମଡେଲ୍ ପାଲଟିଛି। ନାରୀ ସଶକ୍ତୀକରଣ ଯେ କେବଳ ଏକ ସ୍ଲୋଗାନ୍ ନୁହେଁ, ଗୋଷ୍ଠୀଗତ ସମ୍ପୃକ୍ତି କେବଳ ଏକ ଯୋଜନା ନୁହେଁ, ବରଂ ତାହାର ସଫଳ ପ୍ରୟୋଗରେ ବିପର୍ଯ୍ୟୟ/ ମହାମାରୀକୁ ବି ମାତ୍ ଦେଇହେବ ତାହା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନବୀନ ବାବୁଙ୍କ ଠାରୁ ଶିକ୍ଷାଗ୍ରହଣ କରିବା ବିଧେୟ।
ଲେଖକ ତଥା ଇତିହାସ ଗବେଷକ